‘‘ଲାଇ ହୁଶରଆହେ। ସେ ଖୁବ୍‌ ଚାଲାକ। କଥା କହିପାରିବ ନାହିଁ କିନ୍ତୁ ଆମେ ଯାହା କହୁଛୁ ସେ ସବୁକିଛି ବୁଝିପାରିବ’’, ତାଙ୍କର ନଅ ବର୍ଷୀୟା ଝିଅକୁ ସ୍ନେହରେ ଚାହିଁ ଜୟା କୁହନ୍ତି। ମା’ଙ୍କ କଥା ଶୁଣି, ଲକ୍ଷ୍ମୀ ଏବେ ହସୁଛି, ଏମିତିକି ସେ ଖିଲି ଖିଲି ହୋଇ ହସୁଛି।

ଜୟା କୁହନ୍ତି, ‘‘ମୁଁ ଯୁଆଡ଼େ ଯାଏ, ସମସ୍ତେ ତା’ ପ୍ରତି ଦୟା  (ଯତ୍ନଶୀଳତା) ଓ ମାୟା (ସ୍ନେହ) ସହିତ ସହାନୁଭୂତି ପ୍ରଦର୍ଶନ କରିଥାନ୍ତି। ମୁଁ ଏକ ପ୍ରକାରରେ, ମୋ ଝିଅକୁ ନେଇ ଗର୍ବ ଅନୁଭବ କରିଥାଏ।’’

ଟିଣ ଚାଦର ଘେରା ଗୋଟିକିଆ ଝରକାରେ ଥିବା ଛୋଟିଆ ଫାଙ୍କ ଦେଇ ଅପରାହ୍ଣ ସୂର୍ଯ୍ୟ କିରଣର ଏକ ଉଜ୍ଜ୍ୱଳ ଆଲୋକ ଘର ଭିତରକୁ ପଡ଼ିଛି। ସିମେଣ୍ଟ କାନ୍ଥକୁ ଲାଗିଥିବା ଦୁଇଟି ଆଲୁମିନିୟମ ଥାକ ଏବଂ ଗୋଟିଏ ଗ୍ୟାସ ସିଲିଣ୍ଡର, ଏକ ମିକ୍ସର ଗ୍ରାଇଣ୍ଡର, ଔଷଧ, ଆଉ ଗୋଟିଏ ଥାକରେ ଥିବା ବାସନକୁସନ, ଏତିକି ହିଁ ସେହି ବୁଖୁରିକିଆ ଘରର ମୁଖ୍ୟ ଜିନିଷ।

ଅପରାହ୍ଣ ୩ଟା ପାଖାପାଖି ସମୟ ହେଲାଣି, ତଥାପି ଘରୋଇ ଶ୍ରମିକ ଜୟା ମଧ୍ୟାହ୍ନ ଭୋଜନ କରିନାହାନ୍ତି। ଷ୍ଟୋଭରେ ବସିଥିବା ଡାଲିରେ ପଡ଼ିବା ଲାଗି କଟା ହୋଇଥିବା ପିଆଜ ଏକ ପ୍ଲେଟରେ ଥୁଆ ହୋଇଛି। ପ୍ରଥମେ ସେ କ୍ଷୀରରେ ଭିଜାଇଥିବା ଭାକରୀ  (ବାଜରା ଅଟାରେ ତିଆରି ହୋଇଥିବା ଖଣ୍ଡେ ମୋଟା ରୁଟି)କୁ ଲକ୍ଷ୍ମୀଙ୍କୁ ଖୁଆଇ ଦିଅନ୍ତି। ଲକ୍ଷ୍ମୀ କେବଳ ତରଳ ଖାଦ୍ୟ ଖାଇପାରିବେ ଏବଂ ମା’ ତାଙ୍କୁ ଚାମଚରେ ଖୁଆଇ ଦେଇଥାନ୍ତି, ପାଟି କଡ଼ରେ ବୋହି ଯାଉଥିବା ଖାଦ୍ୟକୁ ହାତରେ ଧରିଥିବା ଏକ କପଡ଼ାରେ ପୋଛି ଦିଅନ୍ତି।

