ରାମ ବାହାଦୂର ତାଙ୍କର ଦୁଇ ବିଘା ବା ପାଖାପାଖି ଏକ ଏକର୍‌ ଜମିରେ ଧାନ ଓ ଗହମ ଚାଷ କରନ୍ତି, ଯାହା ଉତ୍ତର ପ୍ରଦେଶର ମୋହନଲାଲ୍‌ଗଞ୍ଜ ତହସିଲ୍‌  ଅନ୍ତର୍ଗତ ସାତଟି ଗ୍ରାମ ମଧ୍ୟରୁ ଗୋଟିଏ ଗ୍ରାମ କମଳପୁର ବିଚିଲ୍‌କାରେ ଅଛି । ଫସଲ ଭଲ ହୋଇଥିବା ବର୍ଷଗୁଡିକରେ ତାଙ୍କ ଜମିରୁ ପ୍ରାୟ ୨୦ କ୍ୱିଣ୍ଟାଲ୍‌ ଧାନ ଓ ୧୪ କ୍ୱିଣ୍ଟାଲ ଗହମ ଅମଳ ହୋଇଥାଏ, ଯେଉଁଥିରୁ ଏହି ୫୦ ବର୍ଷୀୟ ଚାଷୀ ତାଙ୍କର ପାଞ୍ଚ ଜଣିଆ ପରିବାର ଖାଇବା ପାଇଁ ଅଧା ରଖନ୍ତି; ବାକି ସେ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି । “ଚାଷକାମରୁ ଯାହା ଉପାର୍ଜନ ହେଉଛି ତାହା ଆମର ସମସ୍ତ ଦାୟିତ୍ୱ ତୁଲାଇବାକୁ ପର୍ଯ୍ୟାପ୍ତ ନୁହେଁ – ଯେପରିକି ଆମ ପିଲାଙ୍କ ଶିକ୍ଷା ଓ ଆମର ସ୍ୱାସ୍ଥ୍ୟର ଯତ୍ନ ଆଦି,’’ ବୋଲି ସେ କହିଲେ ।

କମଳପୁର ବିଚ୍‌ଲିକା ଉତ୍ତରପ୍ରଦେଶର ରାଜଧାନୀଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ। ଉତ୍ତରପ୍ରଦେଶ ହେଉଛି ଏପରି ଏକ ରାଜ୍ୟ ଯେଉଁଠାରେ ୯୨ ପ୍ରତିଶତ ଚାଷୀ ରାମ ବାହାଦୂର ପରି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଟନ୍ତି ଯେଉଁମାନେ ଅଧା ଏକର ବା ଏହାଠାରୁ ଅଳ୍ପ ଅଧିକ ଜମିରୁ ହେଉଥିବା ଉପାର୍ଜନରେ ନିଜର ଭରଣପୋଷଣ କରିବାକୁ ଚେଷ୍ଟା କରୁଛନ୍ତି ।

କମଳପୁର ବିଚ୍‌ଲିକାର ଜଣେ ମଧ୍ୟ ଚାଷୀ ଏଠାରୁ ୫୦୦ କିଲୋମିଟର ଦୂରରେ ଅବସ୍ଥିତ ଦିଲ୍ଲୀରେ ଚାଷୀ ଆନ୍ଦୋଳନରେ ଯୋଗ ଦେବାକୁ ସମର୍ଥ ହୋଇପାରିଲେ ନାହିଁ , ହେଲେ ସେମାନେ ସମସ୍ତେ ଦିଲ୍ଲୀରେ ଚାଲିଥିବା “କିସାନ୍‌ ଆନ୍ଦୋଳନ”” (ଚାଷୀ ଆନ୍ଦୋଳନ)ର କାରଣଗୁଡିକୁ ଅଣଦେଖା କରୁଛନ୍ତି । “ଆମ ପରି କ୍ଷୁଦ୍ର ଚାଷୀମାନେ ବେସରକାରୀ ବେପାରୀ ବା ସରକାର, କାହାଠାରୁ ମଧ୍ୟ ଉଚିତ୍‌ ମୂଲ୍ୟ ପାଇପାରୁନାହାନ୍ତି। ଆମେ ଖାଦ୍ୟ ଉତ୍ପାଦନ କରୁଛୁ, ହେଲେ ସବୁଠାରୁ ଶେଷରେ ଖାଉଛୁ,’’ ସେ କହିଲେ।

