
କାଣ୍ଡାଙ୍କଡାଭୁର ଜଣେ ମତ୍ସ୍ୟଜୀବୀ ଲାଇଜୁ ସେବାଷ୍ଟିଆନ, ୫୨ ତାଙ୍କ ଘର ଚାରିପାଖରେ ଥିବା ପଦଶେଖରମ୍ (ବଡ଼ ମାଛ ଘେରି) କୁହନ୍ତି, ‘‘ଅଧିକାଂଶ ମାଛ ଚାଲିଯାଇଛି, ଆମେ ବଳକା ଧରିବାକୁ ଚେଷ୍ଟା କରୁଛୁ’’ । ଲାଇଜୁଙ୍କର ଏହି ପଦଶେଖରମ୍ ର ମାଲିକଙ୍କ ସହିତ ଏକ ଚୁକ୍ତି ଅଛି ଯେ: ମାଲିକ ଜଣଙ୍କ ତାଙ୍କ ବାର୍ଷିକ ଭାଗ ଆଦାୟ କରିନେବା ପରେ ସେ ଏଠାରେ ମାଛ ଧରିପାରିବେ । ସେ ଚିନ୍ତାଗ୍ରସ୍ତ ଭାବରେ କହିଥିଲେ, ‘‘ସେମାନେ ପ୍ରତି ସପ୍ତାହରେ ଶହ ଶହ କେଜି ନେଇଯାଆନ୍ତି, ଏବଂ ଏହି କରୋନା ଭୂତାଣୁ ମଧ୍ୟ ସେମାନଙ୍କୁ ଏହା ନେବାରୁ ଅଟକାଇପାରିନାହିଁ । ଆମେ ଅଧିକ ପାଇବୁ ନାହିଁ ।’’
ସାଧାରଣତଃ ଲାଇଜୁ ଏଠାରେ ତାଙ୍କର ମାଛ ଧରାକୁ ନିକଟସ୍ଥ ହ୍ରଦଗୁଡ଼ିକ ଏବଂ ପୁଝା (ଲାକ୍ଷାଦୀପ ସମୁଦ୍ରର ଜଳସ୍ରୋତ)ରେ ମାଛ ଧରି ପରିପୂରଣ କରନ୍ତି । ତେବେ କେରଳ ସରକାରଙ୍କର ଲକଡାଉନ୍ ମାର୍ଚ୍ଚ ୨୩, ୨୦୨୦ରେ ଆରମ୍ଭ ହେବା ପରେ ତାଙ୍କ ଯୋଜନା ନଷ୍ଟ ହୋଇଯାଇଥିଲା। ମେ ୧ ତାରିଖରେ ତାଙ୍କ ପରି ଥିବା ପାରମ୍ପରିକ ଡଙ୍ଗାଗୁଡ଼ିକ ଚଳାଇବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସୂଚିତ କରି ସେ କହିଥିଲେ, ‘‘ମୁଁ ମୋ ବାଞ୍ଜି (ହୁଲି ଡଙ୍ଗା) ନେଇପାରିବି । କିନ୍ତୁ ଲାଭ କ’ଣ,’’ ସେ ତାଙ୍କ ସାମ୍ନାରେ ଥିବା ବିଶାଳ ଜଳରାଶିକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଥିଲେ : ‘‘କୌଣସି ମାଛ ବାକି ନାହିଁ, ତେଣୁ ମୁଁ କିଛି ପାଇବି ନାହିଁ ।’’

କେରଳ ନିମନ୍ତେ ସାମୁଦ୍ରିକ ମାଛ ଚାଷ ଜନଗଣନା ୨୦୧୦ ଅନୁଯାୟୀ ଏଠାରେ ୧,୧୮,୯୩୭ ମତ୍ସ୍ୟଜୀବୀ ପରିବାର ଅଛନ୍ତି ଏବଂ ୫୫ ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍) ରୁହନ୍ତି । ଏହି ଲକ୍ଡାଉନ୍ ଦ୍ୱାରା ଅସୁବିଧାରେ ପଡିଥିବା ମତ୍ସ୍ୟଜୀବୀ ପରିବାରଗୁଡ଼ିକୁ ସହାୟତା ଭାବରେ ରାଜ୍ୟ ଟ.୨୦୦୦ର ଏକକାଳୀନ ଆର୍ଥିକ ସହାୟତା ପ୍ରଦାନ କରିଛି । ଲାଇଜୁ ତାଙ୍କ ଗାଁର ଅନେକଙ୍କ ମଧ୍ୟରୁ ଜଣେ ଥିଲେ, ଯିଏ କି ଏହି ସହାୟତା ପ୍ୟାକେଜ୍ ଗ୍ରହଣ କରିଥିଲେ; ତାଙ୍କ ପରିବାର ମଧ୍ୟ ରିହାତି ମୂଲ୍ୟରେ ପିଡିଏସ୍ ରାସନ ପାଉଛନ୍ତି ।
