୨୦୧୮ରେ ମୋ ପରିବାର ପାଖକୁ ମୋ ପାଇଁ ଏକ ବିବାହ ପ୍ରସ୍ତାବ ଆସିଲା। ମୁଁ ୨୧ ବର୍ଷର ଥିଲି ଏବଂ ମୋର ସଉରା ଆଦିବାସୀ ସମ୍ପ୍ରଦାୟର ପ୍ରଥା ଅନୁସାରେ, ମୁଁ ବିବାହ ପାଇଁ ପ୍ରସ୍ତୁତ ଥିଲି। ସେମାନେ କହନ୍ତି ‘ପୁଅମାନେ ଆଗକୁ ପଢ଼ିବା ଠିକ୍‌ ଅଛି କିନ୍ତୁ ଜଣେ ଝିଅ କାହିଁକି ପଢ଼ିବ – ତାକୁ ଯାହା ବି ହେଲେ ଘରେ ହିଁ ରହିବାକୁ ଅଛି – ସମୟ ନଷ୍ଟ ଏବଂ ପାଠପଢ଼ାରେ ଅର୍ଥ ନଷ୍ଟ’।

ମୁଁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲି। ମୁଁ କହିଲି ମୁଁ ଆଗକୁ ପଢ଼ିବାକୁ ଚାହୁଁଛି ଏବଂ ମୁଁ ଚାହୁଁଥିଲି ମୋର ସାନ ଭଉଣୀମାନେ ପଢ଼ିବାକୁ ସୁଯୋଗ ପାଆନ୍ତୁ। ସରକାରୀ ହାଇସ୍କୁଲରେ ଶିକ୍ଷକ ଥିବା ମୋର ମାମୁଁ ମୁକୁନ୍ଦୋ ଗମାଙ୍ଗ ପରିବାରରେ ଜଣେ ମାତ୍ର ବୟସ୍କ ଭାବେ ମୋତେ ସମର୍ଥନ କଲେ। ମୁଁ ବିବାହ କରିଯାଏ ବୋଲି ମୋ ବାପା ମା’ ଚାହୁଁଥିଲେ, କିନ୍ତୁ ମୁଁ ମୋର ନିଷ୍ପତ୍ତିରେ ଦୃଢ଼ ରହିଲି।

ଏମିତି ମୁଁ ମୋ ଗାଁର ପ୍ରଥମ ଝିଅ ଏବଂ ମୋ ପରିବାରର ପ୍ରଥମ ଭାବେ ସ୍ନାତକ ଶିକ୍ଷା ଗ୍ରହଣ କଲି। ଏବେ ମୁଁ ଓଡ଼ିଶାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ଏସ୍‌କେସିଜି ସ୍ୱୟଂଶାସିତ କଲେଜରେ ଦୂର ଶିକ୍ଷା ମାଧ୍ୟମରେ ଇତିହାସ ବିଷୟରେ ସ୍ନାତକ ଶେଷ ବର୍ଷରେ ପଢୁଛି। 

ପ୍ରଥମେ ମୁଁ ଭାବିଥିଲି ଯେ ମୁଁ ନର୍ସିଂ କରିବି, କିନ୍ତୁ ମୋ ମାମୁଁ ମୋତେ ତା’ ବଦଳରେ ଶିକ୍ଷକତା ନେଇ ଉଦ୍ୟମ କରିବାକୁ ପରାମର୍ଶ ଦେଲେ। ମୁଁ ରାଜ୍ୟ ପରୀକ୍ଷା – ଓଟିଇଟି (ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ) ଦେଲି ଏବଂ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ଜଣେ ଶିକ୍ଷକ ହେବାକୁ ଯୋଗ୍ୟତା ହାସଲ କଲି। ଜଣେ ଶିକ୍ଷକ ଭାବେ ଛାତ୍ରଛାତ୍ରୀଙ୍କର ମୋ ପ୍ରତି ଶ୍ରଦ୍ଧା ଏବଂ ସେମାନଙ୍କ ସହ ସାରା ଜୀବନର ସମ୍ପର୍କ ଗଠନ କରିବାର ସୁଯୋଗକୁ ହିଁ ମୁଁ ଅଧିକ ଭଲ ପାଏ।