ଲକ୍ଷ୍ମୌ ଜିଲ୍ଲାର ଏହି ଗ୍ରାମରେ ମୋଟ ୪୭୨ଟି ପରିବାର ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାଷ କାମ କରନ୍ତି । ଏଠାର ଅଧିକାଂଶ ଘର ସିମେଣ୍ଟରେ ତିଆରି ହୋଇଛି ଯାହାର ବାହାର ପାଖରେ ଛପର ହୋଇଥିବା ଗାଇଗୁହାଳ ରହିଛି । ସଂକୀର୍ଣ୍ଣ ପଥରେ ଶୀତ ଦିନର ଖରାରେ ଘସି ଶୁଖୁଥୁଲା ।

ଏହି ଗ୍ରାମ ମଧ୍ୟ ଦେଇ ଏକ ଛୋଟ ଝରଣା ପ୍ରବାହିତ ହେଉଛି, ହେଲେ ଏହାର ଜଳ ଜଳସେଚନ ପାଇଁ ପର୍ଯ୍ୟାପ୍ତ ନୁହେଁ । ଅଧିକାଂଶ ଚାଷୀ ଫସଲ ପାଇଁ ଭୂତଳ ଜଳର ଉପଯୋଗ କରିବାକୁ ନଳକୂଅମାନ ଖୋଳିଛନ୍ତି । “ମୁଁ ଗୋଟିଏ ବିଘାରେ ଧାନ କରିବା ପାଇଁ ନଳକୂପ ଚଲାଇବାକୁ ୩ ,୦୦୦ ଟଙ୍କା ଖର୍ଚ୍ଚ କରେ” ବୋଲି ରାମ ବାହାଦୁର କୁହନ୍ତି, ଯିଏ ତାଙ୍କର ଦୁଇ ବିଘା  ଜମିରେ ଜଳସେଚନ କରିବାକୁ ଦୁଇଟି ନଳକୂଅ ଖୋଳିଛନ୍ତି ।

‘କେବଳ ଚାଷ ପର୍ଯ୍ୟାପ୍ତ ନୁହେଁ

ସରିତା ପାଳ, ୩୩, ହେଉଛନ୍ତି ଜଣେ ଚାଷୀ ଯାହାର ଏକ ବିଘା ଜମି, ଗୋଟିଏ ଗାଇ ଓ ଗୋଟିଏ ମଇଁଷି ଅଛି । ସେ ଧାନ ଓ ଗହମ ଚାଷ କରିବାକୁ ତିନିଟି ନଳକୂଅ ଖୋଳିଛନ୍ତି । ସେ କୁହନ୍ତି ଯେ ମୋଟର ବହୁତ ଧୀର ଗତିରେ କାମ କରୁଛି ଓ ଏହା ଦ୍ୱାରା ଅଧା ଏକର ଜମିକୁ ଜଳସେଚିତ କରିବାକୁ ପାଖାପାଖି ପାଞ୍ଚ ଘଣ୍ଟା ସମୟ ଲାଗିଥାଏ, ଯାହାଫଳରେ ଡିଜେଲ୍‌ ବାବଦକୁ ତାଙ୍କର ବ୍ୟୟ ବଢିଯାଏ ।