ଲାଇଜୁ ଜଣେ ଚତୁର୍ଥ ପିଢ଼ୀର ମତ୍ସ୍ୟଜୀବୀ ଏବଂ ୧,୪୪୪ ମତ୍ସ୍ୟଜୀବୀ ଜନସଂଖ୍ୟା ବିଶିଷ୍ଟ ଏକ ଛୋଟ ମତ୍ସ୍ୟଜୀବୀ ଗାଁ କାଣ୍ଡାଙ୍କଡାଭୁରେ ନିଜ ଚାରିଜଣିଆ ପରିବାର ସହ ବାସ କରନ୍ତି । ଲାଇଜୁଙ୍କ ପତ୍ନୀ ଜିନା କୋଚିରେ ଜଣେ ଘରୋଇ ସହାୟତା ଭାବରେ କାର୍ଯ୍ୟ କରନ୍ତି ଏବଂ ପ୍ରତିଦିନ ଯିବାଆସିବା କରନ୍ତି । ବର୍ତ୍ତମାନ ଲକ୍ଡାଉନ ପରଠାରୁ ତାଙ୍କର ମଧ୍ୟ କାମ ନାହିଁ, ଏହି ପରିବାର ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ।
କାଣ୍ଡାଙ୍କଡାଭୁର ମତ୍ସ୍ୟଜୀବୀ ପରିବାର- ଏର୍ଣ୍ଣାକୁଲମଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଭାରତ ମହାସାଗରର ମୁହାଣ ଅଞ୍ଚଳରେ ବାସକରନ୍ତି – ସେମାନେ ଚିଙ୍ଗୁଡି, କଙ୍କଡ଼ା ଏବଂ ଇଲିସି ଏବଂ ଚାନ୍ଦି (କାରିମୀନ) ପରି ବଡ଼ ମାଛ ପାଇଁ ପଦଶେଖରମର ଘେରିପାଣି ଉପରେ ନିର୍ଭର କରନ୍ତି । ଲାଇଜୁ କୁହନ୍ତି, ‘‘ଏହି ୬୦୦ ଏକର ଜମିର ମାଲିକ ଜଣେ ବ୍ୟକ୍ତି ଏବଂ ଏହିପରି ଅନେକ ଅଞ୍ଚଳ ଅନ୍ୟମାନଙ୍କର ରହିଛି ଏବଂ ସେଗୁଡ଼ିକ ଉପରେ ଜଗୁଆଳମାନେ ନଜର ରଖନ୍ତି ।’’
ଲାଇଜୁ ମାଲିକମାନଙ୍କ ପାଇଁ କାମ କରନ୍ତି ନାହିଁ କାରଣ ତାହା ତାଙ୍କୁ ଗୋଟିଏ ବ୍ୟବସାୟ ଚୁକ୍ତି ଅନୁଯାୟୀ ମାଛ ଧରିବାକୁ ବାଧ୍ୟ କରେ, ଯାହା ଏକ ପ୍ରକାର ନିର୍ଦ୍ଦିଷ୍ଟ ପରିମାଣର ମାଛ ଅନୁମୋଦନ କରିଥାଏ । ସେ କୁହନ୍ତି, ‘‘ଜଣେ ବ୍ୟବସାୟ ଆବଶ୍ୟକତା ଉପରେ ନିର୍ଭର କରି ମାଛ ଧରିପାରିବ ନାହିଁ ! ଆପଣଙ୍କୁ ମୌସୁମୀ ବର୍ଷା, ପବନ ଏବଂ ଠିକ୍ ଆକାରର ଡଙ୍ଗାର ବ୍ୟବହାର ଉପରେ ଧ୍ୟାନ ଦେବାକୁ ପଡ଼ିବ ।’’ ସେ କୁହନ୍ତି ଯେ ସାଧାରଣତଃ ଚୁକ୍ତିନାମାର ଶେଷ ଭାଗରେ ଆୟକୁ ବଢ଼ାଇବା ଦୌଡ଼ରେ ଅତ୍ୟଧିକ ମାଛ ଧରିବା ଖୁବ୍ ସାଧାରଣ ଏବଂ ଏହି ଚାପ ଏପରି ଚୁକ୍ତି ଅଧିନରେ ଥିବା ମାଲିକମାନଙ୍କ ପାଇଁ କାମ କରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ପଡିଥାଏ ।

