ତାଙ୍କ ଶରୀରରେ୧୪ ଥର ଅସ୍ତ୍ରୋପଚାର ହୋଇସାରିଥିଲା । ସାତ ଥର ଏହି ହାସପାତାଳରେ, ଚାରି ଥର ରାଜକୋଟର ଦେବ ହସ୍‌ପିଟାଲରେ ଏବଂ ତିନି ଥର ଅହମଦାବାଦର ସିଭିଲ୍‌ ହସ୍‌ପିଟାଲରେ ।

ତଥାପି, କିଡ୍‌ନୀ ରୋଗୀ ୩୦ ବର୍ଷ ବୟସ୍କ ବିରାମଭାଇଙ୍କ ଦୁର୍ଦ୍ଦଶାର ଅନ୍ତ ଘଟି ନଥିଲା ।

ଏଠାରେ ଥିବା ରାଜକୋଟର ବି.ଟି. ସବାନି କିଡ୍‌ନୀ ହସ୍‌ପିଟାଲର ଡାକ୍ତରମାନେ ବିରାମଭାଇ ଅଧାରିୟାଙ୍କୁ ଜଣାଇ ଦେଇଥିଲେ ଯେ ତାଙ୍କ ଶରୀରରେ କିଡ୍‌ନୀ ପ୍ରତିରୋପଣ କରାଯିବା ଆବଶ୍ୟକ । କେବଳ ଅସ୍ତ୍ରୋପଚାର ପାଇଁ ୪.୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ତାଙ୍କ ସ୍ତ୍ରୀ, ୨୮ ବର୍ଷୀୟା ମନୀଷାବେନଙ୍କ କିଡ୍‌ନୀ ଲାଗିପାରିବ । ହେଲେ, ଏହି ସମାଧାନର ବାଟ ବି ସମସ୍ୟାବିହୀନ ନଥିଲା । 

ପରିବାରର ଏକମାତ୍ର ରୋଜଗାରକ୍ଷମ ବୟସ୍କ ବ୍ୟକ୍ତି ଭାବରେ ମନୀଷାଙ୍କୁ ହିଁ ତାଙ୍କ ପରିବାର ଓ ତିନିଟି ପିଲାଙ୍କ ପାଇଁ ସାଧନ ଯୋଗାଡ଼ କରିବାକୁ ହେବ । ସେ କହନ୍ତି, “ଯଦି କିଡ୍‌ନୀ ପାଇଁ ମୋ ଶରୀରରେ ଅସ୍ତ୍ରୋପଚାର କରାଯାଏ, ତେବେ ମୋତେ ଅତି କମ୍‌ରେ ଛଅ ମାସ ବିଶ୍ରାମ ନେବାକୁ ପଡ଼ିବ। ଏହି ସମୟରେ କିଏ ଆମ କଥା ବୁଝିବ ?” ଆଙ୍ଗୁଠି ଦେଖାଇ ସେ କହନ୍ତି, “ ଏହା ତ ଖୁବ୍‌ ଉପରେ ଆକାଶ ଏବଂ ଖୁବ୍‌ ତଳେ ପୃଥିବୀ ଭଳି କଥା; କିନ୍ତୁ ଆମେ କୋଉଠିକାର ନୁହଁ ।”

ବିରାମଭାଇଙ୍କର ରକ୍ତ ଫିଲ୍‌ଟ୍ରେସନ ଚିକିତ୍ସା ଶେଷ ହେବା ପରେ ସନ୍ଧ୍ୟାରେ ବି.ଟି.ସବାନୀ ହସ୍‌ପିଟାଲ ବାହାରେ ଏକ ଫୁଟ୍‌ପାଥ ଉପରେ ମନୀଷାବେନ୍‌ ତାଙ୍କୁ ଖାଦ୍ୟ ଦେଉଛନ୍ତି। ଫଟୋ: ମିତ କାକଡିୟା

ପ୍ରତି ଥର ଯେତେବେଳେ ବିରାମଭାଇ କୌଣସି ହାସପାତାଳରେ ପ୍ରବେଶ କରନ୍ତି, ଏହାକୁ ଜରୁରୀକାଳୀନ ଚିକିତ୍ସା ବୋଲି ଧରାଯାଏ ଏବଂ ତାଙ୍କୁ ଭର୍ତ୍ତି କରିବା ପାଇଁ ମନୀଷାବେନଙ୍କୁ ୨୦,୦୦୦ରୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଯୋଗାଡ଼ କରିବାକୁ ପଡ଼େ । ଥରେ, ଏହି ଦମ୍ପତିଙ୍କୁ ଟଙ୍କା ଯୋଗାଡ଼ କରିବା ଲାଗି ମାସେ କାଳ ଅପେକ୍ଷା କରିବାକୁ ପଡ଼ିଲା ଏବଂ ବିରାମଭାଇଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଦ୍ରୁତ ଅବନତି ଦେଖାଦେଲା । ଧ୍ରୋଲ ସହରରେ ଥିବା ତାଙ୍କ ଘରଠାରୁ ଦୁଇ ଘଣ୍ଟାର ବାଟ ଦୂରତାରେ ଥିବା ରାଜକୋଟ ସହରର ଏକ ହାସପାତାଳରେ ସେମାନେ ପହଞ୍ଚିବା ପରେ ଜରୁରୀକାଳୀନ ଚିକିତ୍ସା କରିବାକୁ ମନା କରିଦିଆଗଲା । କାରଣ, ବିରାମଭାଇଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା ଏବଂ ସେଭଳି ସ୍ଥିତିରେ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା ସେମାନେ ଦେଇପାରି ନଥିଲେ । ସେହି ସମୟରେ ହିଁ ସେମାନେ ୨୦୦ କିଲୋମିଟରରୁ ଅଧିକ ଦୂର ଅହମଦାବାଦକୁ ଯାତ୍ରା କରିଥିଲେ । ସେଠାକାର ସିଭିଲ ହସ୍‌ପିଟାଲରେ, ତାଙ୍କ ଆଗରୁ ଚିକିତ୍ସା ପାଇଁ ଅପେକ୍ଷାରତ ରୋଗୀଙ୍କ ସଂଖ୍ୟା ଦୃଷ୍ଟିରୁ ସେମାନଙ୍କୁ ଦୁଇ ମାସ ଅପେକ୍ଷା କରିବାକୁ କୁହାଗଲା ।

