ମୁସ୍କାନକୁ ମାତ୍ର ୧୦ ବର୍ଷ ବୟସ କିନ୍ତୁ ସେ ସିଂଘୁ ଆନ୍ଦୋଳନସ୍ଥଳୀର ଟିକିନିଖି କଥା ଜାଣେ।

ସାରା ଦିନ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଉଥିବା ଏକ ଲଙ୍ଗର ଟେଣ୍ଟ ଆଡ଼କୁ ଇସାରା କରି ସେ କହିଥାଏ, “ଏହା ହେଉଛି ସେହି ସ୍ଥାନ ଯେଉଁଠି ସେମାନେ (ଚାଷୀମାନେ) ଆମକୁ ଭୋଜନ ଓ ଚା’ ଦେଇଥାନ୍ତି। ଏପରିକି ସେମାନେ ଆମ ପାଇଁ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ କରି ଘରକୁ ନେଇଯିବା ଲାଗି କହିଥାନ୍ତି, ବୋତଲରେ ଚା’ ମଧ୍ୟ ଭରି ଦେଇଥାନ୍ତି। ଆଉ ଏକ ସ୍ଥାନ ଆଡ଼କୁ ଇସାରା କରି ଏହି ବାଳିକା ଜରିଗୋଟାଳୀ ଜଣଙ୍କ କହିଥାଏ, “ଆବର୍ଜନା ଗୋଟାଇବା ସମୟରେ, ଆମେ ଖାଲି ପାଦରେ ଥିଲେ ଏଠାରେ ଆମକୁ ଚପଲ ମିଳିଥାଏ।”

ଆନ୍ଦୋଳନସ୍ଥଳୀରେ ଏକ ଟେଣ୍ଟରେ ସ୍ଥାପନ ହୋଇଥିବା ସାଞ୍ଝିସାଥ ଏବଂ ଶହୀଦ ଭଗତ ସିଂ ପାଠାଗାର ଆଡ଼କୁ ଇସାରା କରି ମୁସ୍କାନର ଭଉଣୀ ନଅ ବର୍ଷୀୟା ଚାନ୍ଦିନୀ କୁହେ, “ଏଠାରେ ଜଣେ ଦିଦି ପାଠପଢ଼ାନ୍ତି ଏବଂ ଆମକୁ ଖାତା ଓ ପେନସିଲ ଦିଅନ୍ତି।” ଏଠାରେ କଲେଜ ଛାତ୍ରଛାତ୍ରୀମାନେ ସ୍ଥାନୀୟ ପିଲାମାନଙ୍କୁ ସ୍ଵେଛାକୃତ ଭାବେ ପାଠ ପଢ଼ାଇଥାନ୍ତି। ସେ ଖୁସିର ସହିତ କହିଥାଏ, “ସେମାନେ ଆମକୁ ଛବି ଥିବା ବହିରୁ କାହାଣୀ କହିଥାନ୍ତି। ଆମେ ମଧ୍ୟ ଚିତ୍ର ଆଙ୍କିଥାଉ।” କୋଭିଡ ଲକଡାଉନ କାରଣରୁ ଉଭୟ ବାଳିକା ସ୍କୁଲ ପାଠପଢ଼ା ଛାଡ଼ି ଦେଇଛନ୍ତି।

ନୂଆ କୃଷି ଆଇନକୁ ବିରୋଧ କରି ନଭେମ୍ବର ୨୬, ୨୦୨୦ ଠାରୁ ଦିଲ୍ଲୀ-ହରିୟାଣା ସୀମାରେ ଚାଷୀମାନେ ଏକତ୍ରିତ ହୋଇଛନ୍ତି। ମୁସ୍କାନ ଓ ଚାନ୍ଦିନୀ ସକାଳ ପାଖାପାଖି ୮ ଟା ବେଳେ ଆନ୍ଦୋଳନସ୍ଥଳୀକୁ ଆସିଥାନ୍ତି ଏବଂ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଏଠାରେ ରହିଥାନ୍ତି।  ସେମାନେ ଗଲା ବେଳେ ସାଥୀରେ ଏକ ବଡ଼ ନମନୀୟ ବସ୍ତାରେ ଭର୍ତ୍ତି କରି ଖାଲି ବୋତଲ ଏବଂ ଅନ୍ୟ ପୁନଃବ୍ୟବହାରଯୋଗ୍ୟ ବର୍ଜ୍ୟ ସାମଗ୍ରୀ ନେଇଯାଇଥାନ୍ତି । ଏସବୁ ସାମଗ୍ରୀକୁ ସେମାନଙ୍କର ମାତାପିତା ବିକ୍ରି କରିଥାନ୍ତି; ସେମାନେ ମଧ୍ୟ ଜରି ଗୋଟାଳୀ ଭାବେ କାମ କରିଥାନ୍ତି।

ଏକ ଖୋଲା ଡ୍ରେନ ଆଡ଼କୁ ଇସାରା କରି ସେମାନେ କୁହନ୍ତି, “ଏଇ ନିକଟରେ ଆମେ ରହୁ।” ସେମାନଙ୍କ ଘର ବିଷୟରେ ପଚାରିବାରୁ ମୁସ୍କାନ କୁହନ୍ତି, “ନାଳ ଦେଇ ଜଙ୍ଗଲ ଆଡ଼କୁ ସିଧା ଯାଆନ୍ତୁ।” ଆନ୍ଦୋଳନସ୍ଥଳୀଠାରୁ ପାଖାପାଖି ଦୁଇ କିଲୋମିଟର ଦୂରରେ ଥିବା ସେମାନଙ୍କ ବସ୍ତି ଆଡ଼କୁ ଉତ୍ସାହର ସହିତ ଚାଲି ଚାଲି ଦୌଡ଼ି ଦୌଡ଼ି ସେ କହୁଥାଏ, “ଆମ ବସ୍ତିଠାରୁ ଆମେ ବେଶି ଦୂରରେ ନାହୁଁ। ଆସନ୍ତୁ ! ଆମେ ଆପଣଙ୍କୁ ଦେଖାଇ ଦେବୁ।”

ମୁସ୍କାନ ଓ ଚାନ୍ଦିନୀଙ୍କ ଘର କହିଲେ ଟିଣ କାନ୍ଥ ଉପରେ ପ୍ଲାଷ୍ଟିକ ଚାଦର ଛାତ ଥିବା ବଖୁରିକିଆ ଘର। ସେମାନଙ୍କ ପରିବାର ଏବଂ ସେମାନଙ୍କ ଚାରିପାଖରେ ରହୁଥିବା ସମୁଦାୟ ସମସ୍ତେ ଜରିଗୋଟାଳୀ ଯେଉଁମାନେ ପଶ୍ଚିମବଙ୍ଗରୁ ଚାଲିଆସିଛନ୍ତି। ସେମାନେ ଏବେ ନେରେଲା ତହସିଲ ଉପକଣ୍ଠରେ, ଦିଲ୍ଲୀ ଦେଇ ଯାଇଥିବା ଐତିହାସିକ ଗ୍ରାଣ୍ଡ ଟ୍ରଙ୍କ ରୋଡ, ବର୍ତ୍ତମାନ ଜାତୀୟ ରାଜପଥ ୧ ନାମରେ ପରିଚିତ, ନିକଟରେ ଅସ୍ଥାୟୀ ଭଡ଼ା ଘରେ ରହୁଛନ୍ତି।

ବସ୍ତି ଦେଇ ଯିବାବେଳେ ସେମାନେ ବାରମ୍ବାର ଅଟକି, ଆମେ ଭେଟୁଥିବା ଲୋକମାନଙ୍କୁ ମୋତେ ଚିହ୍ନାଇ ଦେଉଥିଲେ। ସେମାନେ ସମସ୍ତେ ନିଜର ଜୀବିକା ନିର୍ବାହ କରିବା ଲାଗି ଆନ୍ଦୋଳନସ୍ଥଳୀ ଏବଂ ଆଖପାଖ ଅଞ୍ଚଳରୁ ଜରି ଓ ଆବର୍ଜନା ସଂଗ୍ରହ କରୁଥିଲେ। “ଏ ହେଉଛି ଆମ ବନ୍ଧୁ। ଆପଣ ଦୟାକରି ତାଙ୍କର ଏକ ଫଟୋ ଉଠାଇବେ କି?” ସେମାନେ ପଚାରିଲେ।