ପରିବର୍ତ୍ତିତ କୃଷି: ଥରେ ଧାନ ଥରେ ମାଛ
ପଦଶେଖରମଗୁଡ଼ିକ ପାରମ୍ପରିକ ଭାବରେ ଗୋଟିଏ ପରିବର୍ତ୍ତନ ଆଧାରରେ ଧାନ ଏବଂ ମାଛ ଚାଷ ପାଇଁ ବ୍ୟବହୃତ ହୁଏ । ପ୍ରତ୍ୟେକ ଚାଷ ସମୟ ଚାରିରୁ ଆଠମାସ ପର୍ଯ୍ୟନ୍ତ ରହିଥାଏ । ଜଳସ୍ରୋତଗୁଡ଼ିକରୁ ପମ୍ପରେ ପାଣି ଉଠାଯାଇ କେଟୁସ (ମାଛ ଗାଡ଼ିଆ) ପ୍ରସ୍ତୁତ କରାଯାଏ , ଏହା ବର୍ଷରେ ଜୁନ୍ ରୁ ନଭେମ୍ବର ପର୍ଯ୍ୟନ୍ତ ମାଛ ଚାଷ ପାଇଁ ବ୍ୟବହାର ହୁଏ । ବର୍ଷର ବଳକା ସମୟ ଏହା ଧାନ ଚାଷ ପାଇଁ ଛାଡ଼ିଦିଆଯାଏ । ପୋକାଲି ନାମକ ଏକ ପ୍ରକାରର ଧାନ ଏଠାରେ ବୁଣାଯାଏ । କାରଣ ଏହାର ନଡ଼ାଗୁଡ଼ିକ ଧାନ ଅମଳ ପରେ ମାଛ ଖାଦ୍ୟ ଭାବରେ ବ୍ୟବହାର କରାଯାଇପାରେ; ଏଥିସହିତ ଛୋଟ ମାଛ ଏବଂ ସଢ଼ା ମାଛଗୁଡ଼ିକ ଫସଲ ପାଇଁ ଉର୍ବରକ ଭାବରେ କାମ କରେ ।
ଧାନ ସହିତ ଏହି ପରିବର୍ତ୍ତିତ କୃଷିର ପରମ୍ପରା ବନ୍ଦ ହୋଇଯାଇଛି, କେବଳ କେତେକ ଛୋଟ ଛୋଟ ଅଞ୍ଚଳରେ ରହିଛି ଏବଂ ଏହା ପରିବର୍ତ୍ତେ ମାଛ/ଚିଙ୍ଗୁଡିର ସାରା ବର୍ଷର ବ୍ୟବସାୟ ପାଲଟିଯାଇଛି। ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍)ର ଅଧୀନରେ ଥିବା ଏକ ଗବେଷଣା ଅନୁଷ୍ଠାନ ଏର୍ଣ୍ଣାକୁଲମ ସ୍ଥିତ କୃଷିବିଜ୍ଞାନ କେନ୍ଦ୍ର ଆକଳନ କରେ ଯେ ସମନ୍ୱିତ ଧାନ-ଚିଙ୍ଗୁଡି ଚାଷ ହେକ୍ଟର ପିଛା ପ୍ରାୟ ଟ. ୧.୩ ଲକ୍ଷ ଦେଇଥାଏ ଏବଂ ଏହା କେବଳ ଧାନ ଚାଷ କରିବାଠାରୁ ଖୁବ୍ ଅଧିକ ଲାଭଜନକ । ରାଜ୍ୟ ପଦଶେଖରମରେ ବ୍ୟବହୃତ ହେଉଥିବା ବିହନ ଖର୍ଚ୍ଚ ଏବଂ ମାଛ ଧରା ଉପକରଣ ଉପରେ ରିହାତି ଏବଂ ଅନୁଦାନ ଦେଇଥାଏ । ମାଛ ଚାଷୀମାନେ ମାଛ ଚାଷରେ ବ୍ୟବହୃତ ବିହନର ଦାମ୍ ଉପରେ ଏକ ବୃହତ ୪୦ ପ୍ରତିଶତ ରିହାତି ପାଇଥାନ୍ତି ।