ଜୟାଙ୍କ ଝିଅ ଲକ୍ଷ୍ମୀ ଜନ୍ମରୁ ସେରେବ୍ରାଲ ପାଲସୀ ପୀଡ଼ିତ ଥିଲା। ‘‘ଜନ୍ମ ହେବା ସମୟରେ ସେ କାନ୍ଦି ନଥିଲା। ଡାକ୍ତରମାନେ କେବଳ କହିଥିଲେ ଯେ ତା’ର ମସ୍ତିଷ୍କକୁ ଯଥେଷ୍ଟ ପରିମାଣରେ ରକ୍ତ ସଞ୍ଚାଳନ ହେଉ ନାହିଁ ଏବଂ ସେମାନେ ଏଥିପାଇଁ ତା’କୁ ଔଷଧ ଦେଇଥିଲେ। ପାଞ୍ଚ ବର୍ଷ ପରେ ସେ ଚାଲିବା ଏବଂ କଥା କହିବା ଆରମ୍ଭ କରିବ ବୋଲି ସେମାନେ ମୋତେ ଆଶ୍ୱାସନା ଦେଇଥିଲେ’’, ଜୟା କୁହନ୍ତି। ଡିସେମ୍ବର ମାସର ସେହି ଥଣ୍ଡା ଦିନ କଥା ତାଙ୍କର ସ୍ପଷ୍ଟ ଭାବେ ମନେ ଅଛି ଯେଉଁ ଦିନ ତାଙ୍କ ଝିଅ ଜନ୍ମ ନେଇଥିଲା।

ଖଟ ଉପରେ ଲକ୍ଷ୍ମୀଙ୍କୁ ଶୁଆଇ ଦେଇ ଜୟା ଆଗକୁ ନିଜ କଥା ଜାରି ରଖନ୍ତି।

ଜୟାଙ୍କ ସ୍ୱାମୀ ସାଗର ଶିନ୍ଦେ ଯେତେବେଳେ ଜୀବିତ ଥିଲେ, ତାଙ୍କ ପରିବାର ଦକ୍ଷିଣ ପୁଣେର ଆନ୍ନାଭାଉ ସାଠେ ବସ୍ତିରେ ଥିବା ତାଙ୍କର ଶାଶୁ ଘରେ ରହୁଥିଲା। ପରିବାର ଲୋକମାନେ ଲକ୍ଷ୍ମୀଙ୍କ ଚିକିତ୍ସା ବାବଦ ସବୁ ଖର୍ଚ୍ଚ ତୁଲାଉଥିଲେ। ୨୦୧୭ରେ ସାଗର ଆରପାରିକୁ ଚାଲିଯିବା ପରେ ସବୁକିଛି ବଦଳିଗଲା। ତାଙ୍କର ଏହି ଅକାଳ ମୃତ୍ୟୁ ପାଇଁ ପରିବାର ଲୋକମାନେ ଜୟାଙ୍କୁ ଦାୟୀ କରିଥିଲେ। ଉଭୟ ଲକ୍ଷ୍ମୀ ଓ ସାୟଲି (ତାଙ୍କର ବଡ଼ ଝିଅ)ଙ୍କୁ ଧରି ସେ ନିଜ ଶାଶୁ ଘରୁ ବାହାରି ଆସିଥିଲେ। ସେହି ବସ୍ତିର ଶେଷ ଭାଗରେ ଥିବା ଏକ ଘରକୁ ସେମାନେ ଚାଲି ଆସିଥିଲେ। ଲକ୍ଷ୍ମୀଙ୍କୁ ଛଅଟି ପାହାଚ ଥିବା ଏକ ଶିଢ଼ିରେ ଉଠାଇ ଆଣିବାକୁ ପଡ଼ିଥିଲା, ଏହି ଶିଢ଼ିର ପ୍ରତ୍ୟେକ ପାହାଚ ମଧ୍ୟରେ ଫାଙ୍କ ସହିତ ରେଲିଂ ନଥିଲା। ସାୟଲି ପ୍ରତିଦିନ ତାଙ୍କ ଜେଜେବାପା ଓ ଜେଜେ ମା’ଙ୍କୁ ଭେଟିବା ଲାଗି ଯାଇଥାନ୍ତି ଓ ସେମାନଙ୍କ ସହିତ କିଛି ସମୟ ବିତାଇ ଫେରନ୍ତି।