ଗତ ପାଞ୍ଚ ବର୍ଷ ଧରି ମୁଁ ରାୟଗଡ଼ା ଜିଲ୍ଲା କଇଁପୁରର ମହେନ୍ଦ୍ର ତନୟା ଆଶ୍ରମ ସ୍କୁଲ (ଏମ୍‌ଟିଏସ୍‌)ରେ ପ୍ରାଥମିକ ସ୍କୁଲ ଗଣିତ ଓ ବିଜ୍ଞାନ ପଢ଼ାଇ ଆସୁଛି। ଏହା ମୋ ଘର ପଣ୍ଡାସାହିଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ଏକ ଆବାସିକ ସ୍କୁଲ।

ମୋର ସ୍ନାତକ ପାଠପଢ଼ା ପାଇଁ ମୋତେ ମୋ ଛାତ୍ରଛାତ୍ରୀଙ୍କଠାରୁ ଶୀଘ୍ର ପ୍ରାୟ ସକାଳ ୪ଟାରୁ ଉଠିବାକୁ ହୁଏ। ରାତିରେ ଛାତ୍ରଛାତ୍ରୀମାନେ ବିଛଣାକୁ ଯିବା ପରେ ସାଧାରଣତଃ ମୁଁ ଘଣ୍ଟାଏ ବା ଦୁଇଘଣ୍ଟା ମୋର ସ୍ନାତକ ପରୀକ୍ଷା ପାଇଁ ପଢ଼େ। ବେଳେବେଳେ ମୁଁ ପର୍ଯ୍ୟାପ୍ତ ସମୟ ପାଏନାହିଁ ଏବଂ ମୋର ପ୍ରସ୍ତୁତି ଅସମ୍ପୂର୍ଣ୍ଣ ରହିଯାଏ। ଉଭୟକୁ ଚଳାଇବା କଷ୍ଟକର – କିନ୍ତୁ ମୁଁ ଦୃଢ଼ନିଶ୍ଚିତ। ଖାସ୍‌ କରି ଇଂରାଜୀ ବିଷୟଟି ମୋ ପାଇଁ କଷ୍ଟକର।

କଇଁପୁରରେ ଥିବା ଯେଉଁ ସ୍କୁଲରେ ମୁଁ ରହେ, ସେଠାରେ ନେଟ୍‌ୱର୍କ କଭରେଜ୍‌ ଖୁବ୍‌ ନିମ୍ନମାନର ଏବଂ ଅନ୍‌ଲାଇନ୍‌ରେ ପାଠ ପଢ଼ିବାର ପ୍ରଶ୍ନ ଉଠୁନାହିଁ। ତେଣୁ ପ୍ରତି ରବିବାର, ମୁଁ ଗୋଟିଏ ପଟେ ପ୍ରାୟ ୫୦ କିଲୋମିଟର ଯାତ୍ରା କରି ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୁ)ର ଜଣେ ପ୍ରଫେସରଙ୍କ ପକ୍ଷରୁ ନିଆଯାଉଥିବା ଏକ ଦୁଇ ଘଣ୍ଟିଆ ଶ୍ରେଣୀଗୃହ ଆଲୋଚନାରେ ଭାଗ ନିଏ। ଏହି ଶ୍ରେଣୀରେ ଆମେ ପ୍ରାୟ ୩୫ ଜଣ ଛାତ୍ରଛାତ୍ରୀ ଅଛୁ, ଆମେ ସମସ୍ତେ ଏବେ ଶେଷ ବର୍ଷ ପଢୁଛୁ। ଏହା ହିଁ ହେଉଛି ଏକମାତ୍ର ମାଧ୍ୟମ ଯାହା ଦ୍ୱାରା ମୁଁ ଦୂର ଶିକ୍ଷା ସହ ଯୋଡ଼ି ହୋଇ ରହିପାରିବି। 