ଲକ୍ଡାଉନ୍ ଏବଂ ମାଛ ଧରା ଉପରେ କଟକଣା ପୂର୍ବରୁ ଲାଇଜୁ ବଡ଼ ମାଛଧରା ଡଙ୍ଗାରେ ଭାରତ ମହାସାଗରର ଅଧିକ ଭିତରକୁ ଯାଇ ଏବଂ ବଡ଼ ମାଛ ଏବଂ ଅଧିକ ମାଛ ଆଣି ତାଙ୍କର ଆୟକୁ ପରିପୂରଣ କରୁଥିଲେ । କିନ୍ତୁ ସେହି ବିକଳ୍ପ ମଧ୍ୟ ଶେଷ ହୋଇଗଲା । କାରଣ ତାଙ୍କର ଅଧିକାଂଶ ସହଯାତ୍ରୀ ଲକ୍ଡାଉନ୍ ଘୋଷଣା ହେବାର ତୁରନ୍ତ ପରେ ତାମିଲନାଡୁରେ ଥିବା ସେମାନଙ୍କ ଘରକୁ ଫେରିଯାଇଥିଲେ । ସେ କୁହନ୍ତି, ‘‘ଯଦିଓ ଜାହାଜଗୁଡ଼ିକ ଚାଲିବା ପାଇଁ ପ୍ରସ୍ତୁତ, ଆମକୁ ମାଛ ଧରିବା ପାଇଁ ବାହାରିବା ପୂର୍ବରୁ ପ୍ରଥମେ ତାମିଲନାଡୁରୁ ନିଜ ଲୋକମାନଙ୍କୁ ଆଣିବାକୁ ହେବ।’’
ଯଥେଷ୍ଟ ପରିମାଣର ମାଛ ପାଇବା ସମସ୍ୟାର କେବଳ ଗୋଟିଏ ଅଂଶ; ସଂରକ୍ଷଣ ଏବଂ ପରିବହନରେ ମଧ୍ୟ ସମସ୍ୟା ରହିଛି ଏବଂ ଚାହିଦା ମଧ୍ୟ ବଢ଼ିନାହିଁ । ଗୋଟିଏ ୟୁଏନ୍ସିଟିଏଡି ରିପୋର୍ଟ ଅନୁଯାୟୀ ଚୀନକୁ ଭାରତର ଚିଙ୍ଗୁଡି ରପ୍ତାନୀ ୧୦ରୁ ୧୫ ପ୍ରତିଶତ ହ୍ରାସ ପାଇଛି । ଜାତୀୟ ମତ୍ସ୍ୟଚାଷ ବିକାଶ ବୋର୍ଡର ଓ୍ୱେବସାଇଟ୍ ଦର୍ଶାଉଛି ଯେ ମାଛ ଏବଂ ମାଛ ଉତ୍ପାଦ ରପ୍ତାନୀ ପ୍ରାୟ ଟ. ୪୫,୧୦୬,୮୯ କୋଟି ଯାହାକି କୃଷି ରପ୍ତାନୀର ପ୍ରାୟ ୨୦ ପ୍ରତିଶତ ଏବଂ ସାଧାରଣ ଭାବରେ ସମସ୍ତ ରପ୍ତାନୀର ୧୦ ପ୍ରତିଶତ ।
ଲାଇଜୁ କୁହନ୍ତି, ‘‘ସମୁଦ୍ରରେ ଆମେ ଯେଉଁ ମାଛ ଧରି ତାହା ଉଚ୍ଚମାନର, ଅଧିକ ଦାମ୍ର ଏବଂ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ରାଜ୍ୟ ବାହାରକୁ ଏବଂ ଚୀନ୍, ସିଙ୍ଗାପୁର ଏବଂ ପର୍ସିୟ ଉପସାଗରୀୟ କ୍ଷେତ୍ରକୁ ରପ୍ତାନୀ ହୁଏ; ଅଧିକାଂଶ ଚିଙ୍ଗୁଡି ସେଠାକୁ ଯାଏ’’ । ‘‘ବର୍ତ୍ତମାନ ଜାହାଜଗୁଡ଼ିକ ପୋତାଶୟରେ ଲାଗି ରହିଛି ।’’
ଧରାଯାଇଥିବା ମାଛ ବିକ୍ରୟ କରିବାର ମଧ୍ୟ ନିଜସ୍ୱ ସମସ୍ୟାଗୁଡ଼ିକ ରହିଛି କାରଣ ମଧ୍ୟସ୍ଥିମାନଙ୍କୁ (ଯେଉଁମାନେ ସାଧାରଣତଃ ମାଛ ଗୁଡ଼ିକର ପ୍ରକ୍ରିୟା ମଧ୍ୟ କରନ୍ତି) ବାକିରେ ବିକ୍ରି କରିବାର ପୁରୁଣା ବ୍ୟବସ୍ଥା ମତ୍ସ୍ୟ ବିଭାଗ ଦ୍ୱାରା