“ମୁଁ ବିଚୌଲିୟେ (ମଧ୍ୟସ୍ଥି), ଯେଉଁମାନେ ଗ୍ରାମକୁ ଆସନ୍ତି, ସେମାନଙ୍କୁ ବିକ୍ରି କରିଦିଏ ।  ଡିଜେଲ୍‌, ସାର, କୀଟନାଶକ ଆଦି ବାବଦକୁ ବ୍ୟୟ କରିଥିବା ଅର୍ଥର ପରିମାଣ କାଟିବା ପରେ ମୁଁ ପ୍ରାୟ ଗୋଟିଏ ଋତୁ ( ଫସଲ) ପାଇଁ ୧୦,୦୦୦ ଟଙ୍କା ପାଏ’’ ବୋଲି ସେ କହିଲେ । “କେବଳ ଚାଷ କାମ ପର୍ଯ୍ୟାପ୍ତ ହୁଏନି। ଆମେ କେବଳ ମୋର ସ୍ୱାମୀଙ୍କର ଆୟ ଯୋଗୁଁ କୌଣସି ପ୍ରକାରେ ଚଳିଯାଉଛି,” ବୋଲି ଲକ୍ଷ୍ନୌ ସହରରେ ଜଗୁଆଳି ଭାବେ କାମ କରୁଥିବା ତାଙ୍କ ସ୍ୱାମୀ ଅୱଧ ପାଲ ଯାଦବଙ୍କ ଉଦ୍ଦେଶ୍ୟରେ ସେ କୁହନ୍ତି ।

ଏହି ଗ୍ରାମର ସମସ୍ତ ଚାଷୀ ସିଧାସଳଖ ବିଚୌଲିୟେ, ଯେଉଁମାନେ ଅମଳ ସମୟରେ ଜମି ପାଖରେ ଆସି ପହଞ୍ଚି ଯାଆନ୍ତି, ସେମାନଙ୍କୁ ବିକ୍ରି କରିଥାନ୍ତି । କ୍ରେତାମାନେ ମଧ୍ୟ ଋଣଦାତା ଅଟନ୍ତି ଯେଉଁମାନେ ମାସକୁ ଦୁଇରୁ ପାଞ୍ଚ ପ୍ରତିଶତ ସୁଧରେ ଟଙ୍କା ଦିଅନ୍ତି, ଯାହା ବେଳେବେଳେ ଅବିଶ୍ୱସନୀୟ ଭାବେ ବାର୍ଷିକ ୨୪ ପ୍ରତିଶତରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ହୋଇଯାଏ ।

“ଯଦି କେତେବେଳ ମତେ ନଳକୂଅ ଖୋଳିବାକୁ ବା ଡିଜେଲ୍‌ କିଣିବାକୁ ପଇସା ଆବଶ୍ୟକ ହୁଏ, ତାହାହେଲେ ମୁଁ ସ୍ଥାନୀୟ ମଧ୍ୟସ୍ଥିଠାରୁ ଧାର ଆଣିବାକୁ ବାଧ୍ୟ ହୋଇଥାଏ । ଯେତେବେଳେ ମୋର ଫସଲ ଅମଳ ହେବାକୁ ପ୍ରସ୍ତୁତ ହୋଇଯାଏ, ସେତେବେଳେ ସେ ଯାହା ମୂଲ୍ୟ ନିର୍ଦ୍ଧାରଣ କରନ୍ତି, ମତେ ସେହି ମୂଲ୍ୟରେ ତାଙ୍କୁ ବିକ୍ରି କରିବାକୁ ପଡିଥାଏ,” ବୋଲି ଅୱଧ ପାଳ ତାଙ୍କ ଭଳି କ୍ଷୁଦ୍ର ଚାଷୀମାନେ, କିପରି ନିୟମିତ ଭାବେ ଋଣଦାତାଙ୍କା ସହିତ ବାଧ୍ୟ ହୋଇ ଚୁକ୍ତି, ଯାହାର ସେମାନେ ଖିଲାପ କରିପାରନ୍ତି ନାହିଁ, କରନ୍ତି, ଯାହା ଦ୍ୱାରା ଅମଳ ସମୟରେ ଋଣଦାତାଙ୍କ ଲାଭ କ୍ରେତା ଭାବେ ଦ୍ୱିଗୁଣିତ ହୋଇଯାଏ , ସେ ବିଷୟରେ ବର୍ଣ୍ଣନା କରି କୁହନ୍ତି । ମଣ୍ଡିରୁ ଅୱଧ ପାଲ୍ ଯାହା ପାଇଥାନ୍ତେ ତା’ଠାରୁ ମୂଲ୍ୟ ଢ଼େର କମ୍ ଅଟେ।

