ମୁମ୍ବାଇର ଆଜାଦ୍ ମଇଦାନ୍ରେ, ଦିଲ୍ଲୀରେ ଚାଲିଥିବା ବିରୋଧ ପ୍ରଦର୍ଶନର ସମର୍ଥନରେ ଏଠାରେ ସଂଯୁକ୍ତ ସେତ୍କାରୀ କାମ୍ଗର ମୋର୍ଚ୍ଚା ଦ୍ୱାରା ୨୪ – ୨୫ ଜାନୁଆରିରେ ଆୟୋଜିତ ହୋଇଥିବା ଧାରଣାରେ ଯୋଗ ଦେବାକୁ ସମଗ୍ର ମହାରାଷ୍ଟ୍ରରୁ ଚାଷୀମାନେ ଆସିଥିଲେ । ୧୬ ବର୍ଷ ବୟସ୍କ ଓମ୍ ପ୍ରକାଶ ଓ ୧୮ ବର୍ଷ ବୟସ୍କ କୃଷ୍ଣ ଗୁପ୍ତା, ଯଥାକ୍ରମେ ମୁମ୍ବାଇର ବିଖ୍ରୋଲି ଓ ଅନ୍ଧେରୀ ନିବାସୀ, ଏହି ଧାରଣା ସ୍ଥଳରେ ଚାଷୀମାନଙ୍କୁ ସମର୍ଥନ ଜଣାଇବା ପାଇଁ ଓ ସେମାନେ ଭେଟିଥିବା ଲୋକମାନଙ୍କର ସ୍ୱରକୁ ଲିପିବଦ୍ଧ କରିବାକୁ ଓ ସେମାନଙ୍କ ଚାରିପାଖରେ ବିଭିନ୍ନ ଗତିବିଧିର ଫଟୋ ଉଠାଇବାକୁ ସେଠାରେ କିଛି ସମୟ ଅତିବାହିତ କରିଥିଲେ । ଏପରି କରିବା ସହିତ ସେମାନେ ଆମେ ଖାଉଥିବା ଖାଦ୍ୟ କିଭଳି ଉତ୍ପାଦନ ହୋଇଥାଏ ସେ ବିଷୟରେ ଜାଣିବା ସହିତ ଯେଉଁ ଲୋକମାନେ ଏହାକୁ ଉତ୍ପନ୍ନ କରନ୍ତି, ସେମାନଙ୍କ ଜୀବନ ବିଷୟରେ ମଧ୍ୟ କିଛି ଜାଣିବାକୁ ପାଇଥିଲେ ।
ଓମ୍ପ୍ରକାଶ
ମୁଁ ଯେତେବେଳେ ଆଜାଦ୍ ମଇଦାନ୍ ପାଖରେ ମୋ ବସ୍ରୁ ଓହ୍ଲାଇଲି, ମୁଁ ଉଚ୍ଚ ସ୍ୱରରେ ଦିଆଯାଇଥିବା ସ୍ଲୋଗାନ୍ – “କାଲେ କାନୁନ୍ କୋ ୱାପସ୍ ଲୋ’’ (କଳା ଆଇନ୍କୁ ଖାରଜ କର) ଓ “ଅଦାନି ଅମ୍ବାନି ହାଏ ହାଏ ( ଅଦାନି ଓ ଅମ୍ବାନି ହାଏ ହାଏ) – ଶୁଣିବାକୁ ପାଇଲି । ମୁଁ ଲାଲ୍ ପତାକା ଧରି ବିରୋଧ ପ୍ରଦର୍ଶନ କରୁଥିବା ଗୋଟିଏ ଦଳକୁ ଦେଖିଲି ଓ ସେମାନଙ୍କୁ ଅନୁସରଣ କରି ପଡିଆ ପର୍ଯ୍ୟନ୍ତ ଗଲି । ସେଠାରେ ପହଞ୍ଚିବା ପରେ ୨୫ ଏକର କ୍ଷେତ୍ରରେ ବିସ୍ତାର ଲାଭ କରିଥିବା ସେହି ପଡିଆ ସମ୍ପୂର୍ଣ୍ଣଭାବେ ଚାଷୀ ଓ ସେମାନଙ୍କୁ ସମର୍ଥନ ଜଣାଇବା ପାଇଁ ଯେଉଁ ଲୋକମାନେ ଆସିଥିଲେ,, ସେମାନଙ୍କ ଦ୍ୱାରା ଭର୍ତ୍ତି ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେଲି । ସେତେବେଳ ପର୍ଯ୍ୟନ୍ତ ଫାର୍ମ ବିଲ୍ ଆନ୍ଦୋଳନ ଉପରେ ମୋର କେବଳ ଏତିକି ଧାରଣା ଥିଲା ଯେ ଚାଷୀମାନେ ଦିଲ୍ଲୀ ସୀମାରେ କେବଳ ଆନ୍ଦୋଳନରେ ବସିଛନ୍ତି ।