ତିନି ବର୍ଷ ତଳର କଥା, ସେତେବେଳକୁ ଜୟା ନିଜ ଘର ପାଖରେ ଥିବା ଏକ ନଭଶ୍ଚୁମ୍ଭୀ ଆପାର୍ଟମେଣ୍ଟରେ ଜଣେ ଘରୋଇ ଶ୍ରମିକ ଭାବେ ନିୟୋଜିତ ହୋଇସାରିଥିଲେ। ସେ ଦିନକୁ ଦୁଇଟି ଶିଫ୍ଟରେ କାମ କରିଥାନ୍ତି – ସକାଳ ୯ଟାରୁ ଅପରାହ୍ଣ ଗୋଟାଏ ଏବଂ ତା’ପରେ ସନ୍ଧ୍ୟାରେ ଗୋଟିଏ ଘଣ୍ଟା କାମ କରନ୍ତି। ଏଥିରୁ ମାସିକ ତାଙ୍କୁ ୫,୦୦୦ ଟଙ୍କା ପାରିଶ୍ରମିକ ମିଳିଥାଏ। ‘‘ଆତା ମି ମାଝା ଚକରୁନ ଖାତେ (ମୁଁ ନିଜେ ରୋଜଗାର କରି ଖାଇଥାଏ),’’ ନିଜର ପରିବର୍ତ୍ତିତ ପରିସ୍ଥିତି ସମ୍ପର୍କରେ ସେ ଏତିକି କଥା ହିଁ କହିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଯଦିଓ ଗୋଟିଏ କଥାକୁ ନେଇ ତାଙ୍କର ଚିନ୍ତା ଏବଂ ତାହା ହେଉଛି ଲକ୍ଷ୍ମୀଙ୍କ ଫିଜିଓଥେରାପୀ ବନ୍ଦ ହେବା, କାରଣ କାମ ଓ ମଜୁରି ହାତଛଡ଼ା କରିବା ତାଙ୍କ ପାଇଁ ସମ୍ଭବ ନୁହେଁ।

ଲକ୍ଷ୍ମୀ ପେଟରେ ଥିବା ସମୟରେ ଜୟାଙ୍କ ଗର୍ଭ ଉପରେ ଆଗୁଆ ଚାପ ପଡ଼ିଥିଲା – ଗର୍ଭାବସ୍ଥାର ମାତ୍ର ସାତ ମାସରେ ଏଭଳି ଜଟିଳତା ଦେଖା ଦେବା କାରଣରୁ ତାଙ୍କ ଶାଶୁ ତାଙ୍କୁ ନିକଟସ୍ଥ କମଳା ନେହରୁ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ତାଙ୍କର ଜରୁରିକାଳୀନ ସିଜେରିୟାନ ସେକ୍ସନ (ସି-ସେକ୍ସନ) କରାଯାଇଥିଲା।

ଲକ୍ଷ୍ମୀ ବଞ୍ଚିଗଲା କିନ୍ତୁ ତା’କୁ ସେରେବ୍ରାଲ ପାଲସୀ ଥିବା ଜଣାପଡ଼ିଲା। ପୁଣେରେ ଥିବା ଦୀନାନାଥ ମଙ୍ଗେସକର ହସ୍ପିଟାଲର ସ୍ନାୟୁରୋଗ ବିଭାଗ ମୁଖ୍ୟ ତଥା ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ରାହୁଲ କୁଲକର୍ଣ୍ଣି କୁହନ୍ତି, ‘‘ମୁଖ୍ୟତଃ ସେରେବ୍ରାଲ ପାଲସୀର ଅର୍ଥ ହେଉଛି ମସ୍ତିଷ୍କ ନଷ୍ଟ ହେବା। ଏହା ଏକ ଚଳନ ଅକ୍ଷମତା ଥିବା ରୋଗ। ତେଣୁ ଏଥିରେ ପ୍ରଭାବିତ ରୋଗୀ ଚଳପ୍ରଚଳ ହେବାକୁ ସକ୍ଷମ ହୋଇନଥାନ୍ତି ଏବଂ ମାଂସପେଶୀ ଉପରେ ତାଙ୍କର ନିୟନ୍ତ୍ରଣ ରହିନଥାଏ। ରୋଗୀଙ୍କଠାରେ ଛୋଟା ହୋଇଯିବାଠାରୁ ଆରମ୍ଭ କରି ସିଧା ହୋଇ ବସିବାକୁ ଅକ୍ଷମ ହେବା ଭଳି ନାନା ପ୍ରକାର ସମସ୍ୟା ଦେଖାଦେଇଥାଏ।’’

ମା’ କୋଳରେ ବସି, ଲକ୍ଷ୍ମୀ ତାଙ୍କ ବଖୁରିକିଆ ଘରର ଛାତ ମଝିରେ ଘୂରୁଥିବା ଫ୍ୟାନକୁ ଏକ ଲୟରେ ଚାହିଁ ରହିଛନ୍ତି। ଲକ୍ଷ୍ମୀ ସବୁଠୁ ଗମ୍ଭୀର ପ୍ରକାରର ସେରେବ୍ରାଲ ପାଲସୀରେ ପୀଡ଼ିତ – ଯାହାକୁ ସ୍ପାଷ୍ଟିକ କ୍ୱାଡ୍ରିପ୍ଲେଜିଆ କୁହାଯାଏ। ‘‘ସ୍ପାଷ୍ଟିକର ଅର୍ଥ ହେଉଛି ମାଂସପେଶୀ କଠିନତା ଏବଂ କ୍ୱାଡର ଅର୍ଥ ହେଉଛି ସମସ୍ତ ଚାରିଟି ମାଂସପେଶୀ ପ୍ରଭାବିତ ହେବା। ସ୍ପାଷ୍ଟିକ କ୍ୱାଡ୍ରିପାରେସିସରେ ପୀଡ଼ିତ ଲୋକମାନେ ଚାଲିପାରନ୍ତି ନାହିଁ। ସେମାନଙ୍କଠାରେ ବୌଦ୍ଧିକ ଅକ୍ଷମତା, ଉଦବେଗ, ଶୁଣିବା ଓ କହିବାରେ ଅସୁବିଧା ଭଳି ସମସ୍ୟା ଦେଖାଦେଇଥାଏ,’’ ଡାକ୍ତର କୁଲକର୍ଣ୍ଣି କୁହନ୍ତି।