ସେମାନେ ରାଜକୋଟ ଫେରିଆସିଲେ ଏବଂ ଆଉ ଅଧିକ ଟଙ୍କା ଋଣ କଲେ । “ପ୍ରତି ଥର ଅପରେସନ୍‌ରେ କେତେ ଟଙ୍କା ଖର୍ଚ୍ଚ ହେଲା ସେ ହିସାବ ମୋ ପାଖରେ ନାହିଁ । ମୁଁ ପାଠ ପଢ଼ିନି । ସେମାନେ ଯେତେବେଳେ ଯେତିକି ଟଙ୍କା ଦେବାକୁ କହନ୍ତି ମୁଁ ଦେଇଦିଏ । ଗାଁ ଲୋକ, ଆମ ସଂପର୍କୀୟ ଏବଂ ଅନ୍ୟ ଯେ କେହି ଆମକୁ ହସ୍‌ପିଟାଲର ବିଲ୍‌ ବାବଦ ପାଉଣା ଦେବାରେ ସାହାଯ୍ୟ କରିପାରିବେ ବୋଲି ମୁଁ ଭାବେ, ସମସ୍ତଙ୍କ ପାଖରୁ ମୁଁ ଟଙ୍କା ନେଇ ହାସ୍‌ପାତାଳରେ ଦେଇଛି ।” ମନୀଷାବେନ୍‌ କହନ୍ତି । ବିରାମଭାଇ ଅଳ୍ପ କେତୋଟି ବାକ୍ୟ କହି ଥକି ପଡୁଥିବାରୁ ମନୀଷାବେନ ହିଁ ଅଧିକ କଥାବାର୍ତ୍ତା କରନ୍ତି । ସେ ଆହୁରି କହିଲେ, “ଆମ ଘରେ ହସ୍‌ପିଟାଲର କାଗଜପତ୍ର ଏବଂ ବିଲ୍‌ରେ ଭର୍ତ୍ତି ଅନେକ ଫାଇଲ ରହିଛି ।”

ପାଞ୍ଚ ବର୍ଷ ତଳର କଥା, ଏବଂ ସେତେବେଳର ଦୃଶ୍ୟପଟ୍ଟ ଥିଲା ନିହାତି ଭିନ୍ନ । ଜାମନଗର ଜିଲ୍ଲାର କେଶିୟା ଗାଁର ୧୨ ଏକର ଜମି ଲିଜ୍‌ରେ ନେଇ ଏହି ଦମ୍ପତି ଚାଷ କରୁଥିଲେ । ଜୋଡ଼ିୟା ତାଲୁକାର ଏହି ଜମିର ମାଲିକ ଥିଲେ ଭରୱାଡ଼ ସଂପ୍ରଦାୟର ଜଣେ ଜମିଦାର । ମନୀଷାବେନ କହନ୍ତି: “ଆମେ କପା ଚାଷ କରୁଥିଲୁ ଏବଂ ପ୍ରତି ଫସଲ ଋତୁରେ ୫୦,୦୦୦ରୁ ୬୦,୦୦୦ ଟଙ୍କା ଯାଏ ରୋଜଗାର କରୁଥିଲୁ ।” ସେହି ଜମିରେ ହିଁ ସେମାନେ ଘରେ ଉପଯୋଗ କରିବା ପାଇଁ ଗହମ ଚାଷ କରୁଥିଲେ ।

ଚାରି ବର୍ଷ ତଳେ, ବିରାମଭାଇଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡ଼ିବାରୁ ସେମାନେ ଭାଗଚାଷ କରିବା ଛାଡ଼ି ଦେଲେ ଏବଂ କେଶିୟାରୁ ଧ୍ରୋଲ ସହରକୁ ଚାଲି ଆସିଲେ । ସେଠାରେ, ମନୀଷାବେନଙ୍କ ଦାଦା ସେମାନଙ୍କୁ ଉପହାରରେ ଦେଇଥିବା ଏକ ଓୟିଡ଼ି (୧୦ ଫୁଟ୍‌ ଲମ୍ବ ଏବଂ ୧୦ ଫୁଟ୍‌ ଓସାରର ଏକ ଛୋଟିଆ କୋଠରି)ରେ ସେମାନେ ରହନ୍ତି ।

