
ଲକ୍ଡାଉନ ପୂର୍ବରୁ ଓନିଏଲଙ୍କର ଏକ ନିର୍ଦ୍ଧାରିତ ଦିନଚର୍ଯ୍ୟା ଥିଲା। ‘‘ସୋମବାର, ବୁଧବାର ଏବଂ ଶୁକ୍ରବାର ମୁଁ ବାନ୍ଦ୍ରା କୋଜିମରେ ପ୍ରଶିକ୍ଷଣ ଦେଉଥିଲି, ଏବଂ ଅନ୍ୟ ଦିନରେ ଦକ୍ଷିଣ ମୁମ୍ବାଇର ମରାଇନ୍ ଲାଇନ୍ସ ଇସଲାମ ଜିମଖାନାରେ ମୁଁ ଥାଏ। ଗତ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଧରି ମୁଁ ଏହା କରି ଆସୁଥିଲି,’’ ୪୩ ବର୍ଷୀୟ ଫୁଟବଲ ପ୍ରଶିକ୍ଷକ ଓନିଏଲ କ୍ଲାରେନ୍ସ କାଳୀଚରଣ ଏହା କହିଥିଲେ ।
କୋଭିଡ-୧୯ ଏବଂ ଏହା ପରବର୍ତ୍ତୀ ଲକଡାଉନ ସବୁକିଛି ବଦଳାଇ ଦେଲା। ମାର୍ଚ୍ଚ ୨୫, ୨୦୨୦ରେ ସବୁ ପ୍ରକାର ଗତିବିଧିକୁ ହଠାତ୍ ବନ୍ଦ କରି ଦିଆଗଲା। ପେଟ ପୋଷିବା ଲାଗି ସେ ବାଧ୍ୟ ହୋଇ ଫୁଟବଲ ପ୍ରଶିକ୍ଷଣ ପେସା ଛାଡ଼ିଲେ ଏବଂ ନିଜ ପରିବାରର ମାଛଧରା ବେଉସାକୁ ଫେରି ଆସିଥିଲେ।
‘‘ଲକଡାଉନ ଯୋଗୁଁ ଦିନକୁ ତିନି ଥର ମାଛ ଧରା ଆରମ୍ଭ କରିବା ଛଡ଼ା ମୋ ପାଖରେ ଆଉ କୌଣସି ବିକଳ୍ପ ନଥିଲା,’’ ଆମକୁ ସାକ୍ଷାତ କରିବା ସମୟରେ ଓନିଏଲ କ୍ଲାରେନ୍ସ କାଳୀଚରଣ କହିଥିଲେ। ‘ମେରୀ ଅଫ୍ ନାଜରଥ’ ନାମକ ତାଙ୍କ ଡଙ୍ଗାରେ ସମୁଦ୍ରର ଉତ୍ତାଳ ଲହଡ଼ି ମାଡ଼ ହେଉଥିଲା। ବାନ୍ଦ୍ରା ରିକ୍ଲେମେସନଠାରେ ଆରବ ସାଗର କୂଳରେ ତାଙ୍କ ଡଙ୍ଗା ଲଙ୍ଗର ପକାଇଥିଲା।
ମୁମ୍ବାଇର ରଣୱାର ଗାଁରେ ସେ ନିଜର ୪୮ ବର୍ଷୀୟ ଭାଇ ସଞ୍ଜୟଙ୍କ ସହିତ ରହିଥାନ୍ତି । ମତ୍ସ୍ୟଜୀବୀ ଚଲ୍ରେ ଥିବା ତାଙ୍କ ଘରେ ଅଧା ଡଜନରୁ ଅଧିକ ଫୁଟବଲ୍ ଟ୍ରଫି ଶୋଭା ପାଉଛି । ରୋଷେଇ ଘର ଥିବା ବଖୁରିକିଆ କୋଠରୀରେ ଏକ ଛୋଟିଆ ଫ୍ରିଜ୍ ଅଛି ଯେଉଁଥିରେ ସେମାନେ ଧରିଥିବା ମାଛ ରଖିଥାନ୍ତି ।


ଓନିଏଲ କୁହନ୍ତି, ଜଣେ ଯୁବକ ଭାବେ ଫୁଟବଲ ପ୍ରତି ତାଙ୍କର ବିଶେଷ ଆଗ୍ରହ ବେଶ ସ୍ପଷ୍ଟ ଥିଲା। ମାତ୍ର ୧୬ ବର୍ଷ ବୟସରେ ସେ ନିଜର ଏକ ମହିଳା ଫୁଟବଲ ଦଳ ‘ବାନ୍ଦ୍ରା ପ୍ୟାକର୍ସ’ ୨୦୦୦ ମସିହାରେ ଆରମ୍ଭ କରିଥିଲେ। ଚାରି ବର୍ଷ ପରେ, ଜଣେ ପ୍ରଶିକ୍ଷକ ଭାବେ ଆଗକୁ ବଢ଼ିବା ଲାଗି ସେ ଅସମର୍ଥ ହେଲେ, ଏହି ସମୟରେ ଷ୍ଟାର ପ୍ରଫେସନାଲର ସାଉଣ୍ଡ ଡିପାର୍ଟମେଣ୍ଟରେ ତାଙ୍କୁ ଚାକିରି ମିଳିଥିଲା। ‘‘ଏଠି କମ୍ ଦରମାରେ ଅଧିକ କାମ କରିବାକୁ ପଡ଼ୁଥିଲା। ମୋର ଟଙ୍କା ଦରକାର ଥିଲା, ତେଣୁ ମୁଁ ଏଠି ଚାରି ବର୍ଷ କାମ କଲି । ଶେଷରେ, ୨୦୦୭ରେ ମୁଁ ଉପଯୁକ୍ତ, ପୂର୍ଣ୍ଣକାଳୀନ ଫୁଟ୍ବଲ ପ୍ରଶିକ୍ଷଣ ଆରମ୍ଭ କଲି,’’ ସେ କହିଥିଲେ ।
ଫୁଟବଲ ଏବଂ ପ୍ରଶିକ୍ଷଣ କୌଶଳ କାରଣରୁ ତାଙ୍କୁ ଇସଲାମ ଜିମଖାନା ଏବଂ ବାନ୍ଦ୍ରାରେ ଥିବା ବାନ୍ଦ୍ରା କୋଜିମ୍ରେ ପ୍ରଶିକ୍ଷକ ଚାକିରି ମିଳିଲା। ‘‘ଏହି କାମ ଆଦୌ ବ୍ୟସ୍ତତାପୂର୍ଣ୍ଣ ନଥିଲା ଏବଂ ମୁଁ ଖୁସିଥିଲି,’’ ମାସିକ ୮,୦୦୦-୯,୦୦୦ ଟଙ୍କା ରୋଜଗାର ହେଉଥିବା ନିଜର ସାପ୍ତାହିକ ପ୍ରଶିକ୍ଷଣ କାମର କାର୍ଯ୍ୟସୂଚୀ ବିଷୟରେ ସେ କହିଥିଲେ।
କିଶୋରାବସ୍ଥାରେ, ପରିବାରକୁ ସହାୟତା କରିବା ଲାଗି ଓନିଏଲ ବିଭିନ୍ନ କାମ କରିଥିଲେ। ‘‘ମୁଁ ଜନ୍ମ ହେବା ପୂର୍ବରୁ ମୋ ବାପା ଆରପାରିକୁ ଚାଲିଯାଇଥିଲେ; ମୁଁ ତାଙ୍କୁ କେବେ ଦେଖିନାହିଁ,’’ ସେ କୁହନ୍ତି । ତାଙ୍କ ମା’ ଅନ୍ୟମାନଙ୍କ ଘରେ କାମ କରୁଥିଲେ, ୩-୪ ଜଣଙ୍କ ଘରେ କାମ କରି ମାସକୁ ସେ ୨,୦୦୦ ଟଙ୍କା ରୋଜଗାର କରୁଥିଲେ। ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରେ, ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା। ଏହି କାରଣରୁ ଓନିଏଲଙ୍କୁ ସ୍କୁଲ ପାଠପଢ଼ା ଛାଡ଼ି କାମ ଖୋଜିବାକୁ ପଡ଼ିଲା।
୧୯୯୯ରେ, ୧୫ ବର୍ଷ ବୟସରେ, କାଜେ କେବୁଲ୍ସର ମାଲିକ ଥିବା ତାଙ୍କର ଜଣେ ବନ୍ଧୁଙ୍କ ପାଖରେ ସେ କାମ ଆରମ୍ଭ କଲେ। ‘‘ସାଉଣ୍ଡ କେବୁଲ ସମ୍ପର୍କରେ ମୋ ସାଙ୍ଗ ମୋତେ ସବୁକିଛି ଶିଖାଇ ଦେଇଥିଲା। ଆରମ୍ଭରୁ ମୋ ଦରମା ମାସିକ ୭୫୦ ଟଙ୍କା ଥିଲା ଏବଂ ଧୀରେ ଧୀରେ ମୁଁ ମାସିକ ଦୁଇରୁ ତିନି ହଜାର ଟଙ୍କା ରୋଜଗାର କଲି,’’ ପ୍ରଶିକ୍ଷକ ହେବା ପୂର୍ବର ଘଟଣା ସମ୍ପର୍କରେ ମନେ ପକାଇ ସେ କହିଥାନ୍ତି ।