ସେହିଦିନ ଆଜାଦ୍ ମଇଦାନକୁ ଆସିବା ପୂର୍ବରୁ, ମୁଁ ଏହା ଜାଣିଥିଲି ଯେ ଚାଷୀମାନେ ସେମାନଙ୍କ ଶସ୍ୟସବୁ ମଣ୍ଡିରେ ବିକ୍ରି କରନ୍ତି ଓ ସେଠାରୁ ଆମେ ଆମର ଖାଦ୍ୟ କିଣିଥାଉ । ଏମ୍.ଏସ୍.ପି (ସର୍ବନିମ୍ନ ସହାୟକ ମୂଲ୍ୟ), ଅତ୍ୟାବଶ୍ୟକ ଦ୍ରବ୍ୟ ସୂଚୀ ଆଦି ବିଷୟରେ ମୋର କୌଣସି ଧାରଣା ନଥିଲା । କ୍ରମଶଃ ମୁଁ ଏହା ଅନୁଭବ କଲିପାରିଲି ଯେ ମୋର ବନ୍ଧୁମାନେ ଓ ମୁଁ ଏହିପରି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଯାହାଦ୍ୱାରା ଦେଶର ହଜାର ହଜାର ଲୋକ ପ୍ରଭାବିତ ହେଉଛନ୍ତି ସେ ବିଷୟରେ ଆମର କୌଣସି ଜ୍ଞାନ ନାହିଁ ।
ଆସନ୍ତା ଦୁଇ ଦିନରେ, ମଇଦାନରେ ମୁଁ ଯେଉଁ ସବୁ ଲୋକମାନଙ୍କୁ ଭେଟିଲି, ସେମାନଙ୍କଠାରୁ ଆମ ଦେଶରେ ଚାଷୀମାନଙ୍କର ଜୀବନଧାରଣ ମାନ ବିଷୟରେ ଅଳ୍ପ ବହୁତ ଜାଣିବାକୁ ପାଇଲି ।



ମୋର ପରିବାର ଉତ୍ତର ପ୍ରଦେଶର ଜାଉନ୍ପୁର୍ ଜିଲ୍ଲାରୁ ଆସିଛି । ଜାଉନ୍ପୁରର ବର୍ଷାତି ବ୍ଲକ୍ ଅନ୍ତର୍ଗତ ଆମ ଗ୍ରାମ ଗୋରା ପତ୍ତିରେ ଆମର ଗୋଟିଏ ବିଘା ଜମି ଅଛି (ଅଧା ଏକରରୁ କମ୍)। ପୂର୍ବରୁ ଋଣ ଶୁଝିବା ପାଇଁ ଆମର ଅଧିକାଂଶ ଜମି ଆମେ ବିକ୍ରି କରିସାରିଛୁ ଓ ଏବେ କେବଳ ଏତିକି ବଞ୍ଚିଛି ।
ଚାଷକାମରୁ ଯାହା ଉପାର୍ଜନ ହେଉଥିଲା, ତାହା ଆମ ପରିବାର ପାଇଁ ଯଥେଷ୍ଟ ନଥିଲା ; ସେମାନେ ଯାହା ସେମାନଙ୍କ ଜମିରେ ଉତ୍ପାଦନ କରୁଥିଲେ, ତା ଉପରେ ନିର୍ଭର କରି କୌଣସି ପ୍ରକାରେ ଚିଳି ଯାଉଥିଲେ । ଏଣୁ ମୋର ଜେଜେ ବାବା କାମ ଅନୁସନ୍ଧାନରେ ମୁମ୍ବାଇ ପଳାଇ ଆସିଥିଲେ । ସେ ଏଠାରେ ମିଲ୍ରେ କାମ ପାଇଗଲେ ଓ ତା’ପରେ ମୋର ବାପା ତାଙ୍କ ସହିତ ଯୋଗ ଦେଲେ, ସେ ମଧ୍ୟ ଏକ ପୁସ୍ତକ ମୁଦ୍ରଣ ପ୍ରେସ୍ରେ କାମ ପାଇଗଲେ । ସେବଠାରୁ ଆମ ପରିବାର ଏଠାରେ ରହୁଛି ।