“ମୁଁ ଯେବେ ମଣ୍ଡିକୁ ଯାଏ, ସେତେବେଳ ମୁଁ ସାଧାରଣତଃ ୨୦ କ୍ୱିଣ୍ଟାଲ ଗହମ ବିକ୍ରି କରିଥାଏ ଓ ସେଥିରୁ ପ୍ରାୟ ୩୬, ୦୦୦ ଟଙ୍କା ପାଏ (ଏକ କ୍ୱିଣ୍ଟାଲ ଚାଉଳ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌.ଏସ୍‌.ପି ହେଉଛି ୧,୮୩୫ ଟଙ୍କା) । ଯେତେବେଳେ ମୁଁ ଗ୍ରାମରେ ବିକ୍ରି କରେ, ମୁଁ ପ୍ରାୟ ୨୪ ,୦୦୦ ଟଙ୍କା  (ସମାନ ପରିମାଣ ପାଇଁ) ପାଏ,” ବୋଲି ସେ କହିଲେ; ଏକ ପାର୍ଥକ୍ୟ ଯାହାକୁ ଅଣଦେଖା କରିବା କଠିନ କାମ ଅଟେ ।

ଅୱଧ ପାଲ ଅଳ୍ପ କେତେ ଥର ମଣ୍ଡିରେ  ତାଙ୍କର ଅମଳ ବିକ୍ରି କରିଛନ୍ତି । ତାଙ୍କର ଭାଇ ଓ ଅନ୍ୟ କେତେଜଣ ଗୋଟିଏ ଟ୍ରାକ୍ଟର୍‌ ଭଡା କରନ୍ତି ଓ ସେଥିରେ ତାଙ୍କର ଫସଲ କିସାନ ସାଧନ ସହକାରୀ ସମିତିରେ ବିକ୍ରି କରିବାକୁ ନିଅନ୍ତି । ଯଦି ଟ୍ରାକ୍ଟର ପୂରା ଲୋଡ୍‌ ହୋଇଥାଏ (୨୫ କ୍ୱିଣ୍ଟାଲ) ତାହାହେଲେ କ୍ୱିଣ୍ଟାଲ୍‌ ପ୍ରତି ପରିବହନ ଖର୍ଚ୍ଚ ୪୦ ଟଙ୍କା ପଡିଥାଏ । ମୋଟ ପ୍ରାୟ ୧୦୦୦ ଟଙ୍କା ହୁଏ, ଯାହା ସେମାନେ ନିଜ ମଧ୍ୟରେ ସମାନୁପାତରେ ବାଣ୍ଟି ବ୍ୟୟ କରନ୍ତି ।

‘‘ଯଦି ତୁମେ ଭାଗ୍ୟଶାଳୀ ଅଟ, ତାହାହେଲେ ସରକାରୀ ଅଧିକାରୀ କୌଣସି ଭ୍ରଷ୍ଟାଚାର କରିବେ ନାହିଁ ଓ ଆପଣଙ୍କୁ ସିଧାସଳଖ ଚେକ୍‌ ପ୍ରଦାନ କରିଦେବେ । ଯଦି ଏପରି ନୁହେଁ, ତାହାହେଲେ, ତୁମକୁ ତାଙ୍କୁ ଲାଞ୍ଚ ଦେବାକୁ ପଡିବ ; ହେଲେ, ଆଜି ପର୍ଯ୍ୟନ୍ତ ମୋ ସହିତ ଏଭଳି କେବେ ହୋଇନି,” ବୋଲି ସେ କହିଲେ ।