ଗତ ୨୦ ମାସ ଧରି ସେ ମାଛ ଧରା କାମ କରି ଆସୁଛନ୍ତି । ଦିନ ଭଲ ଥିଲେ ସେ ଦୁଇରୁ ତିନି ଡଜନ ମୁଲେଟ୍, ଡୋଲସ, ଖଜରୀ, କ୍ୟାଟ୍ଫିସ, ଏକରୁ ଓ କଙ୍କଡ଼ା ଧରିଥାନ୍ତି ଯାହାକୁ ସେ ମୁମ୍ବାଇର ଖାର୍ରେ ଥିବା ଖାର୍ ଦଣ୍ଡା ବଜାରରେ ବିକ୍ରି କରି ୬୦୦ରୁ ୮୦୦ ଟଙ୍କା ରୋଜଗାର କରିଥାନ୍ତି । ବେଳେବେଳେ ସେ ମାତ୍ର ୨୦୦ରୁ ୩୦୦ ଟଙ୍କା ରୋଜଗାର କରନ୍ତି । ‘‘ମାଛ ଧରାକୁ ନେଇ ଆମେ କେବେ ନିଶ୍ଚିତ ହୋଇପାରିବୁ ନାହିଁ । ତେଣୁ ଆୟ ସବୁବେଳେ ଅନିଶ୍ଚିତ ଥାଏ,’’ ସେ ଆମକୁ କହିଥିଲେ।
ଦୁଇ ଭାଇ ଅବଲମ୍ବନ କରୁଥିବା ମାଛ ଧରା ପଦ୍ଧତିକୁ ସେମାନେ ‘ବାହନ ମାଛଧରା ପ୍ରଣାଳୀ’ ବୋଲି କହିଥାନ୍ତି: ଆରବ ସାଗରରେ ଜୁଆର କମିଗଲେ ସେମାନେ ଏକ ନାଇଲନ୍ ଜାଲକୁ ବିଛାଇ ଦେଇଥାନ୍ତି ଏବଂ ତା’କୁ ବାଡ଼ି ଓ ପଥର ସହାୟତାରେ ବାନ୍ଧି ଦିଅନ୍ତି । ଏହିପରି ସେମାନେ ଏକ ଗୋଲାକାର ଜାଲ ପ୍ରସ୍ତୁତ କରିଥାନ୍ତି ଏବଂ ପାଣି ବଢ଼ିଲେ ମାଛମାନେ ସେଥିରେ ଲାଖି ଯାଇଥାନ୍ତି । ସମୁଦ୍ର ପାଣି କମିଲେ ସେମାନେ ଜାଲ ବାହାର କରି ଦିଅନ୍ତି ।
ଏହା ଏକ ରେଡ୍ କାର୍ଡ
ଓନିଏଲ ଏବଂ ତାଙ୍କ ଭାଇ ଏପରି ଭାବେ ଲକଡାଉନ୍ ସମୟକୁ ବିତାଇ ଚାଲିଥିଲେ, ଇତିମଧ୍ୟରେ ମେ ୨୦୨୧ରେ ତାଉକତେ ବାତ୍ୟା ମୁମ୍ବାଇ ଉପକୂଳରେ ମାଡ଼ ହୋଇଥିଲା। ‘‘ପୂର୍ବରୁ ଆମେ କେବଳ ଟିଭିରେ ବାତ୍ୟା ଦେଖିଥିଲୁ, କିନ୍ତୁ ବାସ୍ତବ ଜୀବନରେ କେବେ ଅନୁଭବ କରିନଥିଲୁ, ପ୍ରଥମ ଥର ପାଇଁ ଆମେ ଏହାର ସମ୍ମୁଖିନ ହୋଇଥିଲୁ। ଆମେ ଡଙ୍ଗାର ଉଭୟ ପାର୍ଶ୍ୱକୁ ବାନ୍ଧି ଦେଇଥିଲୁ ଓ ଲଙ୍ଗର ପକାଇ ଦେଇଥିଲୁ ଏବଂ ଏହାକୁ ବାନ୍ଦ୍ରା ରିକ୍ଲେମେସନ ନିକଟସ୍ଥ ମାହିମ୍ ଉପକୂଳରେ ପାର୍କ କରି ଦେଇଥିଲୁ। ବାତ୍ୟାରେ ରଶି ଛିଣ୍ଡିଗଲା ଏବଂ ପବନରେ ଡଙ୍ଗା ଉଡ଼ି ଯାଇ ପଥରେ ପିଟି ହୋଇଯାଇଥିଲା। ଆମ ଡଙ୍ଗା ଗମ୍ଭୀର ଭାବେ ନଷ୍ଟ ହୋଇଯାଇଥିଲା,’’ ସେ କହିଥିଲେ ।