ମନୀଷାବେନ୍‌ଙ୍କ ସ୍ଥିତି ଏମିତି ଯେ ସେ କାମ କରିବାକୁ ଯାଇପାରିବେନି । ଦିନେ ଛାଡ଼ି ଦିନେ ସ୍ୱାମୀଙ୍କ ସହ ତାଙ୍କୁ ହାସପାତାଳ ଯିବାକୁ ପଡ଼େ । ଫଟୋ: ମିତ୍‌ କାକଡ଼ିୟା

ସେମାନେ ଏଠାରେ ସେମାନଙ୍କର ତିନି ପିଲାଙ୍କ ସହିତ ରହନ୍ତି – ୧୦ ବର୍ଷର ଝିଅ ଅସ୍ମିତା, ଏବଂ ଦୁଇ ପୁଅ, ୮ ବର୍ଷର ଅମିତ ଓ ୬ ବର୍ଷର ରୋହିତ । ବିରାମଭାଇ କ୍ଷୀଣକାୟ ଓ ଦୁର୍ବଳ ହୋଇପଡ଼ିଛନ୍ତି ଏବଂ ତାଙ୍କୁ ଏକୁଟିଆ ଛାଡ଼ି ଦିଆଯାଇପାରିବନି। ତେଣୁ ମନୀଷାବେନ ବାହାରକୁ ଯାଇ ମଜୁରିଆ କାମ କରିବାକୁ ଅକ୍ଷମ । ସେ କହନ୍ତି, “ମୁଁ ସୁସ୍ଥ ଅଛି। କେଶିୟାରେ ମୁଁ ମଜୁରିଆ ଭାବରେ କାମ କରି ଦିନକୁ ଅତି କମ୍‌ରେ ୨୦୦ ଟଙ୍କା ରୋଜଗାର କରିପାରିବି । କିନ୍ତୁ ଦିନେ ରାଜକୋଟରେ ଏବଂ ତା ପରଦିନ ଧ୍ରୋଲରେ ରହି ମୁଁ କେମିତି କାମ କରିପାରିବି ? ମତେ କିଏ କାମ ଦେବେ ଆଉ ସେମାନେ କି କାମ ଦେବେ ?”

ଯେଉଁ ସବୁ ଦିନ ସେମାନଙ୍କୁ ହାସପାତାଳ ଆସିବାକୁ ପଡ଼େ ସେଦିନ ପିଲାମାନେ ଏକା ଏକା ଘରେ ଥାଆନ୍ତି । ସକାଳ ୯ଟା ସୁଦ୍ଧା ରାଜକୋଟରେ ପହଞ୍ଚିବା ଲାଗି ପତିପତ୍ନୀ ଦୁହେଁ ସକାଳ ୭ଟାରେ ଧ୍ରୋଲରୁ ବାହାରନ୍ତି । ୧୪ ଘଣ୍ଟା ପରେ ହିଁ ସେମାନେ ଘରକୁ ଫେରିବେ । ସେତେବେଳ ଯାଏଁ ପିଲାମାନେ ଭୋକରେ ଥାଆନ୍ତି । ମନୀଷାବେନ କହନ୍ତି, “ଆମର ଆଉ କିଛି ଉପାୟ ନାହିଁ । ପିଲାମାନଙ୍କ ଦେଖାରଖା କରିବାକୁ ଆଉ କେହି ନଥିବାରୁ ଆମକୁ ସେମାନଙ୍କୁ ଅନାଥ ପିଲାଙ୍କ ଭଳି ଛାଡ଼ି ଦେଇ ଯିବାକୁ ପଡ଼େ ।”

ଗତ ୧୪ ମାସ ହେଲା, ପ୍ରତି ଦିନେ ଛଡ଼ା ଦିନେ ଧ୍ରୋଲରୁ ୫୦ କିଲୋମିଟର ଦୂର ରାଜକୋଟ ପର୍ଯ୍ୟନ୍ତ ସେମାନେ ଯାତ୍ରା କରିଆସୁଛନ୍ତି । “ମୋର ଦୁଇଟି ଯାକ କିଡ୍‌ନୀ ଆଉ କାମ କରୁନି । ତେଣୁ ଦେହ ଭିତରର ତରଳ ପଦାର୍ଥ ସବୁ ଜମା ହୋଇ ରହେ ଏବଂ ହାସପାତାଳରେ ସେମାନେ ସେହି ବର୍ଜ୍ୟବସ୍ତୁକୁ ଏହି ହାତ ବାଟରେ ବାହାର କରନ୍ତି,” ତାଙ୍କ ଡାହାଣ ହାତକୁ ଦେଖାଇ ବିରାମଭାଇ ବୁଝାଇ ଦିଅନ୍ତି । ସେ ଫୁଟପାଥ ଉପରେ ବସିଛନ୍ତି ଏବଂ ନରମ ସ୍ୱରରେ କହୁଛନ୍ତି । ଗାଡ଼ିମଟରର କୋଳାହଳ ଭିତରେ ତାଙ୍କ ଦୁର୍ବଳ ଓ କ୍ଷୀଣ ସ୍ୱର ଭଲ ଭାବରେ ଶୁଭେ ନାହିଁ ।