ସେମାନଙ୍କ ଝିଅ ପ୍ରାଚୀର ବୟସ ହେଉଛି ୧୩ ବର୍ଷ ଓ ସେ ଗ୍ରାମ କନିଷ୍ଠ ବିଦ୍ୟାଳୟରେ ୮ମ ଶ୍ରେଣୀରେ ପଢେ । “ପ୍ରାଚୀ ବ଼ଡ ହେଲେ ଜଣେ ଶିକ୍ଷକ ହେବାକୁ ଚହାନ୍ତି । ତାଙ୍କର ହିନ୍ଦୀ ବିଷୟରେ ଅଧିକ ରୁଚି ରହିଛି । ମୋର ପୁଅ ସୌରଭ ୪ର୍ଥ ଶ୍ରେଣୀରେ ପଢୁଛି,” ବୋଲି ସରିତା କହିଲେ । ବିଦ୍ୟାଳୟକୁ ଯାଉଥିବା ତାଙ୍କର ପିଲାଙ୍କ ବିଷୟରେ କହିବାବେଳେ ତାଙ୍କ ଚେହେରା ଗର୍ବରେ ଚମକି ଉଠୁଥୁଲା । “ଆମପାଖରେ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାକୁ ପର୍ଯ୍ୟାପ୍ତ ପଇସା ନାହିଁ । ଆମେ ଇଚ୍ଚ ଶିକ୍ଷାର ଫି’ ଭାର କିଭଳି ଉଠାଇପାରିବୁ?” ବୋଲି ସେମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ହୋଇ ସେ  କୁହନ୍ତି ।

ଜମି ମୁହଁରେ ବିକ୍ରି

ରାଣୀ (ସେ ଏହି ନାମ ବ୍ୟବହାର କରିବାକୁ ପସନ୍ଦ କଲେ) ଓ ତାଙ୍କର ଜା’ ମଞ୍ଜୁ, (ସେ ଏହି ନାମ ବ୍ୟବହାର କରିବାକୁ ପସନ୍ଦ କଲେ) ଉଭୟଙ୍କ ବୟସ ତିରିଶି ପାଖାପାଖି ହେବ, ଉଭୟ ମିଶି ଏକ ବିଘା ଜମିରେ (୦.୪ ଏକର) ଜମିରେ ଚାଉଳ ଓ ଗହମ ଚାଷ କରୁଛନ୍ତି । ସେମାନେ ମଧ୍ୟ ଆଳୁ ଚାଷ କରୁଥିଲେ ହେଲେ, ଲୁଟ-ମାର କରୁଥିବା ମାଙ୍କଡ ଓ ନୀଳଗାଇ (ଏସିଆନ୍‌ ଏଣ୍ଟିଲୋପ୍‌) ସେଗୁଡିକ ନଷ୍ଟ କରିଦେଉଛନ୍ତି ।

କମଳପୁର ବିଚ୍‌ଲିକାର ଏହି ଜମି ସେମାନଙ୍କର ସ୍ୱାମୀମାନଙ୍କର, ଯେଉଁମାନେ ଦୁଇ ଭାଇ ଅଟନ୍ତି । ରାଣୀଙ୍କ ସ୍ୱାମୀ – ଦୁଇ ଭାଇଙ୍କ ମଧ୍ୟରେ ବଡ – କିଛି ବର୍ଷ ତଳେ ମରିଯାଇଛନ୍ତି, ହେଲେ, ପରିବାର ଏବେ ମଧ୍ୟ ଏକାଠି ରହୁଛି । ଉଭୟ ଆମ ସହିତ କଥା ହେବା ପାଇଁ କିଛି ସମୟ ପାଇଁ ଜମିରେ କାମ କରିବା ବନ୍ଦ କରିଦେଇଥିବା ବବେଳେ ମଞ୍ଜୁ ରାଣୀକୁ ଅଧିକ କଥା ହେବାକୁ ସୁଯୋଗ ଦେଇଥିଲେ ।