ପ୍ରଣୟନ କରାଯାଇଥିବା ସାମାଜିକ ଦୂରତ୍ୱ ନିୟମ କାରଣରୁ ଆଉ ସମ୍ଭବ ନୁହେଁ । ଲାଇଜୁ କୁହନ୍ତି, ‘‘କରୋନା ପୂର୍ବରୁ ମୁଁ ସିଧାସଳଖ ଧରିଥିବା ମାଛକୁ ବଜାରକୁ ନେଇଯାଏ ଏବଂ ମୋତେ ଭଲ ଦାମ୍ ଦେବା ପାଇଁ ଜଣେ ଏଜେଣ୍ଟଙ୍କ ପାଖକୁ ଯାଏ ; ଆମେ ସମସ୍ତେ ଜାଣୁ ଯେ ଏହି ଦାମ୍ ଠିକ୍ ନଥିଲା, କିନ୍ତୁ ସେତେବେଳେ ସେ ଆମକୁ ବାକି ମଧ୍ୟ ଦେଇଥାନ୍ତି। ’’
ମାଛ ଏବଂ ସାମୁଦ୍ରିକ ଖାଦ୍ୟର ଯୋଗାଣ ଶୃଙ୍ଖଳ ଖୁବ୍ ଜଟିଳ, ବିଶେଷ କରି ସ୍ଥାନୀୟ ସ୍ତରରେ ଏବଂ ଲକ୍ଡାଉନ୍ ପ୍ରତ୍ୟେକ ପର୍ଯ୍ୟାୟକୁ ପ୍ରଭାବିତ କରିଛି । ଧରାଯାଇଥିବା ମାଛ ଡଙ୍ଗା ଲାଗୁଥିବା ସ୍ଥାନରେ ନିଲାମ ହୁଏ ଏବଂ ମାଛ ପରିବହନର ଦାୟିତ୍ୱ କ୍ରେତା ଉପରେ ପଡିଥାଏ ।
ମତ୍ସ୍ୟଚାଷ ପ୍ରଯୁକ୍ତି କେନ୍ଦ୍ରୀୟ ଅନୁଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ନିକିତା ଗୋପାଲ କୁହନ୍ତି, ‘‘ସଂରକ୍ଷଣର ଅଭାବ ଏକ ବାର୍ଷିକ ସମସ୍ୟା । ଯେଉଁ ସ୍ଥାନରେ ମାଛ ଧରାଯାଇ ଓହ୍ଲାଇ ଦିଆଯାଏ, ସେ ସ୍ଥାନରେ ଯଥେଷ୍ଟ ସଂରକ୍ଷଣ ବ୍ୟବସ୍ଥା ନାହିଁ ।’’
କୋଭିଡର ଭୟ ହେତୁ ମାଛ ନିଲାମ ଉପରେ କଟକଣା ଜାରି କରି ରାଜ୍ୟ ସରକାର ଏହା ପରିବର୍ତ୍ତେ ମାଛ ପାଇଁ ଏକ ମୂଲ୍ୟ ସ୍ଥିର କରିଛନ୍ତି । ଏପରି ଅନିଶ୍ଚିତ ସମୟ ପାଇଁ ଏକ ସ୍ଥିର ମୂଲ୍ୟ ଲକ୍ଡାଉନ୍ ପୂର୍ବରୁ ଆଶ୍ୱସ୍ତିଦାୟକ ହୋଇଥାନ୍ତା, କିନ୍ତୁ ବର୍ତ୍ତମାନ ଏହା କେବଳ ସେହିମାନଙ୍କ ପାଇଁ ଲାଭ ଦେଉଛି, ଯେଉଁମାନେ ସଫଳତାର ସହ ଏକ ଯଥେଷ୍ଟ ପରିମାଣର ମାଛ ଆଣୁଛନ୍ତି, ଏବଂ ସହରରେ ଥିବା ବଜାରଗୁଡ଼ିକୁ ପରିବହନ କରିପାରୁଛନ୍ତି ।
ଜେସି କେ., ୪୭ ଏବଂ ତାଙ୍କ ପତ୍ନୀ ଶିବୁ କେ., ୪୪ଙ୍କର କୋଚିର କେନ୍ଦ୍ରସ୍ଥଳରେ ଥିବା କାଡାଭାନ୍ଥରା ମାଛ ହାଟରେ ଏକ ଷ୍ଟଲ ରହିଛି, ଯେଉଁଠାରେ ଜେସି ଧରି ଆଣୁଥିବା ମାଛ ବିକ୍ରି କରନ୍ତି । ଏଠାରେ ତିନିରୁ ଚାରୋଟି ଅନ୍ୟ ମାଛ ବିକ୍ରେତା ଅଛନ୍ତି, ଏଥିସହିତ ମାଂସ, ତାଜା ପନିପରିବା ଓ ଦୈନନ୍ଦିନ ତେଜରାତି ବିକ୍ରି କରୁଥିବା ଅନ୍ୟ ଦୋକାନଗୁଡ଼ିକ ରହିଛି । ସରକାରୀ ଆଇନ ମାଛ ଦୋକାନଗୁଡ଼ିକ କେବଳ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବାକୁ ଅନୁମତି ଦେଇଥାଏ । ଏପ୍ରିଲ ୩ ତାରିଖରେ କୋଜିକୋଡେର କେନ୍ଦ୍ରୀୟ ମାଛ ହାଟ ପୁନଃ ଖୋଲିବା ପାଇଁ ଏକ ପରୀକ୍ଷା କରାଯିବା ସମୟରେ ଅତ୍ୟଧିକ ଭିଡ଼ ହେବା ଏବଂ କର୍ତ୍ତୃପକ୍ଷ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବାକୁ ବାଧ୍ୟ ହେବା ପରେ ଏହି କଠୋର ସମୟସୀମା ଲାଗୁ ହୋଇଛି ।
ଶେଷରେ ବିକ୍ରି କରିବା ପାଇଁ ଏକ ଅନୁମତି ଆଣିବାକୁ ସକ୍ଷମ ହୋଇଥିବା ଜେସି କୁହନ୍ତି, ‘‘ଆମେ ସପ୍ତାହ ସପ୍ତାହ ଧରି ବିକ୍ରି କରିବା ପାଇଁ ସକ୍ଷମ ନହେବା କାରଣରୁ ଅନେକ ଅର୍ଥ ହରାଇଛୁ । ମାଛ ସାଇତି ରଖିବା ପାଇଁ ଆମର ବଡ଼ ଫ୍ରିଜର ନାହିଁ, ତେଣୁ ଆମେ ଯାହା ବିକ୍ରି କରି ନପାରୁ ତାହା କ୍ଷତି ହୁଏ ।’’ ସେ ମଧ୍ୟ ମାଛକୁ ୧୨ କିଲୋମିଟର ଦୂରରେ ଥିବା ହାଟକୁ ଆଣିବା ପାଇଁ ପୋଲିସଠାରୁ ଅନୁମତି ନେଇଛନ୍ତି । ସେମାନଙ୍କ ପୁଅ ଜଣେ ଅଟୋ ରିକ୍ସା ଚାଳକ ଏବଂ ଯାହାଫଳରେ ସେମାନେ ଧରିଥିବା ମାଛକୁ ପରିବହନ କରିପାରନ୍ତି ।
ମାଛ ଧରିବାର ପରିମାଣ କମ୍ ହୋଇଯିବା କାରଣରୁ ଦାମ୍ ପ୍ରାୟ ଦୁଇଗୁଣ ହୋଇଗଲା, ଯାହାଫଳରେ ଦାମ୍ ବଢ଼ିଲା ଏବଂ ଜେସି ଏବଂ ଶିବୁଙ୍କ ପରି ବିକ୍ରେତାମାନଙ୍କୁ ସେମାନଙ୍କ କ୍ରେତାଙ୍କଠାରୁ ଅଧିକ ଅର୍ଥ ଦାବି କରିବାକୁ ହେଲା। ଗ୍ରାହକଙ୍କ ପାଇଁ ଅପେକ୍ଷା କରିଥିବା ଏବଂ ମଧ୍ୟାହ୍ନରେ ବନ୍ଦ ହେବା ସମୟ ପୂର୍ବରୁ ଧରିଥିବା ଅଳ୍ପ ପରିମାଣର ମାଛକୁ ବିକ୍ରି କରିବାକୁ ଅପେକ୍ଷା କରିଥିବା ଶିବୁ କୁହନ୍ତି, ‘‘ ଅଧିକ ଲୋକ ଏତେ ଅଧିକ ଦାମ୍ରେ କିଣିବେ ନାହିଁ । ଏହି ଲକ୍ଡାଉନ୍ ଆମକୁ ପ୍ରତିଦିନ ବୁଡାଉଛି; ଆମେ ପ୍ରତ୍ୟେକଟି ଦିନକୁ ବୁଡ଼ି ନଯିବାର ଆଶା ସହିତ ଧରି ରଖିଛୁ ।’’
‘ଆମେ ପ୍ରତ୍ୟେକ ଭୋଜନରେ ମାଛ ଖାଉ’