ମୋର ଅଧିକାଂଶ ସାଙ୍ଗ ସେମାନଙ୍କର ହାଇସ୍କୁଲ ଶିକ୍ଷା ଶେଷ କରିବା ପରେ ବିବାହ କରିଗଲେ, ଏବଂ ସେମାନେ ବେଳେବେଳେ ମୋତେ ପଚାରନ୍ତି ମୁଁ କାହିଁକି ବିବାହ ନ କରିବାକୁ ବାଛୁଛି, ସ୍ଥିର ହୋଇ ଏକ ପରିବାର ଆରମ୍ଭ କରୁନାହିଁ। ମୁଁ ସେମାନଙ୍କୁ କହେ : ତୁମେ ଯଦି ମୋର ଘର ଅବସ୍ଥାକୁ ଦେଖିବ, ତୁମେ ବୁଝିପାରିବ କାହିଁକି ମୁଁ ଏମିତି ନିଷ୍ପତ୍ତି ନେଉଛି। ମୋ ବାପାମା’ ବୁଢ଼ା ହେଉଛନ୍ତି ଏବଂ ମୋର ସାନ ଭାଈଭଉଣୀମାନେ ନିଜ ଗୋଡ଼ରେ ଛିଡ଼ା ହେବା ମୁଁ ଦେଖିବାକୁ ଚାହୁଁଛି। 


ଏଠାକାର ଛୋଟ ଗାଁଗୁଡ଼ିକରେ, ଲୋକେ ଶିକ୍ଷାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବନ୍ତି ନାହିଁ। ତେଣୁ ବାପା ମା’ମାନେ ସେମାନଙ୍କ ପିଲାଙ୍କୁ ପଢିବାକୁ ଉତ୍ସାହିତ କରନ୍ତି ନାହିଁ। ତୁମେ ଦେଖିବ ସ୍କୁଲ ଯାଉ ନ ଥିବା କମ୍‌ ବୟସର ପିଲାମାନେ ମୋବାଇଲ୍‌ରେ ଲାଗି ରହିଛନ୍ତି ଏବଂ ଫୋନ୍‌ରେ ଖେଳିବା ପାଇଁ ମୋବାଇଲ୍‌ ସଂଯୋଗ ପାଇବା ଉଦ୍ଦେଶ୍ୟରେ ନିକଟସ୍ଥ ଗାଁକୁ ଚାଲିକରି ବା ସାଇକେଲ୍‌ରେ ଯାଉଛନ୍ତି। କୃଷିକୁ ହିଁ ଏକମାତ୍ର ବୃତ୍ତି ଭାବେ ଦେଖାଯାଏ।

ମୋର ବାପାମା’ କିମ୍ବା ମୋର ବଡ଼ ଭଉଣୀ କେହି ବି କେବେ ସ୍କୁଲ ଯାଇନାହାନ୍ତି। ଶିକ୍ଷକ ଭାବେ ମୋର ୧୦ ହଜାର ଟଙ୍କା ଦରମାରେ ମୁଁ ମୋର ଦୁଇ ସାନ ଭଉଣୀ ପୁଷ୍ପଲତା ଏବଂ ଲବଣୀକୁ ଶିକ୍ଷିତ କରାଇଛି, ଏବଂ ପ୍ରଥମ ଜଣକ ମଧ୍ୟ ଏବେ ଜଣେ ଶିକ୍ଷକ।

ମୋର ସମ୍ପ୍ରଦାୟଠାରୁ ମୁଁ ବହୁ ସମ୍ମାନ ପାଏ। ଆମ ଗାଁରେ ମୁଁ କରୁଥିବା କାମ ପାଇଁ ମୋ ବାପାମା’ ମଧ୍ୟ ସମ୍ମାନ ପାଆନ୍ତି ଏବଂ କେହି ବି ତାଙ୍କୁ କୁହନ୍ତି ନାହିଁ, ‘‘ତୁମେ କାହିଁକି ତାକୁ ପଢ଼ିବାକୁ ଦେଲ? ତାହା ନଷ୍ଟ।’’ ମୋ’ ଗାଁର ଝିଅମାନେ ମୋତେ ଅନୁସରଣ କରନ୍ତି ଏବଂ ମୁଁ କେମିତି ଏଠାରେ ପହଞ୍ଚିଲି ଜାଣିବାକୁ ଚାହାନ୍ତି। ମୁଁ ଅନୁଭବ କରେ ମୋ କାହାଣୀ ସେମାନଙ୍କୁ ମଧ୍ୟ ପଢ଼ିବା ପାଇଁ ଏବଂ ଭିନ୍ନ କ୍ୟାରିୟର ଚୟନ କରିବା ଦିଗରେ ପ୍ରୋତ୍ସାହିତ କରିବାରେ ସକ୍ଷମ।