ମୁମ୍ବାଇରେ ବିଦ୍ୟାଳୟଗୁଡିକରେ ଆମେ ଚାଷୀମାନଙ୍କ ବିଷୟରେ ଓ ସେମାନେ ଆମ ପାଇଁ ଖାଦ୍ୟ ଉତ୍ପାଦନ କରୁଥିବା ଜାଣିବାକୁ ପାଉ । ଆମ ବିଦ୍ୟାଳୟର ବହିଗୁଡିକରେ ସେମାନଙ୍କ ବିଷୟରେ ସଂକ୍ଷିପ୍ତ ବିବରଣୀ ରହିଛି । ଆମେ କେତେକ ଶସ୍ୟ ଓ ସେଗୁଡିକୁ କିଭଳି ଉତ୍ପାଦନ କରାଯାଏ, ସେ ବିଷୟରେ ଜ୍ଞାନ ଆହରଣ କରିଛେ । ହେଲେ, ଚାଷ ସମୟରେ ସେମାନେ କେଉଁ ପ୍ରକାରର ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେମାନେ ଯେଉଁ ପରିସ୍ଥିତିରେ ବଞ୍ଚୁଛନ୍ତି, ସେମାନେ ଯେଉଁସବୁ ଋଣ କରିଛନ୍ତି ଓ ଏପରି ଅନେକ ବିଷୟ, ଯାହା ବିଷୟରେ ଆମେ ସମ୍ପୂର୍ଣ୍ଣ ଅଜ୍ଞ ଅଟୁ କିମ୍ବା କେବେ ମଧ୍ୟ କିଛି ଭାବିନାହୁଁ । ଆମେ କେବଳ ଏତିକି ଭାବୁ ଯେ ଗ୍ରାମରେ ରହୁଥିବା ଲୋକମାନେ ଆମ ଖାଦ୍ୟ ଉତ୍ପାଦନ କରିଦେବେ ।


ଆମ ମଧ୍ୟରୁ (ଛାତ୍ରଛାତ୍ରୀ) କେହି ମଧ୍ୟ ଚାଷୀ ହେବାକୁ ଚାହାନ୍ତିନି । ଆମ ସମସ୍ତଙ୍କର ଭିନ୍ନ ଭିନ୍ନ ସ୍ୱପ୍ନ ରହିଛି । ଯଦି ଆମେ ଡାକ୍ତର ହେବାକୁ ଚାହିଁବୁ, ତାହାହେଲେ ଲକ୍ଷ୍ୟ ହାସଲ କରିବାକୁ ଆମର ମାର୍ଗ ଦର୍ଶନ କରାଯିବ, କିନ୍ତୁ ଭବିଷ୍ୟତର କ୍ୟାରିୟର୍ ଭାବେ ଆମକୁ ଚାଷକାମର ବିକଳ୍ପ ଦିଆଯାଏ ନାହିଁ ।
ଆଜାଦ୍ ମଇଦାନ୍ରେ, ମୋର କାଞ୍ଚନଙ୍କ ସହିତ ସାକ୍ଷାତ ହେଲା, ଯିଏ ଜଣେ ସ୍ନାତକ ଅଟନ୍ତି, ଅଥଚ, ଅନ୍ୟମାନଙ୍କ ଜମିରେ ଜଣେ ଦିନ ମଜୁରିଆ ଭାବେ କାମ କରୁଛନ୍ତି ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରି କେବଳ ୧୫୦- ୨୦୦ ଟଙ୍କା ଉପାର୍ଜନ କରୁଛନ୍ତି । ମୁଁ ତିନିଜଣ ମହିଳାଙ୍କର ଗୋଟିଏ ଦଳକୁ ମଧ୍ୟ ଭେଟିଲି ଓ ସେମାନଙ୍କର କାହାଣୀ ଶୁଣିଲି । ଅପରିଚିତ ବ୍ୟକ୍ତିଙ୍କ ସହିତ କଥା ହେବା