ଶିବୁଙ୍କ ପରି ମହିଳାମାନେ ମାଛ ସହ ସମ୍ପର୍କିତ ଗତିବିଧିରେ ସଂଶ୍ଳିଷ୍ଟ ଶ୍ରମିକମାନଙ୍କର ଏକ ମୁଖ୍ୟଅଂଶ ଗଠନ କରନ୍ତି । କେରଳ ସାମୁଦ୍ରିକ ଜନଗଣନା ୨୦୧୦ ଅନୁଯାୟୀ କାତି ଛଡ଼ାଇବାରେ ମହିଳାଙ୍କ ସଂଖ୍ୟା ୯୬ ପ୍ରତିଶତ, ସଫା କରିବା ଏବଂ ଏହାକୁ ପ୍ରକ୍ରିୟା କରିବାରେ ଏହି ସଂଖ୍ୟା ୮୪ ପ୍ରତିଶତ ଏବଂ ବିକ୍ରି କରିବାରେ ୭୯ ପ୍ରତିଶତ । ମାଛ ପାଇବାକୁ ଅସମର୍ଥ ହୋଇଥିବା କାରଣରୁ ଶିବୁଙ୍କ ପରି ମହିଳା ଶ୍ରମିକ ଏବଂ ବିକ୍ରେତାମାନେ ଅସୁବିଧାକୁ ସାମ୍ନା କରୁଛନ୍ତି । ସେ ଦର୍ଶାଇଥିଲେ ଯେ, ମାଛ ଜରିଆରେ କରୋନା ଭାଇରସ ବ୍ୟାପିବାର ମିଛ ଖବର କିପରି ସେମାନଙ୍କର କଷ୍ଟକୁ ବଢ଼ାଇ ଦେଇଛି । ସେ କହିଥିଲେ, ‘‘ଆମେ ପ୍ରତିଟି ଭୋଜନରେ ମାଛ ଖାଉ ଏବଂ ଆଖପାଖରେ କାହାକୁ କିଛି ହୋଇନାହିଁ । କିନ୍ତୁ ଲୋକେ କହୁଛନ୍ତି ଚୀନର ଏକ ହାଟରୁ ଏହା ଆସିଛି, ତେଣୁ ଏହା ଏଠାରେ ଏକ ହାଟରୁ ମଧ୍ୟ ଆସିପାରେ ।’’
ଏହି ଚାଲା [ପୋହଳା] ଗୁଡ଼ିକ ବାଞ୍ଜିରେ ମତ୍ସ୍ୟଜୀବୀଙ୍କ ଦ୍ୱାରା ଧରାଯାଉଥିଲା ଏବଂ ବର୍ତ୍ତମାନ ପରି ସେଗୁଡ଼ିକ କେବେ ବି ମହଙ୍ଗା ନଥିଲା । ବର୍ତ୍ତମାନ କେବଳ ବାଞ୍ଜିଗୁଡ଼ିକ ପାଣିକୁ ଯାଇପାରିବ, ବଡ଼ ବୋଟ୍ଗୁଡ଼ିକ ଯାଇପାରିବନାହିଁ । ବାଞ୍ଜିଗୁଡ଼ିକ ଅଧିକ ମାଛ ଧରିପାରନ୍ତି ନାହିଁ, କିନ୍ତୁ ଏହା ତାଜା ।
କେନ୍ଦ୍ରୀୟ ମତ୍ସ୍ୟ ପାଳନ ପ୍ରଯୁକ୍ତି ଅନୁଷ୍ଠାନର ଡକ୍ଟର ଗୋପାଳ କହିଥିଲେ, ଜୁନ୍ ୯ ତାରିଖରେ ମାଛ ଧରା ଉପରେ ମୌସୁମୀ କଟକଣା ଆରମ୍ଭ ହୋଇଯାଇଛି ଏବଂ ଏହା ପରବର୍ତ୍ତୀ ୫୨ଦିନ ପାଇଁ ଚାଲିବ । ତେଣୁ ପରିସ୍ଥିତି ଆହୁରି ଖରାପ ହୋଇଯିବ । ‘‘ଅଧିକାଂଶ ମାଛ ଏବଂ ସାମୁଦ୍ରିକ ଖାଦ୍ୟ ବାଇପିନ୍, ଫୋର୍ଟ କୋଚି ଏବଂ ମୁନାମବାମ ପରି ବଡ଼ ମାଛ ଧରା ପୋତାଶୟଗୁଡ଼ିକରୁ ଆସିଥାଏ । କିନ୍ତୁ ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ବନ୍ଦ ରହିଛି ।’’