ଦୁର୍ଭାଗ୍ୟବଶତଃ, ଏହି ଅବସ୍ଥା ମା’ ପେଟରେ ଥିବା ଶିଶୁଠାରେ ଚିହ୍ନଟ କରାଯାଇ ପାରିନଥାଏ। ‘‘ମୁଁ ଏପରି ଶିଶୁକୁ କେବେ ଦେଖିନଥିଲି। ଯଦି ମୋର କିଛି ଅଭିଜ୍ଞତା ଥାଆନ୍ତା, ହୁଏତ’ ମୁଁ ତା’ ପାଇଁ କିଛି କରିବାକୁ ସକ୍ଷମ ହୋଇଥାନ୍ତି,’’ ଜୟା କୁହନ୍ତି। ଜନ୍ମ ନେବାର ଦୁଇ ଦିନ ପରେ ଲକ୍ଷ୍ମୀର ଚେତା ଫେରିଥିଲା। ଏହାପରେ ତା’କୁ ଆଇସିୟୁକୁ ପଠାଇ ଦିଆଯାଇଥିଲା ଯେଉଁଠି ସେ ଗୋଟିଏ ମାସ ପର୍ଯ୍ୟନ୍ତ ରହିଥିଲା। ‘‘ସେ ନଫେରିବା ପର୍ଯ୍ୟନ୍ତ ମୁଁ କିଛି ଖାଇପାରିଲି ନାହିଁ, ଚିନ୍ତା କରିପାରିଲି ନାହିଁ, କିଛି କାମ କରିପାରିଲି ନାହିଁ,’’ ସେ କହିଥିଲେ। ସେଦିନର କଥା ଭାବିଲେ ଆଜି ବି ତାଙ୍କ ମନରେ ଶିହରଣ ସୃଷ୍ଟି ହୋଇଥାଏ।

ଭାରତରେ, ୦-୬ ବର୍ଷ ବୟସର ୨୦ ଲକ୍ଷରୁ ଅଧିକ ଶିଶୁ ଅକ୍ଷମତା ସହିତ ଜନ୍ମ ନେଇଥାନ୍ତି (୨୦୧୧ ଜନଗଣନା)। ଏହି ବିଷୟ ଉପରେ ଉପଲବ୍ଧ ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ, ସମାଜରେ ଏଥିପାଇଁ ଆବଶ୍ୟକ ସମ୍ବଳ, ଚିକିତ୍ସା ଏବଂ ଶିକ୍ଷା ସମସ୍ତଙ୍କୁ ସମାନ ଭାବେ ଉପଲବ୍ଧ ହୋଇନଥାଏ।

କୋଭିଡ-୧୯ ମହାମାରୀ ଲାଗି ରହିବା କାରଣରୁ ଉଭୟ ଚିକିତ୍ସା ଏବଂ ଆର୍ଥିକ ସମସ୍ୟା ବହୁଗୁଣିତ ହୋଇଥିଲା। ୨୬ ମାର୍ଚ୍ଚ, ୨୦୨୦ରେ, କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୧.୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହିତ ଗରିବ, ବିଧବା ଓ ଦିବ୍ୟାଙ୍ଗ ଓ ବୟସ୍କମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍‌ ଘୋଷଣା କରିଥିଲେ। ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ, ପରବର୍ତ୍ତୀ ତିନି ମାସ ପାଇଁ ଏକକାଳୀନ ୧,୦୦୦ ଟଙ୍କା ଦିଆଯିବାକୁ ଏଥିରେ ବ୍ୟବସ୍ଥା କରାଯାଇଥିଲା। ଏହାର ଦେଢ଼ ବର୍ଷ ପରେ, ଜୟା ଓ ଲକ୍ଷ୍ମୀଙ୍କୁ କିନ୍ତୁ ଗୋଟିଏ ଟଙ୍କା ସୁଦ୍ଧା ମିଳିନାହିଁ।