ପାଇଁ ମୋ ମନରେ ଯେଉଁ କୁଣ୍ଠାଭାବ ଥିଲା ତାହା ଆଉ ନଥିଲା । ସେ ସମସ୍ତଙ୍କର ବୟସ ୬୦ ବର୍ଷ ଥିଲା ଓ ସମସ୍ତେ ବିଧବା ଥିଲେ । ଗୌରବାଇ ତାଇ ମତେ କହିଲେ ଯେ ସେ, ମଞ୍ଜୁଳା ତାଇ ଓ ଦ୍ରୌପଦୀ ତାୟୀ, ସମସ୍ତେ ଅନ୍ୟମାନଙ୍କ ଜମିରେ ଦିନ ମଜୁରିଆ ଭାବେ କାମ କରନ୍ତି । ସେମାନେ ଯଥେଷ୍ଟ ଉପାର୍ଜନ କରନ୍ତି, ଯେଉଁଥିରେ ସେମାନେ ସ୍ୱାଧୀନ ଭାବେ ବଞ୍ଚିପାରିବେ।
ମୁଁ ଯାହା ଭାବିଥିଲି, ଏହା ସେ ସବୁଠାରୁ ପୂରା ଭିନ୍ନ ଥିଲା – ଯେପରିକି ବିଧବା ମହିଳାମାନଙ୍କୁ ଏକଲା କୁଆଡେ ଯିବାକୁ ଅନୁମତି ନାହିଁ ଓ ସେମାନଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେମାନେ ଆଉ ସାଧାରଣ ଜୀବନ ବଞ୍ଚିପାରିବେ ନାହିଁ, ଆଦି । ସେମାନେ ମତେ କହିଲେ ଯେ ତାଲାବନ୍ଦ ପର୍ଯ୍ୟନ୍ତ ଯେତେବେଳେ କାମ କମିବା ଆରମ୍ଭ ହେଲା, ସେମାନେ ଆର୍ଥିକ ସ୍ୱାଧିନତା ସହିତ ନିଜର ଦାୟିତ୍ୱ ନିଜେ ଉଠାଇବାକୁ ସମର୍ଥ ଥିଲେ।


ମୁଁ ବୁଝିପାରୁଛି ଯେ ତାଲାବନ୍ଦ କିଭଳି ସେମାନଙ୍କୁ ପ୍ରଭାବିତ କରିଥିବ କାରଣ ମୋର ବାପା ଜଣେ ଅଟୋ ଚାଳକ ଅଟନ୍ତି ଓ ମୋର ଭାଇ ବସ୍ତି (କଲନୋନି)ର ପିଲମାନଙ୍କୁ ଟ୍ୟୁସନ୍ କରନ୍ତି । ଆମେ ଚଳିବା ପାଇଁ ସେମାନଙ୍କର ଦୈନିକ ଆୟ ଉପରେ ନିର୍ଭର କରୁ ଓ ତାଲାବନ୍ଦ ସମୟରେ ଉଭୟଙ୍କର କାମ ବନ୍ଦ ହୋଇଯାଇଥିଲା ।
ଆନ୍ଦୋଳନରେ ଉପସ୍ଥିତ ଥିବା ଚାଷୀମାନେ ଚାହୁଁଥିଲେ ଯେ ସେମାନଙ୍କର ଦାବି ଶୁଣାଯାଉ ଯାହାଫଳରେ ସେମାନଙ୍କର ପିଲାମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି । ଯଦି ସ୍ଥିତି ଏପରି ରହେ, ତାହାହେଲେ ଆହୁରି ଅନେକ ଚାଷୀ କୃଷିକାମ ଛାଡିବାକୁ ଓ ଚାକିରି ଅନୁସନ୍ଧାନରେ ବାହାରକୁ ଯିବାକୁ ବାଧ୍ୟ ହେବେ । ଯଦି ଚାଷୀମାନେ ଚାଷକାମ ଛାଡିଦେବେ, ତାହାହେଲେ ଆମର ଖାଦ୍ୟ କିଏ ଉତ୍ପାଦନ କରିବ?