ଏଠାରେ ଆମ ସ୍କୁଲରେ, ଯେହେତୁ ସମସ୍ତ ପିଲାମାନେ ଓଡ଼ିଶାରେ ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ ସଉରା ଆଦିବାସୀ ସମ୍ପ୍ରଦାୟର ତେଣୁ ଆମେ ସେମାନଙ୍କୁ ପଢ଼ାଇବା ପାଇଁ ସଉରା ଭାଷାର ବ୍ୟବହାର କରୁ। ରାଜ୍ୟର ଭାଷା – ଓଡ଼ିଶା – ସେମାନଙ୍କ ପାଇଁ ନୂଆ। ଆମେ ପଢ଼ାଇବା ପାଇଁ ସଉରା ବ୍ୟବହାର କରୁ ଯାହା ଫଳରେ ଶୀଘ୍ର ସହଜ ଅନୁଭବ କରନ୍ତି ଏବଂ ଶିକ୍ଷା ଗ୍ରହଣ କରନ୍ତି। ଆମେ ଚିତ୍ରାଙ୍କନ, ଗୀତ ଓ ନୃତ୍ୟ ବ୍ୟବହାର କରି ଅନେକଗୁଡ଼ିଏ ଶିକ୍ଷଣ କାର୍ଯ୍ୟକ୍ରମ କରାଉ।

ଆମର ସଉରା ନୃତ୍ୟ ମିଳିତ ଭାବେ ପୁରୁଷ ଓ ମହିଳାମାନଙ୍କ ଦ୍ୱାରା କରାଯାଏ। ସଉରା ନାଚଗୁଡ଼ିକ ପ୍ରାୟତଃ ହୋଲି, କାନ୍ଦୁଲ ପୂଜା (ଶୀତଦିନିଆ ଫସଲ କାନ୍ଦୁଲ ବା ହରଡ଼) ଏବଂ ଆମ୍ବ ପୂଜା (ଆମ୍ବ ଋତୁ ପାଇଁ) ଏବଂ ବିବାହ ଉତ୍ସବଗୁଡ଼ିକରେ ଅନୁଷ୍ଠିତ ହୋଇଥାଏ। ମୁଁ ଆମର ସଉରା ପରମ୍ପରା ବହୁ ଆଗକୁ ଯାଉ ବୋଲି ଚାହେଁ। ମୁଁ ମୋର ଚାରିପାଖରେ ଦେଖୁଛି ଯେ ଆମର ନୃତ୍ୟ ଆଉ ସର୍ବସାଧାରଣ ସ୍ଥାନରେ ଦେଖାଯାଉନାହିଁ। ଆମ ସଂପ୍ରଦାୟର ଅଧିକାଂଶ ପିଲା ଏ ସମ୍ପର୍କରେ ଜାଣନ୍ତି ବି ନାହିଁ !