ଯୋଜନା ଘୋଷଣା କରାଯିବା ସମୟରେ, ଜୟା ସ୍ଥାନୀୟ ବିଜେପି କର୍ପୋରେଟର ମହେଶ ୱାବଲେଙ୍କ କାର୍ଯ୍ୟାଳୟକୁ ଫର୍ମ ପୂରଣ କରିବାକୁ ଯାଇଥିଲେ, କିନ୍ତୁ କିଛି ସୁଫଳ ମିଳିଲା ନାହିଁ। କାମ ଓ ମଜୁରି ବନ୍ଦ ହୋଇଯିବା କାରଣରୁ, ଯେକୌଣସି ଆର୍ଥିକ ସହାୟତା ତାଙ୍କ ପାଇଁ ବାସ୍ତବରେ ଉପଯୋଗୀ ହୋଇଥାନ୍ତା। 

ଜନ୍ମର ପ୍ରଥମ ତିନି ବର୍ଷ ଜୟା ପ୍ରତି ୧୫ ଦିନରେ ଥରେ ଚେକଅପ୍‌ ଓ ଫିଜିଓଥେରାପି ପାଇଁ ଲକ୍ଷ୍ମୀକୁ କାଖେଇ ନେଇ ଡାକ୍ତରଖାନାକୁ ଯାଉଥିଲେ। ହାତରେ ପିଲାକୁ ଧରି ସର୍ବସାଧାରଣ ବସରେ ଚଢ଼ି ଯିବା କଷ୍ଟକର ଥିଲା। ଜୟା କୁହନ୍ତି ‘‘ବସ୍‌ ହଠାତ୍‌ ଛାଡ଼ି ଦେଉଥିଲା, କାହା ପାଇଁ ଅପେକ୍ଷା କରୁନଥିଲା।’’ ତେଣୁ ତାଙ୍କୁ ରିକ୍ସାରେ ଯିବାକୁ ହେଉଥିଲା – ଏଥିପାଇଁ ଅଧିକ ଟଙ୍କା ଖର୍ଚ୍ଚ ପଡ଼ୁଥିଲା।

ଜୟା ଓ ଲକ୍ଷ୍ମୀ କେତେ ଡାକ୍ତରଖାନା ଓ ଚିକିତ୍ସା କେନ୍ଦ୍ରକୁ ଯାଇଛନ୍ତି ତା’ର ହିସାବ ନାହିଁ। ଘରଠାରୁ ୧୧ କିଲୋମିଟର ଦୂରରେ ଥିବା ଔନ୍ଧସ୍ଥିତ ମିଲିଟାରୀ ହସ୍ପିଟାଲ, ଛଅ କିଲୋମିଟର ଦୂରରେ ସାସୁନ ସରକାରୀ ଡାକ୍ତରଖାନା ଏବଂ ରେଳ ଷ୍ଟେସନରେ ଥିବା ଆଉ ଏକ ହସ୍ପିଟାଲକୁ ସେମାନେ ଯାଇଥିଲେ। ଏଠାରେ ସେମାନେ ତାଙ୍କର ପ୍ରଥମ ବ୍ରେନ ଏମଆରଆଇ (ସମ୍ପ୍ରସାରଣ) କରିଥିଲେ। ଏହି କେନ୍ଦ୍ରରେ ସେମାନଙ୍କୁ ୧୫ ଦିନ ପର୍ଯ୍ୟନ୍ତ ରହିବାକୁ ପଡ଼ିଥିଲା। ଆହୁରି ସେମାନେ ଆଉ ଏକ ଆୟୁର୍ବେଦିକ ଡାକ୍ତରଖାନାକୁ ମଧ୍ୟ ଯାଇଥିଲେ। ‘‘ସେ ଏହାକୁ ସହି ପାରିନଥିଲା,’’ ଖୁବ୍‌ ଧୀରେ ଜୟା କହିଥିଲେ, ଲକ୍ଷ୍ମୀ ପୁଣିଥରେ ଏକଥା ଶୁଣନ୍ତୁ ଏବଂ ଯନ୍ତ୍ରଣା ଭୋଗନ୍ତୁ ବୋଲି ସେ ଚାହୁଁନଥିଲେ। ‘‘ଆଠ ଦିନ ପର୍ଯ୍ୟନ୍ତ, ସେମାନେ ତା’ ଶରୀରରେ ତେଲ ମାଲିସ କରିଥିଲେ।  ଏମିତିକି ମୁଁ ତା’କୁ ଛୁଇଁବା ମାତ୍ରେ ସେ କାନ୍ଦି ଉଠୁଥିଲା। କିନ୍ତୁ ମୋତେ ତା’କୁ ଛୁଇଁବାକୁ ହେବ, ଠିକ୍‌ ନା?’’