ସିଂଘୁ ସୀମାରେ ଥିବା ସିଂଘୁ ଆନ୍ଦୋଳନସ୍ଥଳୀର କେନ୍ଦ୍ରୀୟ ଭାଗରେ ଥିବା ଏକ ମଞ୍ଚକୁ ଦେଖାଇ ଦେଇ ମୁସ୍କାନ କହିଥିଲା, “ଦୁଇ ଦିନ ପୂର୍ବରୁ ଏଠାରେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ତାଙ୍କର ପଗଡ଼ି ଖୋଲିଯାଇଥିଲା ଏବଂ ତାଙ୍କ ମୁଣ୍ଡରୁ ରକ୍ତ ଝରୁଥିଲା।” ଏହା ପିଲାମାନଙ୍କୁ ଭୟଭୀତ କଲା ଏବଂ ସେମାନେ ଏହାର ତିନି ଦିନ ପର୍ଯ୍ୟନ୍ତ ଆନ୍ଦୋଳନସ୍ଥଳୀଠାରୁ ଦୂରରେ ରହିଥିଲେ।

ଏହି ବାଳିକାମାନେ ସେମାନଙ୍କର ପଡ଼ୋଶୀ ୨୮ ବର୍ଷୀୟା ଅସ୍ମିନା ବିବିଙ୍କ ସହିତ ସବୁବେଳେ ଆସିଥାନ୍ତି, ଯିଏକି ଗତ ୧୭ ବର୍ଷ ହେବ ଏହି କାମ କରିଆସୁଛନ୍ତି। “ମୁଁ ଜଣେ କବାଡ଼ିବାଲା (ବର୍ଜ୍ୟ ସାମଗ୍ରୀ କିଣିବା ଓ ବିକ୍ରି କରି ଜୀବନ ନିର୍ବାହ କରୁଥିବା ଜଣେ ବ୍ୟକ୍ତି) ପରିବାରରେ ଜନ୍ମ ନେଇଥିଲି ଏବଂ ପରେ ଜଣେ କବାଡ଼ିବାଲାଙ୍କୁ ହିଁ ବାହା ହୋଇଥିଲି”, ସେ କୁହନ୍ତି। “ଆମେ ସମସ୍ତେ ପଶ୍ଚିମବଙ୍ଗରୁ ଆସିଛୁ, ବାଂଲାଦେଶରୁ ନୁହେଁ। ଆମେ କିପରି ଭାବେ ଏହା ପ୍ରମାଣିତ କରିବୁ ଏବଂ ଆମ ପୂର୍ବଜମାନଙ୍କର ଦସ୍ତାବିଜ ଦେଖାଇବୁ?” ସେ ପ୍ରଶ୍ନ କରିଥାନ୍ତି। ସେ ଆହୁରି କୁହନ୍ତି ଯେ ବସ୍ତିର ସବୁ ଲୋକ ଚାଷୀଙ୍କୁ ସମର୍ଥନ କରନ୍ତି (ସେ ୨୦୧୯ର ନାଗରିକତା ସଂଶୋଧନ ଆଇନ-ସିଏଏ ବିଷୟରେ ଉଲ୍ଲେଖ କରିଥାନ୍ତି)। ଅସ୍ମିନା କୁହନ୍ତି, “ସିଏଏ ବିରୋଧୀ ଆନ୍ଦୋଳନ ସମୟରେ, ଏଠାକାର ପଞ୍ଜାବୀ ସମାଜ ଏଠାରେ ଲଙ୍ଗର (ମାଗଣା ଗୋଷ୍ଠୀ ଭୋଜନାଳୟ) ଖୋଲି ଆମକୁ ସହାୟତା କରିଛନ୍ତି ।  ଏବେ ଆମେ ସେମାନଙ୍କୁ ସହାୟତା କରୁଛୁ : ଆମେ ସେମାନଙ୍କର ଟ୍ରଲି ନିକଟରେ ଝାଡ଼ୁ ମାରିଥାଉ, ଅଳିଆ ସଫା କରିଥାଉ ଏବଂ ପୁନଃବ୍ୟବହାରଯୋଗ୍ୟ ଆବର୍ଜନା ସଂଗ୍ରହ କରିଥାଉ।”