ଯେତେବେଳେ ମୁଁ ମୋ’ ଗାଁକୁ ଫେରେ ସଉରା ଭାଷାରେ କଥାହୁଏ। ଆମର ପୂର୍ବପୁରୁଷମାନେ ଆମକୁ ଏହି ନୃତ୍ୟ ଶୈଳୀ ସହ ଛାଡ଼ିଯାଇଛନ୍ତି ଏବଂ ମୁଁ ଚାହେଁ ସମସ୍ତେ ଏହି ସଂସ୍କୃତିକୁ ମହତ୍ତ୍ୱ ଦିଅନ୍ତୁ। ଫେବ୍ରୃଆରୀ ୨୦୨୦ରେ, ମୁଁ ମୋର ୪ ଜଣ ଛାତ୍ରଛାତ୍ରୀଙ୍କ ସହ ଉତ୍ତରପ୍ରଦେଶର ରାଜଘାଟ ପବ୍ଲିକ୍ ସ୍କୁଲରେ ଆମର ସ୍ଥାନୀୟ ସଉରା ଲୋକ ନୃତ୍ୟକୁ ପଢ଼ାଇବା ଏବଂ ଉପସ୍ଥାପନ କରିବାର ସୁଯୋଗ ପାଇଥିଲି। ତାହା ଅତ୍ୟନ୍ତ ସ୍ୱତନ୍ତ୍ର ଅଭିଜ୍ଞତା ଥିଲା।


ମୋ’ ଗାଁ ରାୟଗଡ଼ା ବ୍ଲକ୍‌ର ପଣ୍ଡାସାହି ପୂର୍ବଘାଟ ପର୍ବତମାଳାର ଓଡ଼ିଶା ଭାଗର ପାଦଦେଶରେ ରହିଛି। ଆମ ଗାଁକୁ ଚାରିପାଖରେ ସବୁଜ ପାହାଡ଼ ପରିବେଷ୍ଟିତ କରି ରଖିଛି। ପ୍ରତି ଘରେ ଆମ୍ବ, କଦଳୀ, ଅମୃତଭଣ୍ଡା ଭଳି ଫଳ ଏବଂ ଚମ୍ପା ଓ ମଲ୍ଲୀ ଫୁଲର ଛୋଟ ବଗିଚା ରହିଛି।ଦକ୍ଷିଣଓଡ଼ିଶାର ଗଜପତି ଜିଲ୍ଲାରେ ଥିବା ଆମ ଗାଁରେ ୨୫ଟି ଘର ରହିଛି। ସବୁ ଲୋକେ ଏକ ଏକରରୁ କମ୍ ଜମିରେ ବର୍ଷା ଉପରେ ନିର୍ଭରଶୀଳ କୃଷିକାର୍ଯ୍ୟ କରନ୍ତି। ଏଠାରେ ଲୋକମାନେ ହୁଏତ ଚାଷ କରନ୍ତି ନହେଲେ ଦିନ ମଜୁରିଆ ଭାବେ କାମ କରିବାକୁ ବାହାରକୁ ଯାଆନ୍ତି। ପ୍ରତି ସପ୍ତାହରେ କିଛି ଲୋକଙ୍କର ଏକ ଗୋଷ୍ଠୀ ଶୌଚାଳୟ ସହିତ ଗାଁର ସଫେଇ କରନ୍ତି। ଆମ ପାଖରେ ଆର୍ବଜନାକୁ ଭିନ୍ନ ଭିନ୍ନ  ଆବର୍ଜନା ବାସ୍କେଟ୍‌ରେ ଅଲଗା କରିବାର ଏକ ବ୍ୟବସ୍ଥା ରହିଛି।

୨୦୦୭ରେ ଇନ୍ଦିରା ଆବାସ ଯୋଜନା ଅନୁସାରେ ସରକାର ଗୋଟିଏ ଘର ତିଆରି କରିବାକୁ ୫୦ ହଜାର ଟଙ୍କା ଦେଲେ। ଆମେ ସେଥିରେ ଆମ ନିଜର ଟଙ୍କା ମିଶାଇଲୁ ଏବଂ ୩ କୋଠରୀ ବିଶିଷ୍ଟ ଘରର ଚଟାଣରେ ଟାଇଲ୍ ବିଛାଇ ତାକୁ ଆଧୁନିକ କରିଦେଲୁ। ମୋ’ ବାପା ମା’ ନାରାୟଣ ଏବଂ ବ୍ରାହ୍ମଣୀ ଗମାଙ୍ଗ ହେଉଛନ୍ତି ଛୋଟ ଚାଷୀ ଯେଉଁମାନେ କି ଆମର ବ୍ୟବହାର ଲାଗି ଧାନର ସ୍ଥାନୀୟ ପ୍ରଜାତି ଯେପରିକି ଗଙ୍ଗା, ଗଣ୍ଠିଆ, ଜାନା ଏବଂ ସୋରିଷ ଚାଷ କରନ୍ତି। କାଜୁବାଦାମ ହେଉଛି ମୁଖ୍ୟଚାଷ ଯେଉଁଥିରୁ ସେମାନେ ବର୍ଷକୁ ୪୦,୦୦୦ ଟଙ୍କା ଯାଏ ରୋଜଗାର କରନ୍ତି। ଆମର ଏକ ଛୋଟ ବଗିଚା ରହିଛି ଯେଉଁଠାରେ ଆମେ ନିଜର ବ୍ୟବହାର ଲାଗି ପନିପରିବା ସହିତ ସପୁରୀ, କମଳା ଏବଂ ପଣସ ଉତ୍ପାଦନ କରୁ।