ଦୁଇ ପଟେ ଧାଡ଼ି ଧାଡ଼ି ଗଛ ସହିତ ବି.ଟି.ସବାନି କିଡ୍‌ନୀ ହସ୍‌ପିଟାଲ ବାହାରେ ଥିବା ଏହି ଫୁଟ୍‌ପାଥରେ ବିରାମଭାଇଙ୍କ ଭଳି ବହୁ ରୋଗୀ ଓ ସେମାନଙ୍କ ସାଙ୍ଗରେ ଆସିଥିବା ପରିବାର ଲୋକେ ରହନ୍ତି । ସେମାନଙ୍କର ନିୟମିତ ହେମୋଡାଏଲିସିସ୍‌ ଚିକିତ୍ସାକୁ ଅପେକ୍ଷା କରି ସେମାନେ ଏହିଠାରେ ହିଁ ଖାଆନ୍ତି, ଶୁଅନ୍ତି ଏବଂ ଦିନ କାଟନ୍ତି । ହାସପାତାଳ ବାହାରର ଏହି ଫୁଟ୍‌ପାଥରେ ତାଙ୍କ ସ୍ୱାମୀଙ୍କୁ ଖାଦ୍ୟ ଦେଉ ଦେଉ ମନୀଷାବେନ୍‌ କହନ୍ତି, “ଆମେ ବୁଢ଼ାବୁଢ଼ୀ ଭଳି ଦେଖାଗଲୁଣି । ଯୁବ ବୟସର ହୋଇଥିଲେ ବି ଏହି ରୋଗ ଚିକିତ୍ସା ପାଇଁ ଯା’ଆସ କରି କରି ଆମର ଆଉ ଶକ୍ତି ନାହିଁ । ଏବେ ଆମେ ଥକିଗଲୁଣି ।”

ଡାକ୍ତରଖାନା ଖର୍ଚ୍ଚ ତୁଲାଇବା ଏବଂ ପରିବାରକୁ ଖାଦ୍ୟ ଯୋଗାଇବା ପାଇଁ ଏହି ଦମ୍ପତି ସେମାନେ ସଞ୍ଚିଥିବା ଥିବା ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି, ମନୀଷାବେନଙ୍କ ସୁନା କାନଫୁଲ ବିକିସାରିଛନ୍ତି ଏବଂ ପଡ଼ୋଶୀ ଓ ସଂପର୍କୀୟମାନଙ୍କଠାରୁ କରଜ ନେଇ ସାରିଛନ୍ତି । ମନୀଷାବେନ କହନ୍ତି, “ପ୍ରଥମେ ପ୍ରଥମେ ସଂପର୍କୀୟ ଓ ପଡ଼ୋଶୀମାନେ କିଛି ଟଙ୍କା ଦେଇ ସାହାଯ୍ୟ କଲେ, କିନ୍ତୁ ଏବେ ଆଉ କରୁନାହାନ୍ତି । ସେମାନେ ଭାବୁଛନ୍ତି ମୋ ସ୍ୱାମୀଙ୍କ ଅବସ୍ଥା ଦିନକୁ ଦିନ ଖରାପ ହୋଇଯିବ ଏବଂ ସେମାନେ ସେମାନଙ୍କ ଟଙ୍କା ଫେରି ପାଇବେ ନାହିଁ ।” ସଂପର୍କୀୟମାନଙ୍କ ପାଖରୁ ଋଣ କରିଥିବା ୨ ଲକ୍ଷ ଟଙ୍କା ଔଷଧପତ୍ରରେ ଖର୍ଚ୍ଚ ହୋଇଯାଇଛି । ସେ କହନ୍ତି, “ଆମେ ଜାଣିନୁ ଆମେ ଆମ ଋଣ କିପରି ଶୁଝିବୁ ।”

ତାଙ୍କ ପରିବାର ଓ ବିରାମଭାଇଙ୍କ ପିତାମାତାଙ୍କ ନାଁ ଏକାଠି ଥାଇ ଦାରିଦ୍ର୍ୟ ସୀମାରେଖା ତଳେ (BPL) ଥିବା ପରିବାର ରୂପେ ସେମାନଙ୍କୁ ଖାଉଟି କାର୍ଡ ମିଳିଛି । ମନୀଷାବେନ କହନ୍ତି ଯେ ଏହି କାର୍ଡରେ ମିଳୁଥିବା ଖାଉଟି ସାମଗ୍ରୀକୁ ତାଙ୍କ ଶ୍ୱଶୁର ଓ ଶାଶୁ ଉପଯୋଗ କରନ୍ତି ଏବଂ ସେ ମଧ୍ୟ ତାଙ୍କ ଭାଗ ସେମାନଙ୍କୁ ଦେଇଦିଅନ୍ତି । ମନୀଷାବେନ କହନ୍ତି, “ମୋ ଶ୍ୱଶୁରଙ୍କର ଶ୍ୱାସକ୍ରିୟାରେ ସମସ୍ୟା ରହିଛି ଏବଂ ନିକଟରେ ମୋ ଶାଶୁ ହୃଦ୍‌ଘାତରେ ପୀଡ଼ିତ ହୋଇଥିଲେ । ସେମାନଙ୍କ ବୟସ ବହୁତ ଅଧିକ । ଆମେ ଯୁବାବସ୍ଥାରେ ଅଛୁ ଏବଂ କୌଣସି ପ୍ରକାରେ ଚଳିଯିବୁ ।”