ପଶ୍ଚିମବଙ୍ଗର ମୁର୍ଶିଦାବାଦର ଏକ ବଙ୍ଗଳା ମାଧ୍ୟମ ବିଦ୍ୟାଳୟରେ ଅସ୍ମିନା ଦ୍ୱିତୀୟ ଶ୍ରେଣୀ ଯାଏ ପଢ଼ିଥିଲେ : “ଝିଅମାନେ (ମୁସ୍କାନ ଏବଂ ଚାନ୍ଦିନୀ) କେବେ ଉପଯୁକ୍ତ ଔପଚାରିକ ଶିକ୍ଷା ପାଇନଥିଲେ। କିଛିଦିନ ପାଇଁ ସେମାନେ ନିକଟସ୍ଥ ସରକାରୀ ବିଦ୍ୟାଳୟକୁ ଯାଇଥିଲେ, କିନ୍ତୁ ଲକଡାଉନ ପରେ ସେମାନେ ସ୍କୁଲ ଯିବା ଛାଡ଼ି ଦେଇଛନ୍ତି।”

ସେମାନଙ୍କ ଘର ନିକଟରେ, ମୁସ୍କାନ ମୋତେ ଏକ ପରିତ୍ୟକ୍ତ ଅଟୋ ଦେଖାଇ କହିଥିଲା, “ଏହିଠାରେ ହିଁ ଆମେ ସଂଗ୍ରହ କରିଥିବା ଆବର୍ଜନା ରଖିଥାଉ। ସମସ୍ତେ ଏଠାରେ ସେମାନଙ୍କ ଦ୍ୱାରା ସଂଗୃହିତ ବର୍ଜ୍ୟ ରଖିଥାନ୍ତି ଏବଂ ସୋନିପତ (ହରିୟାଣା)ରୁ ଏକ ଟେମ୍ପୋ ଆସି ଏଗୁଡ଼ିକୁ କିଣି ନେଇଥାଏ।” ସେମାନଙ୍କ ଘର ଆଗ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ବର୍ଜ୍ୟ-ପ୍ଲାଷ୍ଟିକ ବର୍ଜ୍ୟ, ବୋତଲ, ଜରି ଆଦିରେ ଭର୍ତ୍ତି ହୋଇ ରହିଥିଲା।

ଆନ୍ଦୋଳନସ୍ଥଳୀକୁ ଆସୁଥିବା ଏବଂ ଯାଉଥିବା ଲକ୍ଷାଧିକ ଲୋକ ଅସ୍ମିନା ଓ ତାଙ୍କ ଝିଆରୀମାନଙ୍କ ଭଳି ଜରି ଗୋଟାଳୀଙ୍କ ପାଇଁ ଅନେକ ବର୍ଜ୍ୟ ସୃଷ୍ଟି କରିପାରିଛନ୍ତି। ତେଣୁ ସେମାନେ ଗୋଟିଏ ଲଙ୍ଗରରୁ ଆଉ ଗୋଟିଏ ଲଙ୍ଗରକୁ ଯାଇ ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ଡବା, ଥର୍ମୋକୋଲ ପ୍ଲେଟ, ଫଏଲ ଖାଦ୍ୟ ଜରି, କାର୍ଡବୋର୍ଡ, ପୁରୁଣା ପେପର ଓ ବ୍ୟବହୃତ ନୋଟବୁକ ଆଦି ପୁନଃବ୍ୟବହାରକ୍ଷମ ବର୍ଜ୍ୟରେ ବଡ଼ ବଡ଼ ବସ୍ତା ଭର୍ତ୍ତି କରି ନେଇଥାନ୍ତି। କେତେକ ଜରି ଗୋଟାଳି ବର୍ଜ୍ୟକୁ ଛାଡ଼ି କେବଳ ପ୍ଲାଷ୍ଟିକ ପାଣି ବୋତଲ ସଂଗ୍ରହ କରିଥାନ୍ତି ଯାହାକୁ ସେମାନେ କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି କରିପାରିବେ। “ପ୍ଲାଷ୍ଟିକ ବୋତଲ ବିକ୍ରି କରି ମୁଁ ଦିନକୁ ୬୦୦ରୁ ୮୦୦ ଟଙ୍କା ରୋଜଗାର କରିପାରିବି”, ଅସ୍ମିନା କୁହନ୍ତି। ପୂର୍ବରୁ ସେ କରୁଥିବା ରୋଜଗାରର ଏହା ହେଉଛି ତିନିରୁ ଚାରି ଗୁଣ ଅଧିକ।