ମୋ’ ଗାଁରେ ଏକ ପ୍ରାଥମିକ ସ୍କୁଲ ଥିଲା। କିନ୍ତୁ ୨୦୨୦ରେ ତାହା ବନ୍ଦ ହୋଇଗଲା। ସେଠାରେ ପଢ଼ୁଥିବା ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଏବଂ ଜଣେ ଶିକ୍ଷକ ତଳମୁଣ୍ଡା ହାଇସ୍କୁଲକୁ ପଳାଇଲେ। ଯେତେବେଳେ ମୁଁ ବଡ଼ ହେଉଥିଲି ମୁଁ ଏହି ସ୍କୁଲରେ ପଢ଼ିଥିଲି ଯେଉଁଠାରେ ବର୍ତ୍ତମାନ ପଢ଼ାଉଛି-ଅଣ ସରକାରୀ ସଂଗଠନ ଗ୍ରାମ ବିକାଶ ମାଧ୍ୟମରେ ପରିଚାଳିତ ମହେନ୍ଦ୍ର ତନୟା ଆଶ୍ରମ ସ୍କୁଲ (ଏମ୍‌ଏଟିଏସ୍‌)। ଏହି ସ୍କୁଲରେ ମାତ୍ର ୭ମ ଶ୍ରେଣୀ ଯାଏ ପଢ଼ିବାର ବ୍ୟବସ୍ଥା ଥିଲା। ତେଣୁ ମୁଁ ଦଶମ ଶିକ୍ଷା ଶେଷ କରିବାକୁ ୨୦ କିମି ଦୂରରେ ଜିରାଙ୍ଗ ନିକଟରେ ଥିବା ବାଳିକା ଉଚ୍ଚ ପ୍ରାଥମିକ ସ୍କୁଲକୁ ଯାଇଥିଲି ଏବଂ ତା’ ପରେ ପୁଣି ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଲାଗି ଏକଲବ୍ୟ ଆଦର୍ଶ ସ୍କୁଲକୁ ଗଲି। ପାଠପଢ଼ା ଭିନ୍ନ ଅନ୍ୟାନ୍ୟ କାର୍ଯ୍ୟକଳାପରେ ମୋର ରୁଚି ଥିଲା। ବିଶେଷ କରି ମୁଁ ଦୌଡ଼ ପ୍ରତିଯୋଗିତାଗୁଡ଼ିକରେ ଭାଗ ନେବାକୁ ଭଲ ପାଉଥିଲି। ମୁଁ ରାଜ୍ୟସ୍ତରୀୟ ଦୌଡ଼ପ୍ରତିଯୋଗିତାଗୁଡ଼ିକରେ ଭାଗ ନେଇଥିଲି।