ଜନ୍ମର ପ୍ରଥମ ତିନି ବର୍ଷ ଜୟା ପ୍ରତି ୧୫ ଦିନରେ ଥରେ ଚେକଅପ୍‌ ଓ ଫିଜିଓଥେରାପି ପାଇଁ ଲକ୍ଷ୍ମୀକୁ କାଖେଇ ନେଇ ଡାକ୍ତରଖାନାକୁ ଯାଉଥିଲେ। ଫଟୋ ଅଦିତି ଦିଣ୍ଡୋରକର

ଫିଜିଓଥେରାପିରୁ ତାଙ୍କୁ ବିଶେଷ ଲାଭ ମିଳିଥିଲା, କିନ୍ତୁ ଦୁଇ ବର୍ଷ ତଳୁ ଜୟା ଏହାକୁ ବନ୍ଦ କରି ଦେଇଛନ୍ତି କାରଣ ଅଧିକ ଦିନ ଛୁଟିରେ ରହିଲେ ତାଙ୍କୁ ବାହାର କରି ଦିଆଯିବାର ଭୟ ତାଙ୍କ ମନରେ ରହିଛି। ଫିଜିଓଥେରାପି ୧୦ କିଲୋମିଟର ଦୂରରେ ଥିବା ନାଭଲେ ଡାକ୍ତରଖାନାରେ ହେଉଥିଲା, ଯିବାଆସିବା ପାଇଁ ଦେଢ଼ଘଣ୍ଟା ସମୟ ଲାଗୁଥିଲା। ‘‘ମୁଁ ଗୋଟିଏ ସପ୍ତାହରେ ଲକ୍ଷ୍ମୀକୁ ତିନି ଥର ନେଇ ଯାଉଥିଲି। ତା’ଭଳି ପିଲାମାନେ ନିଜେ ଚାଲିବା ସହିତ ନିଜ ହାତରେ ଜିନିଷପତ୍ର ଉଠାଇବା ମୁଁ ଦେଖିଥିଲି,’’ ସେ କହିଥିଲେ।

ସେହି ସମୟରେ, ଲକ୍ଷ୍ମୀଙ୍କଠାରେ ଏପିଲେପ୍ଟିକ ଫିଟ୍ସ ଦେଖାଦେଲା ଏବଂ ଏହା ହେବା କ୍ଷଣି ତାଙ୍କୁ ୪ ଦିନ ପାଇଁ ଇଣ୍ଟେନସିଭ କେୟାର ୟୁନିଟ (ଆଇସିୟୁ)ରେ ଭର୍ତ୍ତି କରାଗଲା। ଏବେ ଫିଟ୍ସ ମାରିବା ବନ୍ଦ ହୋଇଯାଇଛି ଏବଂ ଜୟା ନିୟମିତ ଭାବେ ଲକ୍ଷ୍ମୀଙ୍କୁ ଏପିଲେପ୍ଟିକ ନିରୋଧୀ ଔଷଧ ଭାଲପାରିନ ଓ ଗାର୍ଡେନାଲ ଦେଉଛନ୍ତି। ସାରା ଜୀବନ ତାଙ୍କୁ ଏହି ଔଷଧ ଖାଇବାକୁ ହେବ। ମାସିକ ଏହି ଔଷଧ ବାବଦରେ ସେମାନଙ୍କୁ ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।

ଜୟାଙ୍କ ବଡ଼ ଝିଅ, ସାୟଲି ତାଙ୍କ ପାଇଁ ବଡ଼ ସହାୟକ ହୋଇଛି ଏବଂ ସେ ତାଙ୍କ ମା’ଙ୍କୁ ଯଥାସମ୍ଭବ ସାହାଯ୍ୟ କରୁଛି। ଏ ସମ୍ପର୍କରେ ଜୟା କୁହନ୍ତି, ‘‘ବେଳେବେଳେ ମୁଁ ଭାବେ ଯେ ମୁଁ ତା’ର ଯଥେଷ୍ଟ ଯତ୍ନ ନେଇପାରିନାହିଁ। ମୋତେ ସବୁବେଳେ ଲକ୍ଷ୍ମୀ ସହ ଡାକ୍ତରଖାନାରେ ରହିବାକୁ ପଡ଼ିଲେ ସେ ମୋତେ ନପାଇ କାନ୍ଦେ। ମୁଁ ଭାବୁଛି, ସାୟଲି ମୋ ବିନା ଖୁବଶୀଘ୍ର ବଡ଼ ହୋଇଯାଇଛି।’’