“ତାଲାବନ୍ଦ ସମୟରେ ସବୁ ଜିନିଷର ମୂଲ୍ୟ ବଢିଲା, ହେଲେ ଆମ ଫସଲର ମୂଲ୍ୟ ଖସିଲା” ବୋଲି ରାଣୀ କୁହନ୍ତି । ମଧ୍ୟସ୍ଥିମାନେ ସେମାନଙ୍କ ଘର ଦ୍ୱାର ପାଖକୁ ଆସୁଥିବାରୁ ସେମାନେ ଯେଉଁ ମୂଲ୍ୟ ନିର୍ଦ୍ଧାରଣ କଲେ, ସେହି ମୂଲ୍ୟରେ ଶେଷରେ ବାଧ୍ୟ ହୋଇ ସେମାନଙ୍କୁ ବିକିଲେ । ସେମାନେ କହିଲେ ଯେ ବଡ ବଜାର ଯେଉଁଠି ସେମାନଙ୍କୁ ଭଲ ପଇସା ମିଳିପାରିଥାନ୍ତା, ସେଠାକୁ ଯିବା ପାଇଁ ସେମାନେ ନିଜ ପିଲାମାନଙ୍କୁ ଘରେ ଛାଡି ଯିବାର ବିପଦ ଉଠେଇ ପାରିବେ ନାହିଁ ।

ରାଣୀଙ୍କ ପୁଅ ରିତେଶ ୪ର୍ଥ ଶ୍ରେଣୀରେ ପଢେ ଓ ମଞ୍ଜୁଙ୍କ ଦୁଇ ପୁଅ ପ୍ରାଙ୍କୁର ଓ ହିମାଂଶୁ ଯଥାକ୍ରମେ ୫ମ ଓ ୬ଷ୍ଠ ଶ୍ରେଣୀରେ ପଢନ୍ତି । “କୌଣସି ଅଭିବାବକ କେବେ ମଧ୍ୟ ସେମାନଙ୍କ ପିଲାମାନେ ଚାଷୀ ହେବା ଚାହୁଁନାହାନ୍ତି । ଆମ ଚାହୁଁଛୁ ଯେ ଆମ ପିଲାମାନେ ପାଠ ପଢନ୍ତୁ ଓ ବାହାରେ (ଗ୍ରାମ ବାହାରେ) ଚାକିରି କରନ୍ତୁ । ଆମର କାମ ହେଉଛି ସେମାନଙ୍କୁ ଶିକ୍ଷିତ କରିବା ଓ ସେମାନଙ୍କୁ ବଡ କରିବା ହେଲେ, ସେମାନେ ପଢିବା ପାଇଁ ଆମେ ସେମାନଙ୍କ ମୁଣ୍ଡ ଉପରେ ଲାଠି  ରଖି ହୋଇପାରିବୁ ନାହିଁ.” ସେ ହସି ହସି କହିଲେ ।

ନୂଆ ଆଇନ ବିରୋଧରେ ଚାଷୀମାନେ ଯେଉଁ ବିରୋଧ ପ୍ରଦର୍ଶନ କରୁଛନ୍ତି, ସେଥିରୁ ସେ ବିଶେଷ କିଛି ଲାଭ ହେବା ଆଶା କରୁନାହାନ୍ତି । “ଆଇନ୍‌ ଯାହା ହେଉନା କାହିଁକି, ମୂଳ ସତ୍ୟ ସବୁବେଳେ ସମାନ ରହିବ – ଆମର ପରିବ୍ୟୟ (ସହାୟକ ସାମଗ୍ରୀ) ବଢୁଛି ଓ ଆମର ଆୟ କମୁଛି । ଏ ପରିସ୍ଥିତିରେ ଜଣେ ଚାଷୀ କିଭଳି ବଞ୍ଚିବ?” ବୋଲି ରାଣୀ କହିଲେ ।