‘କୌଣସି ପ୍ରକାରେ’ର ଅର୍ଥ ହେଉଛି, ତାଙ୍କ ସ୍ୱାମୀ ଡାଏଲିସିସ୍‌ ପାଇଁ ପାଳି ପଡ଼ିବାକୁ ଅପେକ୍ଷା କରିଥିବା ବେଳେ ରାଜକୋଟର ରାସ୍ତାରେ ଏବଂ ବିଭିନ୍ନ ହାଉସିଂ ସୋସାଇଟିରେ ଭିକ ମାଗିବା ।

ପ୍ରାୟ ମଧ୍ୟାହ୍ନ ବେଳକୁ ଡାଏଲିସିସ୍‌ ପାଇଁ ବିରାମଭାଇଙ୍କ ପାଳି ପଡ଼େ ଏବଂ ଚାରିରୁ ପାଞ୍ଚ ଘଣ୍ଟା ପରେ ଶେଷ ହୁଏ । କିନ୍ତୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ବହୁ ପୂର୍ବରୁ ସେଠାରେ ପହଞ୍ଚି ଯାଆନ୍ତି । କାରଣ, ଖାଦ୍ୟ ଯୋଗାଡ଼ କରିବା ଲାଗି ମନୀଷାବେନକୁ ଏଣେତେଣେ ବୁଲିବାକୁ ପଡ଼େ । ସେ ବିରାମଭାଇଙ୍କୁ ସେଠାରେ ବସାଇ ଦିଅନ୍ତି ଏବଂ ଖାଦ୍ୟ ଓ ପଇସା ମାଗିବା ଲାଗି ଆଖପାଖ ସୋସାଇଟିକୁ ଯାଆନ୍ତି । ସେ କହିଲେ, “ଆଜି ମୁଁ ମାତ୍ର ୭୦ ଟଙ୍କା, ପିଲାଙ୍କ ପାଇଁ କିଛି ଲୁଗାପଟା ଏବଂ କିଛି ଖାଦ୍ୟ (ଖାଇବା ପରେ ବଳକା ଥିବା) ପାଇବାରେ ସକ୍ଷମ ହେଲି । ଆସନ୍ତା ଦୁଇ ଦିନ ପାଇଁ ଏତିକି ହିଁ ଆମ ପାଇଁ ସବୁ କିଛି ।” ପର୍ବପର୍ବାଣୀ ଭଳି ଭଲଦିନରେ, ଲୋକେ ଯେତେବେଳେ ଅଧିକ ଦାନପୁଣ୍ୟ କରନ୍ତି,  ସେତେବେଳେ ତାଙ୍କୁ ପ୍ରାୟ ୩୦୦ ଟଙ୍କା ମିଳିଯାଏ । କିନ୍ତୁ ଅଧିକାଂଶ ଦିନ ତାଙ୍କୁ ୫୦ରୁ ୧୦୦ ଟଙ୍କା ଭିତରେ ମିଳେ ଏବଂ ବେଳେବେଳେ ଏହା ୧୦ ଟଙ୍କା ଭଳି ନିହାତି କମ୍ ବି ହୋଇଥାଏ ।

ମନୀଷାବେନ କହିଲେ, “ବେଳେବେଳେ ମୁଁ ମୋ ସବା ସାନପୁଅକୁ ସାଙ୍ଗରେ ଆଣେ ଏବଂ ଆମେ ଦୁହେଁ ସାହାଯ୍ୟ ମାଗି ଏଣେତେଣେ ବୁଲୁ । ତାକୁ ଦେଖି ଲୋକେ ବିସ୍କୁଟ ଏବଂ ପ୍ୟାକେଟ୍‌ରେ ଥିବା ଖାଦ୍ୟ ଦିଅନ୍ତି । କିନ୍ତୁ ଅଧିକାଂଶ ସମୟରେ ମୁଁ ତାକୁ ସାଙ୍ଗରେ ଆଣେ ନାହିଁ, କାହିଁକି ନା ଘଣ୍ଟା ଘଣ୍ଟା ଧରି ଚାଲିବା ଯୋଗୁଁ ସେ ଥକିଯାଏ ।” ହାସପାତାଳ ସାମନାରେ ଥିବା ଜଲାରାମ ରେସ୍ତୋରାଁ ଏବଂ ଆଖପାଖ ସୋସାଇଟିର ଲୋକେ ସେମାନଙ୍କୁ ନିୟମିତ ଭାବେ ଖାଦ୍ୟ ଦିଅନ୍ତି । ଆଗକୁ ସେ ଆହୁରି କହିଲେ, “ଆମ ପାଇଁ ଏବଂ ଘରେ ଥିବା ଆମର ତିନି ପିଲାଙ୍କ ପାଇଁ ଏହା ଯଥେଷ୍ଟ ।” କେଶିୟା ଗାଁର ଭରୱାଡ଼ ସମାଜ ପକ୍ଷରୁ ତାଙ୍କୁ ଏକ କୁଇଣ୍ଟାଲ (୧୦୦  କିଲୋଗ୍ରାମ) ଗହମ ଦିଆଯାଇଥିଲା, ଯାହା ସେମାନଙ୍କ ଖାଇବା ପାଇଁ କାମରେ ଲାଗିଲା ।