ସାୟଲି ଏବେ ସପ୍ତମ ଶ୍ରେଣୀରେ ପଢ଼ୁଛି, ତା’ର ମା’ କାମକୁ ଯାଇଥିବା ସମୟରେ ସେ ନିଜ ଭଉଣୀର ଯତ୍ନ ନେଇଥାଏ। ‘‘ମୁଁ କେବଳ ତା’ ଉପରେ ନଜର ରଖିଥାଏ। ଯଦି ସେ କାନ୍ଦିଲା, ମୁଁ ତା’କୁ ଚୁପ କରାଇ ଦିଏ,’’ ସବୁ ବଡ଼ ଭଉଣୀଙ୍କ ଭଳି ସାୟଲି ଉତ୍ତର ଦେଇଥାଏ।

ଜୟାଙ୍କ ବଡ଼ ଝିଅ ସାୟଲି ସପ୍ତମ ଶ୍ରେଣୀରେ ପଢ଼େ। ସେ ତାଙ୍କ ପାଇଁ ବଡ଼ ସହାୟକ ପାଲଟିଛି ଏବଂ ସାୟଲି ଯଥାସମ୍ଭବ ନିଜ ମା’କୁ ସାହାଯ୍ୟ କରିଥାଏ। ଫଟୋ: ଅଦିତି ଦିଣ୍ଡୋରକର

ଶିଢ଼ି ତଳେ ଥିବା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଗାଧୁଆ ଘରେ ସେମାନେ ଲକ୍ଷ୍ମୀକୁ ଗାଧୋଇ ଦିଅନ୍ତି। ଏଥିପାଇଁ ଉଭୟ ତା’କୁ ଏକ ପାଟ (ବୋର୍ଡ) ଉପରେ ବସାଇ ଦିଅନ୍ତି। ସାୟଲି ତା’କୁ ଉପରୁ ଧରିଥାଏ, ଅନ୍ୟପଟେ ଜୟା ତା’କୁ ପାଣିରେ ସଫା କରି ଗାଧୋଇ ଦିଅନ୍ତି। ପ୍ରତି ଚାରି ଘଣ୍ଟାରେ ଥରେ ସେ ତା’ର ଡାଇପର ବଦଳାଇ ଦିଅନ୍ତି। ତା’ର ଋତୁସ୍ରାବ ହେଲେ କ’ଣ ହେବ? ‘‘ମୁଁ ତାହା ମଧ୍ୟ ଚଳାଇ ନେବି,’’ ଜୟା ବାସ୍ତବତା ଭରା ଉତ୍ତର ଦେଇ କୁହନ୍ତି।

ପରିଚିତ ଲୋକଙ୍କ ମୁହଁ ଦେଖିଲେ ଲକ୍ଷ୍ମୀ ହସିଥାଏ। ସେ ତା’ର ଖୁଡ଼ି, କକା, ଭାଇଭଉଣୀ, ଜେଜେମା’ ଓ ତାଙ୍କର ସବୁଠୁ ପ୍ରିୟ ସମ୍ପର୍କୀୟ ୧୨ ବର୍ଷ ବୟସ୍କ ପ୍ରେମ ଓ ୧୪ ବର୍ଷ ବୟସ୍କା ଗୌରୀଙ୍କୁ ଚିହ୍ନି ପାରିଥାଏ। ପ୍ରେମ ଓ ଗୌରୀ ହେଉଛନ୍ତି ତା’ର ମାଉସୀଙ୍କ ପୁଅ-ଝିଅ। ଏମାନେ ବହୁତ ସ୍ନେହୀ ଏବଂ ତା’କୁ କାଖେଇ, କୋଳେଇ ଗେହ୍ଲା କରୁଥିବା ଲୋକଙ୍କୁ ଲକ୍ଷ୍ମୀ ବହୁତ ଭଲ ପାଏ। ସମବୟସ୍କ ସବୁ ଭାଇଭଉଣୀଙ୍କ ସହିତ ସେ ଖେଳିଥାଏ ଏବଂ ସେମାନେ ତାଙ୍କ ଭଟୁକଲି କିମ୍ବାଘରଘର ଖେଳରେ ତା’କୁ ସାମିଲ କରିଥାନ୍ତି। ଜୟାଙ୍କର ମନେ ଅଛି ଲକ୍ଷ୍ମୀର ବାପା ତା’କୁ କୋଳରେ ଧରି ଘଣ୍ଟା ଘଣ୍ଟା ଖେଳାଉଥିଲେ। ଯେତେବେଳେ ତାଙ୍କର ପରଲୋକ ହେଲା, ଲକ୍ଷ୍ମୀଙ୍କୁ ଏ ସମ୍ପର୍କରେ କହିବା ଲାଗି ଜୟାଙ୍କ ପାଖରେ ଭାଷା ନଥିଲା। ‘‘ବିନା ଶବ୍ଦରେ ମୃତ୍ୟୁକୁ ମୁଁ କିଭଳି ବର୍ଣ୍ଣନା କରିଥାନ୍ତି? ମୁଁ କେବଳ ମୋ କୋଳରେ ଲକ୍ଷ୍ମୀକୁ ଜାବୁଡ଼ି ଧରି ପାରିଥିଲି।’’