“ସବୁକିଛିର ଦରଦାମ୍‌ ବଢିବାରେ ଲାଗିଛି, ଏଣୁ ମୁଁ ମୋର ଚାଷ ଜମିରେ ନିବେଶ କରିପାରିବି କିମ୍ବା ମୋର ପିଲାମାନଙ୍କୁ ଶିକ୍ଷିତ କରିପାରିବ,” ବୋଲି ସୁରେଶ  କୁହନ୍ତି । ଫଟୋ: ଗରିମା ସାଧ୍‌ୱାନି

‘ଆନ୍ଦୋଳନ ହେଉଛି ବଞ୍ଚିଥିବା ଏକମାତ୍ର ପନ୍ଥା’

ସୁରେଶ କୁମାର, ୪୦, ଙ୍କ ଚାରି ବିଘା ଜମି ଅଛି ଯେଉଁଥିରେ ସେ ଚାଉଳ, ଗହମ, ମଟର, ପିଆଜ, ଆଳୁ ଓ ସୋରିଷ ଫସଲ କରନ୍ତି । ସେ ଅମଳ ହୋଇଥିବା ତାଙ୍କର ସମସ୍ତ ଫସଲ ସେହି ବେପାରୀମାନଙ୍କୁ ବିକ୍ରି କରନ୍ତି ଯେଉଁମାନେ ତାହା କିଣିବାକୁ ଗ୍ରାମକୁ ଆସନ୍ତି । ତାଙ୍କର ଚାରିଟି ପିଲା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ପଢନ୍ତି । ସୁରେଶ କୁହନ୍ତି ଯେ ସେମାନେ ଥରେ ବିଦ୍ୟାଳୟ ଛାଡିବା ପରେ ସେ ସେମାନଙ୍କର ଔପଚାରିକ ଶିକ୍ଷା ବନ୍ଦ କରିଦେବେ । “ସବୁ ଜିନିଷର ଦରଦାମ୍‌ ବଢିବାରେ ଲାଗିଛି । ଏଣୁ ମୁଁ ଜମିରେ ନିବେଶ କରିପାରିବି କିମ୍ବା ମୋ ପିଲାଙ୍କୁ ଶିକ୍ଷିତ କରିପାରିବି, ଉଭୟ ନୁହେଁ” ବୋଲି ସେ କହିଲେ । ତାଙ୍କର ପରବର୍ତ୍ତୀ ଚାଷ ହେଉଛି ଆଳୁ ଓ ସୋରିଷ ଓ ସେ ଏଥିପାଇଁ କୀଟନାଶକ ଓ ସାର ବାବଦକୁ ୨,୦୦୦  – ୩,୦୦୦  ଟଙ୍କା ଖର୍ଚ୍ଚ କରିସାରିଲେଣି ।

ସୁରେଶ ତାଙ୍କ ଜମିରେ ପ୍ରାୟ ୮୦-୧୦୦ ଫୁଟ ଗଭୀରର ଦୁଇଟି ନଳକୂଅ ଖୋଲିଛନ୍ତି, ପ୍ରତ୍ୟେକ କରିବା ପାଇଁ ୮୦,୦୦୦ ଟଙ୍କା ବ୍ୟୟ ହୋଇଛି । “ନଳକୂଅ ଚଲାଇବା ପାଇଁ ଆବଶ୍ୟକ ହେଉଥିବା ଡିଜେଲର ମୂଲ୍ୟ ଲିଟର୍‌ ପ୍ରତି  ୮୦-୮୫ଟଙ୍କା ଅଟେ । ମୁଁ କେବଳ ଡିଜେଲ ବାବଦକୁ ପ୍ରାୟ ୮,୦୦୦ଟଙ୍କା ଖର୍ଚ୍ଚ କରିଥାଏ ( ଏକ ବିଘା ପାଇଁ),” ବୋଲି ସେ କହିଲେ । ଏହା ସିହତ ସାର ଓ କୀଟନାଶକ ବାବଦକୁ ହେଉଥିବା ଖର୍ଚ୍ଚ କଥା ବିଚାରକୁ ନେଲେ, ସେ କହିଲେ ଯେ ଏହା ସବୁ ବିଯୁକ୍ତ କରି ଓ ବିକ୍ରି ପରେ “ମୁଁ ଛଅ ମାସ ପରେ କେବଳ ୨,୦୦୦ – ୪ ,୦୦୦  ଟଙ୍କା ଉପାର୍ଜନ କରିବାକୁ ସମର୍ଥ ହୁଏ ( ଗୋଟିଏ ଫସଲରୁ) । ଆମ୍ଭେମାନେ ନିଃସହାୟ ଅଟୁ, କିନ୍ତୁ ଏହା ହେଉଛି ଏକମାତ୍ର ଜିନିଷ ଯାହା ବିଷୟରେ ଆମେ ଜାଣିଛୁ (ଉପାର୍ଜନ ପନ୍ଥା)’’।