ଆନ୍ଦୋଳନ ଯୋଗୁ ଅଧିକ ଲାଭ ହେଉଥିଲେ ମଧ୍ୟ ଚାଷୀଙ୍କ ସମସ୍ୟା ପ୍ରତି ସେମାନେ ଆଖି ବୁଜି ଦେଇନାହାନ୍ତି। “ଆମେ ଚାହୁଁଛୁ ସେମାନଙ୍କର ସମସ୍ୟା ଯଥାଶୀଘ୍ର ସମାଧାନ ହୋଇଯାଉ ଏବଂ ସେମାନେ ନିଜ ନିଜ ଘରକୁ ଫେରିଯାଆନ୍ତୁ। ଚାଷୀମାନେ ଫସଲ ଅମଳ କରୁଥିବାରୁ ଆମେ ଖାଇବାକୁ ଖାଦ୍ୟ ପାଉଛୁ; ଆମେ ଟଙ୍କାକୁ ଖାଇପାରିବୁ ନାହିଁ”, ଅସ୍ମୀନା କୁହନ୍ତି। ସେ ଆହୁରି କୁହନ୍ତି, “ଯଦି ଆମ ପାଖରେ ଜମି ଥାଆନ୍ତା, ଆମେ କବାଡ଼ିବାଲା ଭାବେ, ଦିନକୁ ୨୦୦ ଟଙ୍କାରୁ କମ୍‌ ରୋଜଗାରରେ ଖଟିନଥାନ୍ତୁ। କୃଷି ଆଇନ ପ୍ରତ୍ୟାହାର କରି ନିଆଯିବା ଉଚିତ୍ ନହେଲେ ସେମାନଙ୍କ (ଚାଷୀମାନଙ୍କ) ଅବସ୍ଥା ଆମ ଭଳି ହୋଇଯିବ।”

Editor's note

ସୌମ୍ୟା ଠାକୁର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ବିବିଏ-ଏଲଏଲବିର ଚତୁର୍ଥ ବର୍ଷ ଛାତ୍ରୀ। ସେ ଜଣେ ଚାଷୀ ପରିବାରରୁ ଆସିଛନ୍ତି ଏବଂ ଲିଙ୍ଗ ସମ୍ବେଦନଶୀଳତା କ୍ଷେତ୍ରରେ -ଛାତ୍ର ଅଧିକାର ପାଇଁ ସ୍ଵର ଉତ୍ତୋଳନ କରିଥାନ୍ତି। ସେ କୁହନ୍ତି: “ଆନ୍ଦୋଳନ ସମ୍ପର୍କରେ ଆଲେଖ୍ୟ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଛତିଶଗଡ଼ସ୍ଥିତ ମୋ ଘରୁ ମୁଁ ସିଂଘୁ ଆସିଛି। ସିଂଘୁରେ ପଞ୍ଜାବ କିଷାନ ୟୁନିଅନର ଏକ ସମାବେଶରେ ମୁଁ ଏହି ପିଲାମାନଙ୍କୁ ଦେଖିଥିଲି ଏବଂ ସେମାନଙ୍କ ସମ୍ପର୍କରେ ଲେଖିବା ପାଇଁ ଆଗ୍ରହୀ ହୋଇଥିଲି।”


ଅନୁବାଦ: ଓଡ଼ିଶାଲାଇଭ୍‍


ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