ଲକ୍ଷ୍ମୀ ସମ୍ବେଦନଶୀଳ ଏବଂ ସବୁ କଥାକୁ ଶୀଘ୍ର ବୁଝିପାରେ। ‘‘ମାୟା କେଲେଲି କାଲତେ, ରାଘବ ଲେଲା କାଲତା (ଆପଣ ତାଙ୍କୁ ସ୍ନେହ କଲେ ସେ ଜାଣିପାରିଥାଏ, ଆପଣ ତା’ ଉପରେ ରାଗିଲେ ମଧ୍ୟ ସେ ଜାଣିପାରେ),’’ ମୁଣ୍ଡରେ ଠିଆ ହୋଇଥିବା ତା’ର ଜଟକୁ ହଲାଇ ଦେଇ ଗେହ୍ଲାରେ ତା’ର ମା’ କୁହନ୍ତି। ‘‘ସେ ଚାହେଁ ମୁଁ ସବୁବେଳେ ତା’ ପାଖରେ ରୁହେ, ତା’କୁ ମୋ କୋଳରେ ଜାବୁଡ଼ି ଧରି ରଖେ।’’

ବାହାରେ ଥିବା ସମୟରେ ମଧ୍ୟ ଜୟା ତାଙ୍କ ଭଉଣୀ, ଭାଉଜ ଏବଂ ଭାଇଙ୍କ ପାଖରେ ଲକ୍ଷ୍ମୀଙ୍କୁ ଛାଡ଼ି ଦେଇ ଯାଆନ୍ତି। ତାଙ୍କ ଭଉଣୀ ଅର୍ଚ୍ଚନା ମଧ୍ୟ ଜଣେ ଘରୋଇ ଶ୍ରମିକ, ତା’ଙ୍କ ଭାଉଜ ମୋନା ଏକ ମଲ୍‌ରେ କାମ କରନ୍ତି ଏବଂ ଭାଇ ଅଜୟ ଜଣେ ଡ୍ରାଇଭର।

‘‘ସାଗଲେ ଜୀଭ ଲଭତାତ ତିଲା (ସମସ୍ତେ ତା’କୁ ନିଜ ହୃଦୟ ଦେଇଛନ୍ତି),’’ ସ୍ମିତ ହସି ଜୟା କୁହନ୍ତି। ‘‘କେହି କେବେ ପଚାରି ନାହାନ୍ତି, ‘ତୁମ ପିଲା ଏମିତି କେମିତି ହେଲା?’।’’

ବଞ୍ଚିତ ସମୁଦାୟଙ୍କ ଉପରେ ଲେଖିବା ପାଇଁ ପରୀ ଏଜୁକେସନ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥାଏ। ଦିବ୍ୟାଙ୍ଗ ଜନଙ୍କ ଉପରେ ଆଧାରିତ ଏକ ସିରିଜ ପାଇଁ ପୁଣେର ତଥାପି ଟ୍ରଷ୍ଟ ସହାୟତା ଯୋଗାଇ ଦେଇଛି। ଆପଣ ଏହି ସ୍ତମ୍ଭକୁ ପୁନଃପ୍ରକାଶିତ କରିବାକୁ ଚାହୁଁଥିଲେ, ଦୟାକରି zahra@ruralindiaonline.org ଏବଂ namita@ruralindiaonline.org ରେ ମେଲ୍‌ କରନ୍ତୁ 

Editor's note

ଅଦିତି ଦିଣ୍ଡୋକର, ଅଶୋକା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଇଂରାଜୀ ଓ ସୃଜନଶୀଳ ରଚନା ବିଭାଗର ଜଣେ ସ୍ନାତକ ଛାତ୍ରୀ। ସେ କୁହନ୍ତି, ‘‘ଜୟା ଓ ଲକ୍ଷ୍ମୀଙ୍କ ସମ୍ପର୍କରେ ସମ୍ବେଦନଶୀଳତାର ସହ ଲେଖିବା ପାଇଁ ମୁଁ ପ୍ରୟାସ କରିବା ସମୟରେ, ମୁଁ ବୁଝିପାରିଥିଲି ଯେ ରେକର୍ଡ କରିବା ଏବଂ ଲେଖିବା ସମୟରେ ଗଭୀର ଭାବେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିଥାଏ; ଏହା ହିଁ ପ୍ରତ୍ୟେକ ପରୀ ଷ୍ଟୋରୀକୁ ସ୍ୱତନ୍ତ୍ର କରିଥାଏ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