ଲାଇଜୁଙ୍କର ତିନିଜଣ ପୁଅ ଅଛନ୍ତି ଏବଂ କେବଳ ସବୁଠାରୁ ସାନପୁଅର ମାଛ ଧରାରେ ଏକ ସକ୍ରିୟ ଆଗ୍ରହ ରହିଛି, କିନ୍ତୁ ଖୁବ୍ ଶୀଘ୍ର ତାଙ୍କର ସବୁଠାରୁ ବଡ଼ ଭାଇକୁ ଅନୁସରଣ କରିବ ଏବଂ ଜଣେ ଅଗ୍ନିଶମ କର୍ମଚାରୀ ହେବା ପାଇଁ ତାଲିମ ନେବ; ଦ୍ୱିତୀୟ ପୁଅ କୋଚିର ଏକ ଅଫିସରେ କାମ କରେ ।
ଲାଇଜୁ କୁହନ୍ତି, ‘‘ଆମ ଜୀବନ ଆମ ଗାଁ ଚାରିପାଖରେ ଘୁରିବୁଲେ ଏବଂ ଏହା ହିଁ ମୁଁ ଜାଣିଥିବା ଏକମାତ୍ର ଜୀବନ’’। ଏପରିକି ଯେତେବେଳେ ବନ୍ୟା ଆସେ, ସେତେବେଳେ ଆମେ ନିଜକୁ ବଞ୍ଚାଇ ନେବା ଜାଣୁ । କିନ୍ତୁ ଏହି କରୋନା ଦେଇ ଜୀବନ ଚଳାଇବା ଖୁବ୍ ଅଜଣା । ଆପଣ ଜାଣନ୍ତି ଜଣେ ମାଲାୟାଲି ମାଛ ବିନା ଚଳିପାରିବ ନାହିଁ, ତେଣୁ ମୁଁ ଏପର୍ଯ୍ୟନ୍ତ ଆଶାବାନ ।’’
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।
Editor's note
ବେଦିକା ପିଲାଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀ ରାମ କଲେଜ ଫର୍ ଓମେନ୍ରେ ସମାଜ ଶାସ୍ତ୍ରରେ ଏକ ସ୍ନାତ୍ତକ ଶ୍ରେଣୀରେ ଶିକ୍ଷା ଗ୍ରହଣ କରୁଛନ୍ତି । ଏକ ଅନୁମୋଦିତ ପାଠ୍ୟକ୍ରମ – ଏନ୍ଥୋଗ୍ରାଫିକ୍ ଫିଲ୍ମମେକିଂ ଟେକନିକ – ର ଏକ ଅଂଶ ଭାବରେ ସେ ମତ୍ସ୍ୟଜୀବୀ ସମୂହ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ଯାହାକି ପରି ଶିକ୍ଷା ନିମନ୍ତେ ଏହି ଖଣ୍ଡଟି ଦେଇଥିଲା। ବେଦିକା କୁହନ୍ତି, ‘‘ମତ୍ସ୍ୟଜୀବୀ ସମୂହଗୁଡ଼ିକ ପୁଞ୍ଜିର ପରିବର୍ତ୍ତନ ଏବଂ ଦେଶାନ୍ତର, ନୀତିରେ ପରିବର୍ତ୍ତନ ଏବଂ ସାମାଜିକ ନିୟମ କାରଣରୁ ପ୍ରଭାବିତ । ଏହା ସେମାନେ ଥିବା ବୃହତ୍ ସାମାଜିକ ସଂରଚନାକୁ ପ୍ରକାଶ କରେ । ପରି ପାଇଁ ଏହି କାହାଣୀଟି ନେବା ସମୟରେ ମୋର ସମାଜଶାସ୍ତ୍ରୀକ କଳ୍ପନା ମୋତେ ଆହୁରି ଗଭୀରକୁ ନେଇଯାଇଥିଲା । ଏହା ଆମ ଦୈନନ୍ଦିନ ଜୀବନର ବିଚାରଧାରାକୁ ଏବଂ ପ୍ରତ୍ୟେକ୍ଷ ଅଭିଜ୍ଞତାକୁ ଏକ ବୃହତ ସାମାଜିକ ସଂରଚନାରେ ଖାପ ଖୁଆଇବା ନିମନ୍ତେ ପୁନଃ ବିଚାର କରିବା ପାଇଁ ମୋତେ ବାଧ୍ୟ କରିଥିଲା ।’’