ଆଠ ମାସ ବିତିଗଲାଣି, ଦୁଇ ଭାଇଙ୍କ ହାତରେ କିଛି କାମଧନ୍ଦା ନାହିଁ । ଓନିଏଲ ଘର ସଫେଇ ଓ ରଙ୍ଗ କାମ ଭଳି ଛୋଟମୋଟ କାମ କରୁଛନ୍ତି । ତାଙ୍କର ପ୍ରଶିକ୍ଷଣ କାମ ଆରମ୍ଭ ହୋଇଛି କିନ୍ତୁ ଖେଳାଳୀଙ୍କ ସଂଖ୍ୟା ଓ ତଦନୁଯାୟୀ ତାଙ୍କର ରୋଜଗାର ମଧ୍ୟ ହ୍ରାସ ପାଇଛି । ‘‘ଛଅ ମାସ ପାଇଁ ମାତ୍ର ୨ରୁ ୩ ଜଣ ପିଲା ଆସିଥିଲେ । ଗତ ଦୁଇ ମାସ (ଜୁଲାଇ ଓ ଅଗଷ୍ଟ) ହେବ ଜଣେ ହେଲେ ପିଲା ନଆସିବାରୁ ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି’’, ସେ କହିଥିଲେ ।
ଲାଇସେନ୍ସର ଅବଧି ଶେଷ ହୋଇସାରିଥିବାରୁ ଓନିଏଲ ଏବଂ ତାଙ୍କ ଭାଇଙ୍କୁ ଭାଙ୍ଗି ଯାଇଥିବା ଡଙ୍ଗା ପାଇଁ କୌଣସି କ୍ଷତିପୂରଣ ମିଳିଲା ନାହିଁ । ‘‘କୌଣସି ପ୍ରକାର ସରକାରୀ ସହାୟତା, ଏପରିକି ଏହି ପ୍ରସଙ୍ଗରେ ବୀମା ଦାବି କରିବା ପାଇଁ ଡଙ୍ଗାର ପଞ୍ଜୀକରଣ ସଂଖ୍ୟା ସହିତ ବୈଧ ପ୍ରମାଣପତ୍ର ଓ ବୀମା କାଗଜପତ୍ର ଆବଶ୍ୟକ ହୋଇଥାଏ, କିନ୍ତୁ ଏ ସମ୍ପର୍କରେ ଅଧିକାଂଶ ମତ୍ସ୍ୟଜୀବୀ ଅବଗତ ନଥାନ୍ତି । କାଗଜପତ୍ରର ଏକ ବୈଧ ଅବଧି ମଧ୍ୟ ରହିଥାଏ,’’ ଓନିଏଲ ପ୍ରତିନିଧିତ୍ୱ କରୁଥିବା ଏକ ମତ୍ସ୍ୟଜୀବୀ ସମିତିର ଜଣେ ସଦସ୍ୟ (ନାମ ଗୋପନ ରଖିବା ସର୍ତ୍ତରେ) କହିଥିଲେ ।
‘‘ପଞ୍ଜୀକରଣ ସଂଖ୍ୟା ନବୀକରଣ କରିବାକୁ ହେବ ବୋଲି ଆମେ ଜାଣିନଥିଲୁ ଏବଂ ଯେତେବେଳେ ଆମେ ଏ ସମ୍ପର୍କରେ ଜାଣିଲୁ ସେତେବେଳକୁ ବିଳମ୍ବ ହୋଇସାରିଥିଲା,’’ ଓନିଏଲ କହିଥିଲେ। ‘‘ଆମକୁ ଏବଂ ଆମର କଷ୍ଟ ବିଷୟରେ ଜାଣିଥିବା କିଛି ଲୋକ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଦେବାକୁ ଆଗେଇ ଆସିଥିଲେ । କିଛି ଲୋକ ଆମକୁ ଡାଲି ଓ ଚଣା ଦେଇଥିଲେ। ଡଙ୍ଗା ନଥିଲେ ଆମେ ମତ୍ସ୍ୟଜୀବୀମାନେ ବଞ୍ଚିବୁ କେମିତି?’’ ସେ ପଚାରିଥାନ୍ତି ।
ପ୍ରଶିକ୍ଷକ ଓନିଏଲ ଏବେ ନିଜକୁ ମତ୍ସ୍ୟଜୀବୀ ଭାବେ ପରିଚୟ ଦେଉଛନ୍ତି ।