ଥରେ ଡାଏଲିସିସ୍‌ ଆରମ୍ଭ ହେଲେ, ସେଠାକାର ପ୍ରତୀକ୍ଷାଗାରରେ ମନୀଷାବେନଙ୍କ ରହିବା ଆବଶ୍ୟକ ହୁଏ । ସେ କହନ୍ତି ଯେ ପ୍ରତି ଥର ଏହି ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ତାଙ୍କ ବୁଢ଼ା ଆଙ୍ଗୁଠିର ଟିପଚିହ୍ନ ନିଆଯାଏ ଏବଂ ସେ ଏକଥା ବି ଜାଣନ୍ତି ଯେ ରୋଗୀଙ୍କର ଯଦି କିଛି ହୋଇଯାଏ, ତେବେ ସେଥିପାଇଁ ହାସପାତାଳ ଦାୟୀ ନୁହଁ ବୋଲି ସୁନିଶ୍ଚିତ କରିବାକୁ ଏହା କରାଯାଏ । ସେ କହିଲେ, “ବେଳେବେଳେ ତାଙ୍କୁ ଗୁରୁତର ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଇଣ୍ଟେନ୍‌ସିଭ କେଆର୍‌ ୟୁନିଟ୍‌ରେ ଭର୍ତ୍ତି କରିବାକୁ ପଡ଼େ ଏବଂ ଏଥିପାଇଁ ସେମାନେ (ହାସପାତାଳ କର୍ମଚାରୀ) ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ୧୦,୦୦୦ ଟଙ୍କା ଜମା କରିବାକୁ କହନ୍ତି ।”

ବିରାମ ଭାଇ ଜଣେ କିଡ୍‌ନୀ ରୋଗୀ ହୋଇଥିବାରୁ, ୨୦୧୮ରେ ଆରମ୍ଭ ହୋଇଥିବା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ୍‌-ଜେଏୱାଇ)ରେ ସେ ବର୍ଷକୁ ୫ ଲକ୍ଷ ଟଙ୍କା ପାଇବାକୁ ଯୋଗ୍ୟ । ବିରାମଭାଇଙ୍କୁ ବର୍ଷେ ପରେ, ୨୦୧୯ ମସିହା ଶେଷ ଭାଗରେ, ଏହି ଯୋଜନାର କାର୍ଡ ମିଳିଥିଲା ଏବଂ ଏବେ ସେ ଏହାକୁ ତାଙ୍କର ଦୈନିକ ଡାଏଲିସିସ୍‌ର ଖର୍ଚ୍ଚଭରଣା ଲାଗି ବ୍ୟବହାର କରୁଛନ୍ତି । ଡାଏଲିସିସ୍‌ ବାବଦରେ ପ୍ରତି ଥର ୬୫୦ ଟଙ୍କା ଖର୍ଚ୍ଚ ହୁଏ ଏବଂ ନଗଦ ଟଙ୍କା ବିନା ଏହି କାର୍ଡ ଜରିଆରେ ଏହା ଦିଆଯାଏ । କିଛି ଦିନ ତଳେ, ୨୦୧୨ରେ ଗୁଜରାଟ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ଅମୃତମ୍‌ କାର୍ଡ ସଂପର୍କରେ ବିରାମଭାଇ ଜାଣିବାକୁ ପାଇଲେ । ଏଥିପାଇଁ ସେ ଆବେଦନ କଲେ ଏବଂ ବର୍ଷେ ତଳେ ଏହି କାର୍ଡ ତାଙ୍କୁ ମିଳିଥିଲା । ଉଭୟ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଅମୃତମ୍‌ ଯୋଜନା ସମନ୍ୱିତ ଭାବରେ କାର୍ଯ୍ୟକାରୀ ହୁଏ ଏବଂ ଏହା ଜରିଆରେ ବର୍ଷକୁ ୫ ଲକ୍ଷ ଟଙ୍କା ଯାଏ ଚିକିତ୍ସା ଖର୍ଚ୍ଚ ସୁବିଧା ମିଳେ ଏବଂ ଦିନ ଶେଷରେ ଯିବାଆସିବା ବାବଦରେ ଦୈନିକ ୩୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ମିଳିଯାଏ । ମନୀଷାବେନ କହିଲେ, “ରକ୍ତ ପରୀକ୍ଷା ବାବଦରେ ୧,୦୦୦ ଟଙ୍କା ଖର୍ଚ୍ଚ ଭଳି ଆଉ କେତେକ ଖର୍ଚ୍ଚଭରଣାର ସୁବିଧା ଏହି କାର୍ଡରେ ମିଳେ ନାହିଁ ଏବଂ ଗସ୍ତ ଖର୍ଚ୍ଚ ବି ଗତ କିଛି ମାସ ହେଲା ମିଳିନାହିଁ । କାହିଁକି, ସେକଥା ଆମେ ଜାଣିନୁ ।”