ସେହିଦିନ ମୁଁ ଘରକୁ ଫେରିବା ପରେ, ମୁଁ ମୋର ପରିବାରକୁ ଏ ବିଷୟରେ କହିଲି ଓ ଚାଷୀମାନଙ୍କ ସହିତ ସାକ୍ଷାତ କରିଥିବା ଓ ସେମାନଙ୍କଠାରୁ ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଜାଣିବାକୁ ସୁଯୋଗ ପାଇଥିବା ଜାଣି ମୋର ଭାଇ ଆନନ୍ଦିତ ହେଲେ ।



କୃଷ୍ଣ ଗୁପ୍ତା
ସେଦିନ ଆଜାଦ୍ ମଇଦାନ୍ ଏକ ଛୋଟ ଗ୍ରାମ ଭଳି ଅନୁଭବ ହେଉଥିଲା । ମୁଁ ଚାଷୀ ଆନ୍ଦୋଳନରେ ଯୋଗ ଦେବାକୁ ଆସିଥିଲି ଓ ସେଠାରେ ସମଗ୍ର ମହାରାଷ୍ଟ୍ରର ଲୋକ ଜମା ହୋଇଥିଲେ । ମୋର ବାପାମାଙ୍କୁ ଜଣାଥିଲା ଯେ ମୁଁ ସେଠାକୁ ଯାଉଛି, ହେଲେ ସେଠାରେ କଣ ହେଉଛି, ତାହା ସେମାନେ ଜାଣିନଥିଲେ । ଅଧିକ ଜାଣିବା ପାଇଁ ମୋ ମନରେ ଆଗ୍ରହ ଜାତ ହେଲା । ମୁଁ ଏହା ଜାଣି ଆଶ୍ଚର୍ଯ୍ୟ ହେଲି ଯେ ଏ ବିଷୟରେ ବହୁତ ଲୋକଙ୍କୁ ବହୁତ କିଛି ଜଣାନାହିଁ ।


ଅନ୍ଧେରୀସ୍ଥିତ ମୋର ଘରୁ ମୁଁ ପ୍ରାୟ ପୂର୍ବାହ୍ନ ୧୦ଟାରେ ବାହାରିଲି ଓ ଅପରାହ୍ଣରେ ପ୍ରାୟ ୧.୩୦ ବେଳକୁ ମଇଦାନରେ ପହଞ୍ଚିଲି। ସେଠାରେ ଭାରି ଟ୍ରାଫିକ୍ ଥିବା ଓ ବସ୍ ପାଇବାରେ ଅସୁବିଧା ହେଉଥିଲା । ହେଲେ, ମୁଁ ଫେରିଯିବା ଭଲ ହେବ ବୋଲି କେତେବେଳେ ମଧ୍ୟ ଅନୁଭବ କରିନଥିଲି ।
ମୋର ଅଜାଆଇ ମଧ୍ୟ ଦିନେ ମହାରାଷ୍ଟ୍ରର ପାଲାନ୍ଦୁର ଗ୍ରାମର ଚାଷୀ ଥିଲେ । ଅର୍ଥ ଆବଶ୍ୟକ ହେବାରୁ ସେମାନଙ୍କୁ ସେମାନଙ୍କର ଜମି ବିକ୍ରି କରିବାକୁ ପଡିଲା। ମୋର ମନେଅଛି, ମୁଁ ଗୋଣ୍ଡିଆ ଜିଲ୍ଲାରେ ଅବସ୍ଥିତ ମୋର ମା’ଙ୍କ ଗାଁକୁ ଚାରି ବର୍ଷ ପୂର୍ବେ ଯେତେବେଳେ ଅମଳ ଆଦାୟ କରାଯାଏ, ସେତେବେଳେ ଯାଇଥିଲି । ସମସ୍ତେ ପରସ୍ପରର ମୁହଁରେ ରଙ୍ଗ ବୋଳି ଉତ୍ସବ ପାଳନ କରୁଥିଲେ – ଏହା ହୋଲି ପରି ମନେ ହେଉଥିଲା! ସେତେବେଳେ ମୁଁ ଏହା ଅନୁଭବ କରିପାରିଥିଲି ଯେ ଏକ ଭଲ ଫସଲ ସେମାନଙ୍କ ପାଇଁ କେତେ ଗୁରୁତ୍ୱ ବହନ କରିଥାଏ । ମୁଁ ଏକଥା ମଧ୍ୟ ଶୁଣିଥିଲି ଯେ ଚାଷୀମାନଙ୍କୁ ବେଳେବେଳେ ବନ ଅଧିକାରୀଙ୍କ ବିରୋଧରେ ମଧ୍ୟ ସଂଘର୍ଷ କରିବାକୁ ପଡିଥାଏ ଯେଉଁମାନେ ସେମାନଙ୍କୁ ବନ ଧାରରେ ଥିବା ଜମିରେ ଚାଷ କରିବାକୁ ଦିଅନ୍ତିନି । ଆମ ଖାଦ୍ୟ ଉତ୍ପାଦନ କରିବାକୁ ଚାଷୀମାନଙ୍କୁ ଯୁଦ୍ଧ ମଧ୍ୟ କରିବାକୁ ପଡିଥାଏ ।

ନନ୍ଦୁରବର ଜିଲ୍ଲାର ଚାଷୀମାନେ ଯେତେବେଳେ ମଇଦାନରେ ପହଞ୍ଚିଲେ ମୁଁ ମଧ୍ୟ ସେ ସମୟରେ ସେଠାରେ ପହଞ୍ଚିଥିଲି । ସେମାନେ ସିବିଲି ଧରିଥିଲେ, ଯାହା ହେଉଛି ଏକ ପୋଲା ସିଲିଣ୍ଡର ଆକାରର ବାଉଁଶର ଏକ ଖଣ୍ଡ ଯାହାର ଭିତରେ ଏକ ବଲ୍ ଅଛି ଓ ଯାହାକୁ ଫୁଲ ଭଳି ଦେଖାଯିବା ପାଇଁ ପରସ୍ପର ସହିତ ଛନ୍ଦି ହୋଇ ରହିଥିବା ରଙ୍ଗୀନ ସୂତାରେ ଆବୃତ କରାଯାଇଥିଲା । ଏହାର ଓଜନ ତିନିରୁ ପାଞ୍ଚ କିଲୋଗ୍ରାମ ମଧ୍ୟରେ ହୋଇଥାଏ ଓ ଏହାକୁ ପୁଣି ଫୁଲ୍ ଓ ଫୁଲମାଳରେ ସଜାଯାଇ ରଙ୍ଗୀନ ଓ ଆକର୍ଷକ କରାଯାଏ । ସିବିଲିକୁ ମୁଣ୍ଡରେ ଧାରଣ କରାଯାଏ ଓ ଏହା ଚାରିପାଖରେ ଲୋକମାନେ ସେମାନଙ୍କ ସହିତ ଆସିଥିବା ଜଣେ ଲୋକ ଦ୍ୱାରା ବଜାଯାଉଥିବା ଢୋଲର ତାଳେ ତାଳେ ନାଚ କରନ୍ତି । ମୁଁ ଏହା ଭିତରୁ କୌଣସିଟି ବିଷୟରେ ଜାଣେ ନାହିଁ ହେଲେ ମୁଁ ସେମାନଙ୍କୁ ପଚାରିଲି ଓ ଏହା କ’ଣ ଜାଣିପାରିଲି ।