ସ୍କୁଲରେ ପାଠ୍ୟପୁସ୍ତକଗୁଡ଼ିକ ସ୍କୁଲ ପକ୍ଷରୁ ଦିଆଯାଉଥିଲା,  ଛାତ୍ରଛାତ୍ରୀଙ୍କୁ ଖାତା କିଣିବାକୁ ପଡୁଥିଲା। ଆମ ପାଖରେ ଖର୍ଚ୍ଚ କରିବାକୁ ଅଧିକ ଟଙ୍କା ନଥିଲା, କିନ୍ତୁ ମୋ’ ମା’ ସଞ୍ଚୟ କରୁଥିଲେ ଏବଂ ସ୍କୁଲ ଯାଉଥିବା ପ୍ରତି ପିଲାକୁ ବର୍ଷକ ଲାଗି ଖାତାର ଏକ ସେଟ୍ କିଣି ଦେଉଥିଲେ। ସେ ଆମର ଶିକ୍ଷା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁଥିଲେ।

ଏକ ଆବାସିକ ବିଦ୍ୟାଳୟରେ ପାଠ ପଢ଼ାଉଥିବା କାରଣରୁ ଜ୍ୟୋତ୍ସ୍ନାଙ୍କୁ ବିଦ୍ୟାଳୟରେ ନିଜ କର୍ତ୍ତବ୍ୟ ସମ୍ପାଦନ କରିବା ସହିତ ନିଜର ସ୍ନାତକ ଡିଗ୍ରୀ ପାଇଁ ପାଠ ପଢ଼ିବାକୁ ପଡ଼ୁଛି ଶର୍ବାଣୀ ଚଟ୍ଟୋରାଜ ଉଠାଇଥିବା ଫଟୋ

ମୋର ଦୁଇଜଣ ଭାଇଭଉଣୀ ବିବାହ କରିଛନ୍ତି। ମୋ’ ବଡ଼ଭାଇ ବୁଦ୍ଧ ଚେନ୍ନାଇରେ ରହିବା ସହିତ ଏକ ନିର୍ମାଣ କଂପାନିରେ କାମ କରନ୍ତି ଏବଂ ମୋ’ର ବଡ଼ ଭଉଣୀ ରେବତୀ ବିବାହ କରିଛନ୍ତି। ମୋ’ ଭାଇ ସୁଶାନ୍ତ ସ୍କୁଲ ଶିକ୍ଷା ଶେଷ କରିଛି ଏବଂ ଏବେ ଏକ ଛୋଟ ଦୋକାନ ଚଳାଉଛି। ଘରେ ସେହି ଦୋକାନ ଖୋଲିବାକୁ ମୁଁ ତାକୁ ସାହାଯ୍ୟ କରିଛି। ସେହି ଦୋକାନରେ ଘରକରଣା ଜିନିଷପତ୍ରର ବିଭିନ୍ନ ଭେରାଇଟି ସହିତ ସହ ଗ୍ରୋସେରି, ସାବୁନ, ଖାଇବା ତେଲ, ସଫ୍ଟ ଡ୍ରିଙ୍କ ଏବଂ ଆଳୁ ଓ ପିଆଜ ଭଳି ପରିବା ମିଳିଥିାଏ। ମୁଁ ମୋର ଭଉଣୀ ସେବାପଥିକୁ ଏକ ସିଲେଇ ମେସିନ୍ କିଣି ଦେଇଛି। ସେ ଟେଲରିଂରୁ ରୋଜଗାର କରୁଥିବା ଟଙ୍କା ଘରର ଖର୍ଚ୍ଚ ପାଇଁ ଦେଉଛି। 

ଆଜି ବାପା ମା’ମାନେ ସେମାନଙ୍କର ପିଲାକୁ ସ୍କୁଲକୁ ଆଣୁଛନ୍ତି ଏବଂ କହୁଛନ୍ତି, “ଆମେ ୟାକୁ ତୁମ ସହ ଛାଡ଼ୁଛୁ। ତୁମେ ଏମାନଙ୍କର ଯତ୍ନ ନିଅ।’’ ସେମାନଙ୍କର ଏବେ ଶିକ୍ଷା ଉପରେ ବିଶ୍ୱାସ ରହିଛି। ଲକ୍‌ଡାଉନ୍ ସମୟରେ ଯେତେବେଳେ ସ୍କୁଲଗୁଡ଼ିକ ବନ୍ଦ ଥିଲା ସେତେବେଳେ ମୁଁ ଗାଁକୁ ଫେରିଯାଇଥିଲି। ମୁଁ ପାଠପଢ଼ାଇବା ବନ୍ଦ କରିନଥିଲି। ମୋ’ର ଗାଁର ପିଲାମାନଙ୍କର କ୍ଲାସ୍ ନେଉଥିଲି। ସକାଳ ୭-୯ ଯାଏ ଗୋଟିଏ ଶ୍ରେଣୀର ପିଲାଙ୍କୁ ପଢ଼ାଉଥିଲି। ସନ୍ଧ୍ୟାରେ ୬-୮ ଯାଏ ପୁଣି ପଢ଼ାଉଥିଲି। ମଝି ସମୟରେ ମୁଁ କ୍ଷେତ ଓ ଘରକାମରେ ସହାୟତା କରୁଥିଲି।