ଯେଉଁ ଦିନ ହାସପାତାଳ ଯିବାକୁ ପଡ଼େ ନାହିଁ, ସେଦିନ ମନୀଷାବେନ୍‌ ତାଙ୍କ ସ୍ୱାମୀଙ୍କ ପାଖେ ପାଖେ ରହିଥାଆନ୍ତି। ପ୍ରତି ୪୮ ଘଣ୍ଟାରେ ଥରେ ଡାଏଲିସିସ୍‌ କରାଯାଉଥିବାରୁ ତାଙ୍କର ରକ୍ତଚାପ କମିଯାଇଛି ଏବଂ ତାଙ୍କ ମୁଣ୍ଡ ବୁଲାଇ ଦେଲାଭଳି ଲାଗେ। ଏମିତି କି ସେ ଚାଲୁଥିବା ବେଳେ ପଡ଼ି ବି ଯାଇଛନ୍ତି। ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ ହାସପାତାଳ ଯିବା ଲାଗି ମନୀଷାବେନ ଓ ବିରାମଭାଇ ସେମାନଙ୍କ ପଡ଼ୋଶୀଙ୍କ ପାଖରୁ ମୋଟର ସାଇକେଲ ମାଗି ନେଉଥିଲେ। ମନୀଷାବେନ୍‌ କହିଲେ, “ପ୍ରତି ଥର ଯା’ଆସ କରିବା ଲାଗି ୨୦୦-୩୦୦ ଟଙ୍କାର ପେଟ୍ରୋଲ ଭରିବାକୁ ରାଜି ହେଲେ ଆମକୁ ମୋଟର ସାଇକେଲ ମିଳେ। ରାସ୍ତାରେ ପୋଲିସକୁ ଦେଖାଇବା ଲାଗି ସବୁ କାଗଜପତ୍ର ସାଙ୍ଗରେ ଆଣିବାକୁ ପଡ଼େ। ବେଳେବେଳେ ତାଙ୍କର (ବିରାମଭାଇଙ୍କର) ମୁଣ୍ଡ ବୁଲାଉ ଥିବାରୁ ଏଭଳି ଭାବରେ ଯାତ୍ରା କରିବା ଖୁବ୍‌ ବିପଜ୍ଜନକ ଥିଲା ।”

ରାତିରେ ଯେତେବେଳେ ଏହି ଦମ୍ପତି ଘରେ ପହଞ୍ଚନ୍ତି, ଦିନସାରା ମନୀଷାବେନ ସଂଗ୍ରହ କରିଥିବା ଖାଦ୍ୟକୁ ପିଲାମାନେ ଖାଆନ୍ତି । ଫଟୋ: ମିତ କାକଡ଼ିୟା

ଜାମନଗର ଜିଲ୍ଲାର ଜୋଡ଼ିୟା ତାଲୁକା ଅନ୍ତର୍ଗତ କେଶିୟା ଗାଁରେ ମନୀଷାଙ୍କ ବାପା ଓ ମାଆଙ୍କ ସହିତ ସେମାନଙ୍କ ପିଲାମାନେ ରହନ୍ତି । ସେଠାକାର ଗାଁ ସ୍କୁଲରେ ସେମାନଙ୍କ ନାମଲେଖା ହୋଇଥିଲା। କିନ୍ତୁ ଲକ୍‌ଡାଉନ୍‌ ସମୟରେ ସ୍କୁଲ ଚାଲୁ ନଥିବାରୁ ଏବଂ ନିୟମିତ କାମଧନ୍ଦାର ସୁଯୋଗ ମିଳୁ ନଥିବାରୁ, ମନୀଷାଙ୍କ ମାଆ ଆଉ ପିଲାମାନଙ୍କର ଯତ୍ନ ନେଇପାରିଲେନି ଏବଂ ସେମାନଙ୍କ ପୁଣି ପଠାଇ ଦେଲେ ।