ଯେତେବେଳେ ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ବିଷୟରେ ପଚରାଗଲା, ସୁରେଶ କହିଲେ ଯେ, “ଯେତେବେଳେ ମନୁଷ୍ୟକୁ ଏହିଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ, ସେତେବେଳେ କେବଳ ଆନ୍ଦୋଳନ ହିଁ  ବଞ୍ଚିଥିବା ଏକମାତ୍ର ଉପାୟ ଅଟେ । ସବୁଜିନିଷର ଦାମ୍‌ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଆମର ଜୀବନ (ଓ ଜୀବିକା) ଏପରି ସ୍ୱଳ୍ପ ମୂଲ୍ୟରେ ବିକ୍ରି ହେଉଛି। ଜଣେ କୃଷକ କ’ଣ ଖାଇବ ଏବଂ ସେ କ’ଣ ସଞ୍ଚୟ କରିବ?

Editor's note

ଗରିମା ସାଧ୍‌ୱାନି ଏସିଆନ୍‌ କଲେଜ୍‌ ଅଫ୍‌ ଜର୍ଣ୍ଣାଲିଜମ୍‌, ଚେନ୍ନାଇର ଛାତ୍ରୀ ଅଟନ୍ତି ଏହା ହେଉଛି ପରୀ ପାଇଁ ତାଙ୍କର ଦ୍ୱିତୀୟ ଆଲେଖ୍ୟ ପ୍ରଥମ ଆଲେଖ୍ୟ, ଚିହ୍ନାଟ୍‌ କୁମ୍ଭାର କାମ ପାଇଁ ଭଙ୍ଗୁର ଭବିଷ୍ୟତ, ଡିସେମ୍ବର ୧, ୨୦୨୦ରେ ପ୍ରକାଶିତ ହୋଇଥିଲା ସେ କୁହନ୍ତି,: ‘‘ମୋର ସୌଭାଗ୍ୟ ଯେ ମୁଁ ବର୍ତ୍ତମାନ ଚାଲିଥିବା ଚାଷୀ ଆଇନ୍‌ ବିରୋଧି ଆନ୍ଦୋଳନ ସମୟରେ ଏହି କାହାଣୀର ଗ୍ରାଉଣ୍ଡ ରିପୋର୍ଟିଂ କରିବାକୁ ସମର୍ଥ ହୋଇପାରିଛି ମୁଁ ଯେଉଁ ଚାଷୀମାନଙ୍କ ସହିତ କଥା ହେଲି ସେମାନଙ୍କଠାରୁ ବହୁତ କିଛି ଶିଖିବାକୁ ପାଇଲି ସେମାନେ ଏ ସମସ୍ୟାଗୁଡିକ ନେଇ ସଚେତନ ଅଛନ୍ତି ତଥା ଏହା ବିଷୟରେ ସେମାନଙ୍କର ଭଲ ଜ୍ଞାନ ମଧ୍ୟ ଅଛି ’’

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛିଓଡ଼ିଶାଲାଇଭ୍ ହେଉଛି  ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଯୋଗାଯୋଗ ଏଜେନ୍ସିଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