ଏହି ଯାତ୍ରାରେ ମୋତେ ମୋର ବହୁ ଶିକ୍ଷକ ସହାୟତା କରିଛନ୍ତି। ମୋ ସ୍କୁଲ ଏମ୍‌ଟିଏଏସ୍‌ର ପ୍ରଧାନ ଶିକ୍ଷକ ଅମରେଶ ଚିତ୍ରକାରୀ ମୋତେ ସମର୍ଥନ କଲେ ଏବଂ କହିଲେ ମୁଁ ସେମିତି କାହାରିକୁ ବିବାହ କରିବା ଉଚିତ ନୁହେଁ ଯିଏ ମୋର କ୍ୟାରିୟରରେ ସହଯୋଗ କରିବେ ନାହିଁ। ଦଶମ ଶ୍ରେଣୀରେ ଥିବା ମୋର ସଂସ୍କୃତ ଶିକ୍ଷକ ଶ୍ରୀକାନ୍ତ ଶତପଥୀ ମୋତେ ଗଣିତ ଶିକ୍ଷକ ଅବିନାଶଙ୍କ ଭଳି ନୂଆ ସୁଯୋଗ ହାସଲ କରିବାକୁ ଉତ୍ସାହିତ କଲେ।

ମୁଁ ଏଜୁକେସନରେ ସ୍ନାତକ ଶିକ୍ଷା ହାସଲ କରିବାକୁ ଯୋଜନା କରୁଛି, ଯେପରିକି ସ୍କୁଲରେ ଉଚ୍ଚ ଶ୍ରେଣୀର ପିଲାଙ୍କୁ ପଢ଼ାଇ ପାରିବି। ସ୍ନାତକ ଶିକ୍ଷା ହାସଲ କରିବା ପରେ ମୁଁ ଏହା କରିବି। ସ୍କୁଲରେ ପଢ଼ାଇବା ସହ ନିଜର ପାଠପଢ଼ା ସମ୍ପୂର୍ଣ୍ଣ କରିବା ମୋ ପାଇଁ ବେଳେବେଳେ କ୍ଲାନ୍ତିକର ଓ କଷ୍ଟସାଧ୍ୟ ହୋଇଯାଏ। କିନ୍ତୁ ମୁଁ ଏହାକୁ ଏକ ବୋଝ ଭାବେ ଦେଖୁନାହିଁ ; ଏହା ମୋର ଦାୟିତ୍ୱ।

ଏହି କାହାଣୀକୁ ପ୍ରକାଶ କରିବାରେ ସାହାଯ୍ୟ ଓ ସହଯୋଗ ପାଇଁ ଓଡ଼ିଶା ଗ୍ରାମ ବିକାଶ ଆବାସିକ ବିଦ୍ୟାଳୟ ସମୂହର ନବସୃଜନ ଓ ରଣନୀତି ପ୍ରବନ୍ଧକ ଶର୍ବାଣୀ ଚଟ୍ଟୋରାଜଙ୍କୁ ପରୀ ଏଜୁକେସନ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଉଛି

ପରୀ ହୋମପେଜ୍‌କୁ ଯିବା ଲାଗି, ଏଠାରେ କ୍ଲିକ୍‌ କରନ୍ତୁ

Editor's note

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