ଗାଭିତ୍ ମୋହନ, ଜଣେ ଭିଲ ଆଦିବାସୀ ଚାଷୀ ଓ ମହାରାଷ୍ଟ୍ରର ନନ୍ଦୁବୁର ଜିଲ୍ଲା ସେତ୍କାରୀ କାମ୍ଗର ସଂଗଠନର ସଦସ୍ୟ ମତେ ମଣ୍ଡି ବ୍ୟବସ୍ଥା, ଏମଏସ୍ପି (ସର୍ବନିମ୍ନ ସହାୟକ ମୂଲ୍ୟ) ଓ ତାଙ୍କ ଭଳି ଚାଷୀମାନେ ଏହା ଉପରେ କିଭଳି ନିର୍ଭରଶୀଳ ଅଟନ୍ତି, ସେ ସବୁ ବିଷୟରେ ବୁଝାଇ କହିଲେ । ମତେ ଏ ବିଷୟରେ ବିଶେଷ କିଛି ଜଣା ନଥିଲା ଓ ସେ ମତେ ଅତି ସରଳ ଭାଷାରେ ବୁଝାଇଦେଲେ । ସେ ନୱାପୁର ତାଲୁକାର ନିମ୍ଦାର୍ଦେ ଗ୍ରାମର ବିଦ୍ୟାଳୟରେ ପିଲାମାନଙ୍କୁ ଗଣିତ ଓ ମରାଠି ବିଷୟରେ ଶିକ୍ଷାଦାନ କରୁଥିବା କଥା କହିଲେ ।
ମୁଁ ମଇଦାନର ଚାରିଆଡେ ଚାଲିଚାଲି ବୁଲିବା ସିହତ ବିଭିନ୍ନ ଜିନିଷ ଲକ୍ଷ୍ୟ କରୁଥିଲି । କିଛି ଚାଷୀ ଦୀର୍ଘ ଯାତ୍ରା ଓ ଘଣ୍ଟା ଘଣ୍ଟା ଧରି ଚାଲିବା କାରଣରୁ କ୍ଲାନ୍ତ ହୋଇ ତମ୍ବୁ ଭିତରେ ଶୋଇଥିଲେ, ଆଉ କିଛି ମଞ୍ଚ ଉପରେ ଚାଲିଥିବା କାର୍ଯ୍ୟକ୍ରମ ଦେଖୁଥିଲେ ଓ ଶୁଣୁଥିଲେ ଓ ଅନ୍ୟମାନେ ଖାଦ୍ୟ ଷ୍ଟଲ୍ ଆଡକୁ ଯାଉଥିଲେ।
Editor's note
ଓମ୍ପ୍ରକାଶ ( ଯିଏ କେବଳ ତାଙ୍କର ଏହି ନାମ ଦେବାକୁ ପସନ୍ଦ କରନ୍ତି) ମୁମ୍ବାଇ ସ୍ଥିତ ରମଣୀରଞ୍ଜନ ଝୁନ୍ଝୁନ୍ୱାଲା ମହାବିଦ୍ୟାଳୟର ୧୧ଶ ଶ୍ରେଣୀର ଛାତ୍ର।
କୃଷ୍ଣ ଗୁପ୍ତା ୨୦୨୦ରେ ଦ୍ୱାଦଶ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେବାପରେ ପରିବାରର ସହାୟତା କରିବା ପାଇଁ ଚାକିରି କରୁଛନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।