ରାତି ୯ଟା ସୁଦ୍ଧା ଏହି ଦମ୍ପତି ଘରକୁ ଫେରିଆସନ୍ତି ଏବଂ ସେମାନେ ଯାହା କିଛି ଯୋଗାଡ଼ କରି ଆଣିଥାଆନ୍ତି, ତାହା ପିଲାମାନଙ୍କୁ ଖାଇବାକୁ ଦିଅନ୍ତି । ଘରେ ସେମାନଙ୍କ ଦେଖାରଖା କରିବାକୁ କୌଣସି ବୟସ୍କ ବ୍ୟକ୍ତି ନଥିବାରୁ ଏକା ଏକା ରହିଥିବା ପିଲାଙ୍କୁ ନେଇ ବାପାମାଆ ସାରା ଦିନ ଚିନ୍ତା କରୁଥାଆନ୍ତି । ମନୀଷାବେନ କହନ୍ତି ଯେ, ନିକଟରେ ସେ ରହୁଥିବା ସୋସାଇଟିରେ ପିଲାଙ୍କୁ ଅପହରଣ କରାଯାଇଥିବାର କେତେକ ମାମଲା ନଜରକୁ ଆସିଥିଲା । ବେଳେବେଳେ, ହାସପାତାଳରେ ରୋଗୀଙ୍କ ସଂଖ୍ୟା ବେଶୀ ଥିଲେ, ବିରାମଭାଇଙ୍କ ଚିକିତ୍ସାରେ ବିଳମ୍ବ ହୁଏ ଏବଂ, “ଏକା ଏକା ଘରେ ରହୁଥିବା ଆମ ପିଲାଙ୍କ କଥା ଚିନ୍ତା କରି ଆମେ ବ୍ୟାକୁଳ ହୋଇଯାଉ।”

ପତିପତ୍ନୀ ଦୁହେଁ ସେହି ସମୟ କଥା ମନେ ପକାନ୍ତି, ଯେତେବେଳେ ସେମାନେ କାମ କରିବାରେ ସକ୍ଷମ ଥିଲେ ଏବଂ ଖାଇବା ପାଇଁ ଭିକ ମାଗିବାକୁ ପଡୁ ନଥିଲା । “ପାଞ୍ଚ ବର୍ଷ ତଳେ ଆମେ ଯେତେବେଳେ ଭଲ ରୋଜଗାର କରୁଥିଲୁ, ସେତେବେଳେ ଏହି ଓୟିଡ଼ିକୁ ବିକି ଦେବା କଥା ଚିନ୍ତା କରିଥିଲୁ । ଏବେ ଆମେ ଖୁସି ଯେ ଏହାକୁ ବିକିନଥିଲୁ।  ଆମେ ଠିକ୍‌ କରିଛୁ ଯେ, ଯାହା ହୋଇଯାଉ ପଛେ, ଆମେ ଆମ ଓୟିଡ଼ିକୁ ବିକିବୁ ନାହିଁ । କାହିଁକି ନା ଆମ ପିଲାମାନେ କୋଉଠି ରହିବେ ?” ବିରାମଭାଇ ପଚାରନ୍ତି ।

Editor's note

ମିତ୍‌ କାକଡ଼ିୟା, ଅହମଦାବାଦସ୍ଥିତ ସେଣ୍ଟର ଫର ଏନଭିରନ୍‌ମେଣ୍ଟାଲ ପ୍ଲାନିଂ ଆଣ୍ଡ ଟେକ୍ନୋଲୋଜି ୟୁନିଭର୍ସିଟିର ଅର୍ବାନ ଡିଜାଇନ ବିଭାଗର ଜଣେ ଛାତ୍ର । ରାଜକୋଟରେ ତାଙ୍କ ଘରେ ଥିବା ବେଳେ, ସେ ଯେଉଁ ସୋସାଇଟିରେ ରହନ୍ତି, ସେଠାକାର କେତେକ ଘରୁ ମନୀଷାବେନ୍‌ ଖାଦ୍ୟ ଓ ପଇସା ନେଉଥିବା ଦେଖିଲେ । ଏହି ଲେଖା ପାଇଁ ସେ ତାଙ୍କ ସହିତ ଓ ତାଙ୍କ ସ୍ୱାମୀଙ୍କ ସହିତ କଥାବାର୍ତ୍ତା କରିବାକୁ ଗଲେ । ସେ କହନ୍ତି, ଏହି ଲେଖା ସଂପର୍କରେ ତଥ୍ୟ ସଂଗ୍ରହ ବେଳେ ମୋର ହୃଦ୍‌ବୋଧ ହେଲା ଯେ, ଆମ ଦେଶର ଭାଗଚାଷୀମାନେ କିଭଳି ଦୟନୀୟ ସ୍ଥିତିରେ ଅଛନ୍ତି । ଅର୍ବାନ ଡିଜାଇନ ବିଭାଗର ଜଣେ ଛାତ୍ର ଭାବରେ, ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ଓ ଭିତ୍ତିଭୂମିଗତ ସୁବିଧାର ଉପଲବ୍‌ଧତା ଏବଂ ଏସବୁ ହାସଲ କରିବାର ସାମର୍ଥ୍ୟ ପ୍ରସଙ୍ଗରେ ସହରୀ ଓ ଗ୍ରାମୀଣଙ୍କ ମଧ୍ୟରେ ରହିଥିବା ସଂଯୋଗ ସଂପର୍କରେ ପୁନର୍ବାର ଚିନ୍ତା କରିବାକୁ ମୋତେ ଏହା ବାଧ୍ୟ କଲା ।

ଅନୁବାଦ: ଓଡ଼ିଶାଲାଇଭ୍‍ ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛିଓଡ଼ିଶାଲାଇଭ୍ ହେଉଛି  ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଯୋଗାଯୋଗ ଏଜେନ୍ସିଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