ଲକଡାଉନରେ ପ୍ରଭାବିତ ଲୋକମାନଙ୍କ ଜୀବନକୁ ନେଇ ପ୍ରସ୍ତୁତ ଏକ ଶୃଙ୍ଖଳାର ଏକ ଅଂବିଶେଷ ଭାବେ ଏ କାହାଣୀ ପ୍ରସ୍ତୁତ କରାଯାଇଛି । ଏହି ସହାଭାଗିତାକୁ ଆଗକୁ ବଢ଼ାଇଥିବାରୁ ପରୀ ଏଜୁକେସନ ଟିମ ପକ୍ଷରୁ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜ (ସ୍ୱୟଂଶାସିତ) ର ପ୍ରଫେସର ଅକ୍ଷରା ପାଠକ ଯାଦବ ଏବଂ ପେରୀ ସୁବ୍ରମଣ୍ୟମଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଉଛି
ପରୀ ହୋମପେଜ୍କୁ ଫେରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ
Editor's note
ଋତୁଜା ଗୈଧାନୀ ଏବଂ ସୃଷ୍ଟି ମୂରଲୀ ସେଣ୍ଟ ଜେଭିୟର୍ସ କଲେଜ (ସ୍ୱୟଂଶାସିତ), ମୁମ୍ବାଇରେ ଗଣଯୋଗାଯୋଗ ଓ ସାମ୍ବାଦିକତାର ଦ୍ୱିତୀୟ ବର୍ଷର ବିଦ୍ୟାର୍ଥୀ। ପରୀ ଏଜୁକେସନ ସହିତ ମିଶି ସେମାନଙ୍କର କଲେଜ ପାଠ୍ୟକ୍ରମର ଅଂଶବିଶେଷ ସ୍ୱରୂପ, ଲକଡାଉନରେ ପ୍ରଭାବିତ ଜୀବନ ଅଧୀନରେ, ମୁମ୍ବାଇ ବାନ୍ଦ୍ରାର ମତ୍ସ୍ୟଜୀବୀ ସମୁଦାୟ ଉପରେ କୋଭିଡ-୧୯ର ପ୍ରଭାବ ଉପରେ ଲେଖିବା ଲାଗି ସେମାନେ ଚୟନ କରିଥିଲେ। ଋତୁଜା କୁହନ୍ତି, ‘‘ପରୀ ସହ ଯୋଡ଼ି ହେବା ଦ୍ୱାରା ଆମେ ସାମ୍ବାଦିକତା ଶୈଳୀରେ ଲେଖିବା ଶିଖିପାରିବୁ ବୋଲି ଭାବିଥିଲୁ, କିନ୍ତୁ ଆମେ ଆହୁରି ଅନେକ କଥା ଶିଖିଲୁ, ବିଶେଷ କରି ନିର୍ଦ୍ଦିଷ୍ଟ ଲୋକମାନଙ୍କ ସ୍ୱର କିଭଳି ସାମ୍ନାକୁ ଆଣି ହେବ ତାହା ଆମେ ଜାଣିଥିଲୁ। ସୃଷ୍ଟି କୁହନ୍ତି : ‘‘ଆମେ ଶିଖିଲୁ ଯେ ସାମ୍ବାଦିକତା ହେଉଛି ତଥ୍ୟ ଅନୁସନ୍ଧାନ କରିବା- ଏବଂ ଏହା – କେବଳ କାହାଣୀ ପ୍ରସ୍ତୁତ କରିବା ଲାଗି ସୂଚନା ସଂଗ୍ରହ କରିବା ନୁହେଁ ବରଂ ଲୋକମାନଙ୍କୁ ଜାଣିବାର ଏକ ପ୍ରକ୍ରିୟା। ଅନ୍ୟ ଜଣଙ୍କ ଦୃଷ୍ଟିକୋଣରୁ ଜୀବନକୁ ବୁଝିବା ଲାଗି ଚେଷ୍ଟା କରିବାରେ ଏହା ଏକ ଉତ୍ସାହପ୍ରଦ ଅନୁଭୂତି ଥିଲା।’’
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।